ମହାନଦୀ ପ୍ରସଙ୍ଗକୁ ନେଇ ପୁଣି ଗର୍ଜିଲା ବିଜେଡି : କଟା ଘା’ରେ ଚୂନ ମାରୁଛନ୍ତି ରମଣ

ଭୁବନେଶ୍ୱର : ମହାନଦୀ ସମସ୍ୟା ଓ ମହାନଦୀର ଜଳ ବଣ୍ଟନକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଗତକାଲି କରିଥିବା ସାମ୍ବାଦିକ ସମ୍ମିଳନୀର ଆଜି ଦୃଢ ପ୍ରତିବାଦ କରିଛି ବିଜେଡି। ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ରମଣଙ୍କ ମନ୍ତବ୍ୟକୁ ଭ୍ରମାତ୍ମକ, ଅଯୌକ୍ତିକ ଓ ସମ୍ବିଧାନ ତଥା ସଂଘୀୟ ବିଧି ବ୍ୟବସ୍ଥାର ପରିପନ୍ଥୀ ଏବଂ ସଂକୀର୍ଣ୍ଣ ରାଜନୈତିକ ମାନସିକତାର ପରିଚୟ ବୋଲି ବର୍ଣ୍ଣନା କରିଛନ୍ତି।

ବିଜେଡି ନେତାମାନେ କହିଥିଲେ, ରମଣ ପରୋକ୍ଷରେ ଓଡ଼ିଶାବାସୀଙ୍କ ପ୍ରତି ଏକ ପରୋକ୍ଷ ଧମକ ଦେଇଛନ୍ତି। ଛତିଶଗଡ଼ର ଆସନ୍ନ ନିର୍ବାଚନ ଓ ଶ୍ରୀ ସିଂହ ତାଙ୍କ ରାଜ୍ୟରେ ବିକାଶ ଯାତ୍ରା କରୁଥିବା ଅବସରରେ ଏପରି ବିନାଶକାରୀ ମନ୍ତବ୍ୟ ଦେଇଛନ୍ତି। ଆନ୍ତଃରାଜ୍ୟ ନଦୀ ସଂକ୍ରାନ୍ତ ସମସ୍ତ ଆଇନ୍‌, କାନୁନ୍‌ ବିଧିବିଧାନକୁ ଉଲ୍ଲଂଘନ କରି ଓଡ଼ିଶାରେ ମହାନଦୀର ଜଳଧାରାକୁ ପ୍ରତିହତ କରୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କର ଏପରି ବକ୍ତବ୍ୟ ଓଡ଼ିଶାବାସୀଙ୍କ ପ୍ରତି କଟା ଘା’ରେ ଚୂନ ସଦୃଶ।

ବିଜେଡି କହିଛି, ମହାନଦୀ ସଂପର୍କରେ ଗତ ୨ବର୍ଷ ଧରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଜଳସଂପଦ ମନ୍ତ୍ରୀ ଅଯୌକ୍ତିକ ଟିପ୍ପଣୀ ଦେଇ ଚାଲିଛନ୍ତି। ସଂସଦରେ ଏବଂ ବିଭିନ୍ନ ଫୋରମ୍‌ରେ ଛତିଶଗଡ଼ର ବେଆଇନ୍‌ ନିର୍ମାଣ ଧରାପଡିବା ପରେ ତାକୁ ବେଖାତିର କରିବା, କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରିବା, ମହାନଦୀରେ ଓଡ଼ିଶା ପ୍ରାପ୍ୟ ସଂପର୍କରେ ନିରବଦ୍ରଷ୍ଟା ସାଜିବା, ଛତିଶଗଡ଼ ବିଜେପି ସରକାର ପ୍ରତି କେନ୍ଦ୍ର ବିଜେପି ସରକାରର ପ୍ରୀତିକୁ ପଦାରେ ପକାଇଛି। ଗତ ୨୬ ତାରିଖ ଦିନ କଟକ ସଭାରେ ପ୍ରଧାନମନ୍ତ୍ରୀ ମହାନଦୀ ସଂକ୍ରାନ୍ତରେ ରଖିଥିବା ବିଭ୍ରାନ୍ତିକର ଓ ଏକପାଖିଆ ବକ୍ତବ୍ୟ ଏବଂ ୨୯ ତାରିଖ ଦିନ ଛତିଶଗଡ଼ର ରାଇଗଡ଼ରେ ରମଣ ସିଂହ ବକ୍ତବ୍ୟ ସ୍ପଷ୍ଟ କରୁଛି ଯେ କେନ୍ଦ୍ର ଓ ଛତିଶଗଡ଼ ସରକାର ମଧ୍ୟରେ ମହାବୁଝାମଣା ହୋଇଛି। ଓଡ଼ିଶା ବିରୋଧରେ ମହାଷଡ଼ଯନ୍ତ୍ର ରଚନା କରାଯାଇଛି।

ଗତ ଫେବୃଆରୀ ମାସରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ରାୟ ଦେଇଛନ୍ତି ଯେ ‘‘ନଦୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବାହିତ ହେଉଥିବାରୁ, କୌଣସି ଗୋଟିଏ ରାଜ୍ୟ ନଦୀକୁ ନିଜର ବୋଲି ବିବେଚନା କରିପାରିବେ ନାହିଁ। ଆନ୍ତଃରାଜ୍ୟ ନଦୀ ହେଉଛି ଜାତୀୟ ସଂପଦ।’’ ଏପରିସ୍ଥଳେ ରମଣ ସିଂହଙ୍କ ମନ୍ତବ୍ୟ ଅତ୍ୟନ୍ତ ବିପଜ୍ଜନକ। ଏଥିସହିତ ରମଣଙ୍କ ମନ୍ତବ୍ୟକୁ ବିଜେଡି ଘୋର ନିନ୍ଦା କରିଛି।

ବିଜେଡି ଆଜି ଦାବି କରିଛି ଯେ ରମଣ ସିଂହ ତାଙ୍କ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ। ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର