ସି-ପ୍ଲେନ୍‌କୁ ଗୃହରେ ବିରୋଧ କଲା ବିଜେଡି

ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ବିଧାୟକ

ଭୁବନେଶ୍ୱର : ଚିଲିକାରେ ସି ପ୍ଲେନ୍‌ ସେବାକୁ ବିଧାନସଭାରେ ଆଜି ବିଜେଡି ବିଧାୟକମାନେ କଡ଼ା ବିରୋଧ କରିଛନ୍ତି। ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ବିଧାୟକ ସଂଜୟ ଦାସବର୍ମା ଗର୍ଜିଛନ୍ତି।

ଆଜି ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ଶ୍ରୀ ଦାଶବର୍ମା କହିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କଲେ ଚିଲିକାରେ ପ୍ଲେନ ଓହ୍ଲାଇବ। ସି-ପ୍ଲେନ ଆସି ଚିଲିକାରେ ପଡ଼ିବ। ଶହଶହ ଯୁବକ ଚାକିରି ପାଇବେ। ନିଯୁକ୍ତି ସୁଯୋଗ ମିଳିବ। ପର୍ଯ୍ୟଟନର ସୁଯୋଗ ବଢିବ। ମୁଁ ଜାଣେନା ଚିଲିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କର ଧାରଣା କଣ ଅଛି, ଅବଧାରଣା କଣ ଅଛି? ଚିିଲିକା ହେଉଛି ବିଶ୍ୱର ସବୁଠାରୁ ବଡ଼ ବାୟୋଲୋଜିକାଲ ପାର୍କ। ତତ୍କାଳୀନ ମନ୍ତ୍ରୀ ସଂଜୀବ ସାହୁଙ୍କ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏକ ବନ୍ଦର ନେଇ ଆଲୋଚନା ହୋଇଥିଲା। ବାଲି ହରଚଣ୍ଡୀ ନିକଟରେ ହେବା କଥା। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେବା ବେଳେ ମୁଖ୍ୟମନ୍ତ୍ରୀ ଚିଲିକାର ଗୁରୁତ୍ୱ ବୁଝାଇଥିଲେ। ଚିଲିକାର ଇକୋଲୋଜିକାଲ ସିଷ୍ଟମକୁ ନଷ୍ଟ କରିବା ପାଇଁ ଅନୁମତି ଦେବି କି? ବୋଲି ସେପ୍ରଶ୍ନ କରିଥିଲେ।

ଶ୍ରୀ ଦାସବର୍ମା ପ୍ରଶ୍ନ କରିଥିଲେ ଯେ ଏଭଳି ଏକ ଉଦ୍ଭଟ ଓ ଅବାସ୍ତବ ଚିିନ୍ତାଧାରା କେମିତି କେନ୍ଦ୍ରମନ୍ତ୍ରୀଙ୍କ ମନକୁ ଆସିଲା। ଚିଲିକାରେ ୧୭୦ ଡଲଫିନ ଅଛନ୍ତି, ୩୫୦ ପ୍ରଜାତିର ମାଛ ଅଛନ୍ତି, ଜଳଜୀବ। ୨୫୦ ପ୍ରକାରର ପକ୍ଷୀ ପୃଥିବୀର ବିଭିନ୍ନ କୋଣ ଅନୁକୋଣରୁ ଆସୁଛନ୍ତି। ଇନ୍ଦିରା ଗାନ୍ଧୀ ଆଇଏନଏସ ଚିଲିକାକୁ ଆସି ନଳବଣରେ ପକ୍ଷୀ ଦେଖିବା ପରେ ଚିଲିକାକୁ ଜାତୀୟ ଅଭୟାରଣ୍ୟ ଘୋଷଣା କରିଥିଲେ। ଏହାବ୍ୟତୀତ ୨ ଲକ୍ଷ ମତ୍ସ୍ୟଜୀବୀ ପରିବାର ଚିଲିକାକୁ ନେଇ ବଞ୍ଚିଛନ୍ତି।

ବିଜେପିର ଚିଲିକା ବିଧାୟକଙ୍କ ସହ ଆଲୋଚନା ବେଳେ ସେ ବି ଏଥିରେ ଏକମତ ବୋଲି ସୂଚାଇ ସଞ୍ଜୟ କହିଥିଲେ, ଓଡ଼ିଶାର ଜନସାଧାରଣଙ୍କ ଉପରେ ଓ ଚିଲିକା ଉପରେ ଏଭଳି ନିଷ୍ପତ୍ତି ଲଦିବା ପୂର୍ବରୁ ଅନ୍ତତଃ ଦୁଇଥର ମନ୍ତ୍ରୀ ଚିନ୍ତା କରିବା ଉଚିତ୍‌। କେନ୍ଦ୍ରମନ୍ତ୍ରୀ ଚିଲିକାରେ ଯେଉଁ ସି-ପ୍ଲେନ ଓହ୍ଲାଇବାର ପ୍ରସ୍ତାବ ରଖିଛନ୍ତି ତାହାକୁ ପ୍ରତ୍ୟାହାର କରନ୍ତୁ। କୃଷ୍ଣପ୍ରସାଦ, ବ୍ରହ୍ମଗିରି, ଚିଲିକା, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବେ। ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ଏହା ଉପରେ ସ୍ପଷ୍ଟ କରନ୍ତୁ।

ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ତେବେ ବିଧାୟକ ମହେଶ ସାହୁ ସମାଲୋଚନା କରି କହିଥିଲେ, ଯେଉଁ ବ୍ୟକ୍ତି ଗୃହରେ ନାହାନ୍ତି ତାଙ୍କ ନାଁ ନବା କଥା ନୁହେଁ। ଯେଉଁ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କଲେ ସେ ହେଉଛନ୍ତି ପାର୍ଲାମେଣ୍ଟ ସଦସ୍ୟ। ତାଙ୍କୁ କେନ୍ଦ୍ରମନ୍ତ୍ରୀ ବୋଲି କୁହାଯାଉଛି। ଯେଉଁ ନାଁ ଉଲ୍ଲେଖ କଲେ ସେ ନାଁକୁ ବାଦ ଦିଆଯାଉ। କ୦ତା ବଦଳରେ କିରାସିନି କି ଉଜ୍ଜଳା ଗ୍ୟାସ ମନ୍ତ୍ରୀ ବୋଲି ଉଲ୍ଲେଖ କରିଥିଲେ ଭଲ ହୋଇଥାନ୍ତା। ପବନରେ ଯିଏ ଭାସନ୍ତି, ଉଡ଼ନ୍ତି ତାଙ୍କ ପ୍ରସ୍ତାବ ପବନରେ ବି ଉଡ଼ିଯାଏ। ସଦସ୍ୟ କନକବର୍ଧନ ସିଂହଦେଓଙ୍କ ସହ ଆଲୋଚନା କଲାବେଳେ ଏହା ଏକ ଉଦ୍ଭଟ ବୋଲି ସେ ବି ରାଜି ହୋଇଥିଲେ। ଏହି ଚିନ୍ତାଧାରାକୁ ନେଇ ଗୃହର ଗୁରୁତ୍ୱପୂର୍ଣ୍ଣ ସମୟକୁ ନଷ୍ଟ କରାଯିବା ଉଚିତ ନୁହେଁ ଓ କେନ୍ଦ୍ରମନ୍ତ୍ରୀ ତଳସ୍ତରର କଥା ଜାଣନ୍ତି ନାହିଁ ବୋଲି ଶ୍ରୀ ସାହୁ କହିଥିଲେ।

ସମ୍ବନ୍ଧିତ ଖବର