ବସରେ ବୁଲି ପୂରା ରାଜ୍ୟରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ, ଏହି ମାରାଥନ ପ୍ରଚାରକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ବସ ଆଣିଲା ବିଜେଡି

ଭୁବନେଶ୍ୱର : ଚଳିତ ଥର ହାଇଟେକ ଉପାୟରେ ପ୍ରଚାର କରିବ ବିଜେଡି । ୨୦୧୪ରେ ବିଜେପି ଯେଉଁଭଳି ହାଇଟେକ ପ୍ରଚାର କରି ସଫଳତା ସାଉଁଟିଥିଲା ତାହା ଠାରୁ ଦୁଇ ପାଦ ଆଗରେ ରହି ପ୍ରଚାର କରିବ ବିଜେଡି । ଚଳିତ ଥର କାର ନୁହେଁ ବସରେ ବୁଲି ପ୍ରଚାର କରିବେ ବିଜେଡି ସୁପ୍ରିମୋ । ହାଇଟେକ ପ୍ରଚାର ପାଇଁ ଏଭଳି ଫଣ୍ଡା ଆପଣାଇଛି ବିଜେଡି । ଚଳିତଥର ବିଜେଡି ସୁପ୍ରିମୋ ପ୍ରଚାରର ମଙ୍ଗ ଧରିଥିବା ବେଳେ ପୂରା ରାଜ୍ୟରେ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମାରାଥନ ପ୍ରଚାରକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ବସ ଆଣିଛି ବିଜେଡି।

ପୂର୍ବ ନିର୍ବାଚନ ଗୁଡିକରେ ବିଜେଡି ସୁପ୍ରିମୋ କାରରେ ରୋଡ ସୋ’ କରୁଥିବା ବେଳେ ଚଳିତ ଥର ପ୍ରଥମ ଥର ପାଇଁ ବସରେ ବୁଲି ପୂରା ରାଜ୍ୟରେ ପ୍ରଚାର କରିବେ ନବୀନ । ଆଉ ଏଥିପାଇଁ ଏକ ସ୍ୱତନ୍ତ୍ର ବସ ଡିଜାଇନ କରାଯାଇଛି । ଯାହା ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏହି ସ୍ୱତନ୍ତ୍ର ବସରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ବଡ ବଡ ଏଲଇଡି ସାଙ୍ଗକୁ ସମ୍ପୂର୍ଣ୍ଣ ବସଟିକୁ ଶୀତ ତାପ ନିୟନ୍ତ୍ରିତ କରାଯାଇଛି । ଏହାଛଡା ପ୍ରଚାର ସମୟରେ ବିଜେଡି ସୁପ୍ରିମୋ ଲୋକଙ୍କ ସହ ଯେପରି ସିଧାସଳଖ ସଂସ୍ପର୍ଶରେ ଆସିପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ବସ ମଧ୍ୟରେ ଥିବା କ୍ୟାବିନକୁ ସଭାମଞ୍ଚର ରୂପ ଦିଆଯାଇଛି । ସୁପ୍ରିମୋ ଚାହିିଁଲେ ବସ ମଧ୍ୟରୁ ଲୋକଙ୍କ ଉଦବୋଧନ ଦେଇପାରିବେ । ଏପରିକି ଆବଶ୍ୟକସ୍ଥଳେ ଦଳୀୟ ବୈଠକ ମଧ୍ୟ ବସ ମଧ୍ୟରେ କରାଯାଇପାରିବ । ଏଭଳି ହାଇଟେକ ବ୍ୟବସ୍ଥା ଏହି ବସ ମଧ୍ୟରେ ରହିଛି ।

ଏହାଛଡା ବସଟିରେ ନବୀନ ସରକାରଙ୍କ ବିକାଶର ଛାପ ଦେଖିବାକୁ ମିଳିଛି । ହକି ବିଶ୍ୱକପର ଆୟୋଜନ ଠାରୁ ଆରମ୍ଭ କରି ଗତ ୫ ବର୍ଷ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ଛାପ ବସରେ ଦେଖିବାକୁ ମିଳିଛି । ନବୀନ ଏହା ମଧ୍ୟରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଥିବା ବେଳେ ଆଗାମୀ ପ୍ରଚାର ସମୟରେ ଏହି ବସରେ ବିଜେଡି ସୁପ୍ରିମୋଙ୍କୁ ଦେଖିବାକୁ ମିଳିବ । ସମୟ ବଦଳିବା ସହ ବଦଳିଛି, ପ୍ରଚାର କରିବାର ଶୈଳୀ । ବେଶ ସହଜରେ କିଭଳି ଲୋକଙ୍କ ପାଖରେ ପହଞ୍ଚି ହେବ ସେଥିପାଇଁ ଏଭଳି ହାଇଟେକ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଉ ଏଭଳି ହାଇଟେକ ଫର୍ମୁଲାକୁ ଆପଣାଇ ନେଇଛନ୍ତି ବିଜେଡି ସୁପ୍ରିମୋ ।

ସମ୍ବନ୍ଧିତ ଖବର