କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର କଡ଼ା ଜବାବ : ଧର୍ମେନ୍ଦ୍ର ପ୍ରଧାନ ଅଭ୍ୟାସଗତ ମିଛୁଆ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ। ପ୍ରତିଦିନ ଦୁଇ ତିନିଟା ମିଛ ନ କହିଲେ ତାଙ୍କ ଦିନ ସରେନି। ତାଙ୍କ ଉପରେ ଏଣିକି ଦୟା ଆସିଲାଣି। ଭଦ୍ରକ ରାଣୀତାଲରେ ଅନୁଷ୍ଠିତ ଦଳୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ଅବସରରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାନେଇ ଏପରି ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ଜାରି କରିଥିବା େପ୍ରସ ଇସ୍ତାହାରରେ କୁହାଯାଇଛି, କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଓଡ଼ିଶାବାସୀ ତିନି ଚାରିଟି ପ୍ରଶ୍ନର ଉତ୍ତର ଅପେକ୍ଷାରେ ଅଛନ୍ତି। ଏନଡିଏ ସରକାର ଓଡ଼ିଶାବାସୀଙ୍କ ପ୍ରତି କଣ କରିଛି ସେସବୁ ଜଣାଇବାରେ କେନ୍ଦ୍ରମନ୍ତ୍ରୀ କୁଣ୍ଠାବୋଧ କାହିଁକି କରୁଛନ୍ତି? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଲେ କିନ୍ତୁ ତାକୁ ପୂରା କରିପାରିଲେନି। ବ୍ରାହ୍ମଣୀ ସେତୁରେ ଦ୍ବିତୀୟ ସେତୁ ନିର୍ମାଣ କଥା କଲେ ନାହିଁ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଚୁପ ବସିପଡ଼ିଛନ୍ତି ଏନଡିଏ ସରକାର। କେବଳ ରାଜ୍ୟବାସୀଙ୍କୁ ବିଜେପି ପ୍ରବଞ୍ଛନା ଓ ପ୍ରହେଳିକା ଦେଖାଇଆସିଛି।

ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରି ଆହୁରି କହିଛି, ଉଜ୍ଜ୍ବଳା ଯୋଜନା ନାମକ ଦୁର୍ନୀତି ପେଡ଼ିକୁ ଧରି କେନ୍ଦ୍ରମନ୍ତ୍ରୀ ଫମ୍ପା ତମ୍ବିତୋଫାନ କରୁଛନ୍ତି। ପ୍ରକୃତ ଗରିବଙ୍କ ପେଟରେ ନାତ ମାରି ଭୂତ ହିତାଧିକାରୀଙ୍କୁ ଲାଭ ଦେଉଛନ୍ତି ଏବଂ ସେଥିରେ ଖୁସି ହେଉଛନ୍ତି। ସର୍ବୋପରି ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଓଡ଼ିଶା ମନୋଭାବ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ମହାନଦୀ ଓ ପାଲୋଭରମ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ହକକୁ ଛଡ଼େଇନେଇଥିବା ଏହି ବ୍ୟକ୍ତି ଓ ଦଳକୁ ଓଡ଼ିଶାର ଜନସାଧାରଣ ୨୦୧୯ ନିର୍ବାଚନରେ ଉଚିତ ଜବାବ ଦେବେ। ଆଉ ସେତେବେଳେ ଅଭ୍ୟାସଗତ ଭାବରେ ମିଛ କହୁଥିବା ଧର୍ମେନ୍ଦ୍ର ବାବୁଙ୍କୁ ମୁହଁ ଲୁଚାଇବାକୁ ପଡ଼ିବ ବୋଲି ବିଜେଡି ମୁଖାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର