୯୫ରୁ ୩୩ ଚକ୍ଷୁ ଡାକ୍ତର ନାହାନ୍ତି

ଫେଲ ମାରିବ ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉତ୍ତମ ଚକ୍ଷୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଗତବର୍ଷ ଅକ୍ଟୋବର ମାସରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଘୋଷଣା ହୋଇଥିଲା, ଆସନ୍ତା ୫ବର୍ଷରେ ଏଥିପାଇଁ ୬ଶହ କୋଟି ଟଙ୍କା ଖର୍ଚ କରାଯିବ। ମାତ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଚକ୍ଷୁ ଡାକ୍ତରଙ୍କ ଅଭାବ ରହିଛି। ପରିସ୍ଥିତି ଏପରି ହୋଇଛି ଯେ, ଅଧିକାଂଶ ଜିଲ୍ଲାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟକୁ ମିଶାଇ ସମୁଦାୟ ୯୫ଟି ଚକ୍ଷୁ ଡାକ୍ତର ପଦବି ରହିଛି। ମାତ୍ର ରାଜ୍ୟରେ ଏବେ ୬୨ଜଣ ଚକ୍ଷୁ ଡାକ୍ତର ରହିଛନ୍ତି। ବୌଦ୍ଧ, ଯାଜପୁର, ଦେବଗଡ଼, ଗଜପତି, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଦୌ ଚକ୍ଷୁ ଡାକ୍ତର ନାହାନ୍ତି। ଏପରିକି ୧୧ ଜିଲ୍ଲା ଚିକିତ୍ସାଳୟରେ ଜଣେ ଲେଖାଏଁ ଚକ୍ଷୁ ଡାକ୍ତର ରହିଛନ୍ତି। ସେହିପରି ରାଜ୍ୟରେ ସମୁଦାୟ ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ଚକ୍ଷୁ ଡାକ୍ତର ପଦବି ରହିଥିବା ବେଳେ ମାତ୍ର ୧୩ଟି ଚିକିତ୍ସାଳୟରେ ଡାକ୍ତର କାର୍ଯ୍ୟ କରୁଛନ୍ତି। ଅନେକ ସ୍ଥାନରେ ଚକ୍ଷୁ ଡାକ୍ତରଙ୍କୁ ଅନ୍ୟ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହେଉଛି। ଯାହାଫଳରେ ଚକ୍ଷୁ ବହିର୍ବିଭାଗ ବନ୍ଦ ରହୁଛି। କେବଳ ସେତିକି ନୁହେଁ, ଅସ୍ତ୍ରୋପଚାର ଗୃହ ବା ଓଟି ଅଧିକାଂଶ ଉପଖଣ୍ଡ ଡାକ୍ତରଖାନାରେ ଖୋଲୁନାହିଁ। ଆଠଗଡ଼, ତାଳଚେର, ପଦ୍ମପୁର ଓ କାମାକ୍ଷାନଗରକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଓଟିରେ ଅସ୍ତ୍ରୋପଚାର ହେଉନାହିଁ। ରାଜ୍ୟରେ ବିଶ୍ୱ ବ୍ୟାଙ୍କ ଜରିଆରେ ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଓ୍ଵାର୍ଡ ନିର୍ମାଣ କରାଯାଇଥିଲା। ମାତ୍ର କେତେକ ଜିଲ୍ଲାରେ ଥିବା ଚକ୍ଷୁ ଓ୍ଵାର୍ଡରେ ‘ସହାୟ’ ଯୋଜନା ଅଧୀନରେ ଡାଏଲିସିସ୍‌ ୟୁନିଟ୍‌ ଖୋଲିବା ପାଇଁ ଯୋଜନା କରାଯାଉଥିବା ସୂଚନା ମିଳିଛି। ଯାହାକୁ ନେଇ ସ୍ଥାନୀୟ ଡାକ୍ତର ଓ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ରହିଛି।

୭ଜିଲ୍ଲା ଚିକିତ୍ସାଳୟ ଓ ୧୯ ଉପଖଣ୍ଡ ଡାକ୍ତରଖାନାରେ ଚକ୍ଷୁ ଡାକ୍ତର ନାହାନ୍ତି

ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ଓଡ଼ିଶା ପଛରେ

ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ୨୦୨୨ ସୁଦ୍ଧା ରାଜ୍ୟରେ ମୋତିଆବିନ୍ଦୁ ଜନିତ ଦୃଷ୍ଟିହୀନତାକୁ ୨୫ପ୍ରତିଶତ ପର୍ଯ୍ୟନ୍ତ କମାଇବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ୮୦ପ୍ରତିଶତ ପର୍ଯ୍ୟନ୍ତ ଦୃଷ୍ଟିହୀନତା ମୋତିଆବିନ୍ଦୁ ଜନିତ ହୋଇଥିବାରୁ ଏହାକୁ କମାଇବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି। ଏହାସହ ସମସ୍ତ ଲୋକଙ୍କୁ ବର୍ଷକୁ ଅତିକମ୍‌ରେ ଥରେ ଚକ୍ଷୁ ସେବା ଯୋଗାଇଦେବା ଲାଗି ଯୋଜନା ରହିଛି। ମାତ୍ର ଅଧିକାଂଶ ଚିକିତ୍ସାଳୟରେ ଚକ୍ଷୁ ଡାକ୍ତର ନ ଥିବାରୁ ଏହି ଯୋଜନା କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଅଧିକାଂଶ ଜିଲ୍ଲାଗୁଡ଼ିକରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶୂନ ରହିଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ୨୦୧୭/୧୮ବର୍ଷରେ ସରକାରୀ ଡାକ୍ତରଖାନାରେ ଆଦୌ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇନାହିଁ। ଗଞ୍ଜାମରେ ୧୭, କନ୍ଧମାଳ ଜିଲ୍ଲାରେ ୩୮, ସୋନପୁରରେ ୩୫, ପୁରୀରେ ୫୪, ଜଗତସିଂହପୁରରେ ୧୩୪, ଢେଙ୍କାନାଳରେ ୧୩୮, ନୂଆପଡ଼ାରେ ୧୪୫, କଳାହାଣ୍ଡିରେ ୧୫୬ ଓ ବଲାଙ୍ଗୀରରେ ୧୫୭ ଜଣ ଲୋକଙ୍କ ମୋତିଆବନ୍ଦୁ ଅସ୍ତ୍ରୋପଚାର ହୋଇଛି। କେବଳ ଖୋର୍ଧା ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ ୨୧୮୯ ଓ ଏନ୍‌ଜିଓ ଜରିଆରେ ୧୫୪୨୦କୁ ମିଶାଇ ୨୫ହଜାର ୧୧୧ଜଣଙ୍କ ମୋତିଆବନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ୨୦୧୭/୧୮ବର୍ଷ ପାଇଁ ରାଜ୍ୟରେ ୨ଲକ୍ଷ ୭୬ହଜାର ୮୫୩ଜଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଟାର୍ଗେଟ ରଖାଯାଇଥିବା ବେଳେ ୧ଲକ୍ଷ ୩୨ହଜାର ୮୮୭ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି। ଯାହାକି ଟାର୍ଗେଟ ଅସ୍ତ୍ରୋପଚାରର ୫୦ପ୍ରତିଶତରୁ ମଧ୍ୟ କମ୍‌। ଜାତୀୟସ୍ତରରେ ୧୦ଲକ୍ଷ ଲୋକସଂଖ୍ୟାରେ ହାରାହାରି ୫୮୦୦ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଉଥିବା ବେଳେ ରାଜ୍ୟରେ ଏହା ମାତ୍ର ୨୯୦୦ ରହିଛି। ଜାତୀୟ ହାରଠାରୁ ଓଡ଼ିଶା ୫୦ପ୍ରତିଶତ ପଛରେ ରହିଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ଚକ୍ଷୁ ଡାକ୍ତରଙ୍କ ଯଥେଷ୍ଟ ଅଭାବ ରହିଛି। ଯାହାଫଳରେ ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ ନେଇ ସମସ୍ୟା ଉପୁଜୁଛି। ଅଧିକାଂଶ ଜିଲ୍ଲାରେ ଚକ୍ଷୁ ଡାକ୍ତର ପଦବି ଖାଲି ପଡ଼ିଥିବାରୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇପାରୁ ନାହିଁ। ଫଳରେ ଅନ୍ୟ ରାଜ୍ୟ ତୁଳନାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ଓଡ଼ିଶା ପଛରେ ରହିଛି। ଏହାସହ ଓପିଏସ୍‌ସି ଜରିଆରେ ଡାକ୍ତର ନିଯୁକ୍ତି ସମୟରେ ସହାକାରୀ ସର୍ଜନ୍‌ ଭାବେ ନିଯୁକ୍ତି ଦିଆଯାଉଥିବାରୁ ଚକ୍ଷୁ ଡାକ୍ତର ପଦବି ପାଇଁ ପ୍ରାର୍ଥୀ ଇଚ୍ଛୁକ ହେଉ ନାହାନ୍ତି। ସିଧାସଳଖ ଚକ୍ଷୁ ବିଶେଷଜ୍ଞ ଡାକ୍ତରଭାବେ ନିଯୁକ୍ତି ଦିଆଗଲେ ଅନେକ ଡାକ୍ତର ସରକାରୀ ନିଯୁକ୍ତି ଦିଆଗଲେ ଏହି ସମସ୍ୟାର ଅନେକ ମାତ୍ରରେ ସମାଧାନ ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର