୩ ଜିଲ୍ଲାରେ ‘ଅନ୍ଧ ବିଶ୍ୱାସ’ ଆତଙ୍କ : ସାତ ବର୍ଷରେ ଗଲାଣି ୩୯୮ ଜୀବନ

୨୦୧୭ରେ ବଢ଼ିଛି ମାମଲା

କଟକ : ରାଜ୍ୟର ତିନିଟି ଜିଲ୍ଲାକୁ ଘାରିଛି ଗୁଣି ଗାରେଡ଼ି ଭୂତ ଅନ୍ଧବିଶ୍ୱାସ। ମୟୂରଭଞ୍ଜ, ନବରଙ୍ଗପୁର ଏବଂ କେନ୍ଦୁଝର ଜିଲ୍ଲା ଏହି ଅନ୍ଧବିଶ୍ୱାସରେ ବିଶେଷ ଭାବେ ପ୍ରଭାବିତ ହୋଇଛି। ୨୦୧୭ ବର୍ଷରେ ମୋଟ ରୁଜୁ ମାମଲାର ୭୦ ପ୍ରତିଶତ କେବଳ ଏହି ତିନି ଜିଲ୍ଲାରେ ହିଁ ଘଟିଛି। ରାଜ୍ୟରେ ଗଲା ୭ ବର୍ଷରେ ଏ ପ୍ରକାର ଅନ୍ଧବିଶ୍ୱାସରୁ ୩୯୮ ଜଣଙ୍କ ଜୀବନ ଗଲାଣି। ଏଭଳି ସ୍ଥିତିରେ ଗୁଣି ଗାରେଡ଼ି ପ୍ରଭାବିତ ଅଞ୍ଚଳରେ ସଚେତନତାମୂଳକ କାର୍ଯ୍ୟକ୍ରମ ଏବଂ ପାଠ୍ୟକ୍ରମରେ ସଚେତନା ପାଇଁ ବିିଷୟବସ୍ତୁ ସାମିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ରାଜ୍ୟବ୍ୟାପୀ ଗୁଣି ଗାରେଡ଼ି ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରୁ ଏ ପ୍ରକାର ଅନ୍ଧ ବିଶ୍ୱାସ ଜନିତ ଅପରାଧ ଉପରେ ନିୟନ୍ତ୍ରଣ ରଖିବାକୁ ରାଜ୍ୟ ସରକାର ୨୦୧୪ ଏପ୍ରିଲ୍‌ ୨୫ ତାରିଖରେ ସ୍ୱତନ୍ତ୍ର ଭାବେ ‘ଗୁଣି ଗାରେଡ଼ି ନିରୋଧ ଆଇନ-୨୦୧୩’ ଲାଗୁ କରିଥିଲେ । ଏହି ଆଇନ ଆଧାରରେ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନିୟମ ଲାଗୁ ପରଠାରୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟର ରିପୋର୍ଟ କହୁଛି ଯେ, ୨୦୧୪ ଏପ୍ରିଲ୍‌ ୨୫ରୁ ଡିସେମ୍ବର ଶେଷ ସୁଦ୍ଧା ମୋଟ ୨ଟି ଗୁଣି ଗାରେଡ଼ି ଜନିତ ମାମଲା ପଞ୍ଜିକରଣ କରାଯାଇଥିଲା । ୨୦୧୫ ବର୍ଷରେ ରାଜ୍ୟରେ ୫୮ଟି ମାମଲା, ୨୦୧୬ରେ ୮୩ ଏବଂ ୨୦୧୭ରେ ୯୯ଟି ମାମଲା ରୁଜୁ କରାଯାଇଛି । ସେଥିରୁ ୨୦୧୫ରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୮ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୬ରେ ମଧ୍ୟ କେନ୍ଦୁଝରରେ ସର୍ବାଧିକ ୧୬ଟି ମାମଲା ପଞ୍ଜିକୃତ ହୋଇଛି । ଅନ୍ୟ ପଟେ ଏକ ଘରୋଇ ଅନୁଷ୍ଠାନର ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୧୦ରୁ ୨୦୧୭ ମଧ୍ୟରେ ମୋଟ ୩୯୮ ଜଣଙ୍କୁ ଗୁଣି ସନ୍ଦେହରେ ହତ୍ୟା କରାଯାଇଛି । ଯଦି ୨୦୧୬ ଏବଂ ୨୦୧୭ ବର୍ଷର ହତ୍ୟା ସଂଖ୍ୟାକୁ ତୁଳନା କରାଯାଏ, ତେବେ ୨୦୧୭ରେ ହତ୍ୟା ସଂଖ୍ୟା କମି ୧୮ରେ ପହଞ୍ଚିଛି । କିନ୍ତୁ ୨୦୧୬ରେ ୨୫ ଜଣଙ୍କୁ ହତ୍ୟା କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସରକାରୀ ଭାବେ ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ଗୁଣି ଗାରେଡ଼ି ଜନିତ ଅପରାଧ ପ୍ରକୋପ ବିଶେଷ ଭାବେ ମୟୂରଭଞ୍ଜ, କେନ୍ଦୁଝର ଏବଂ ନବରଙ୍ଗପୁର ଜିଲ୍ଲା ସମେତ ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳୁଛି । ଗୁଣି ସନ୍ଦେହରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଳ ଖୁଆଇବା କିମ୍ବା ଲଣ୍ଡ କରି ଅମାନୁଷିକ ଭାବେ ପିଟିବା ଭଳି ଘଟଣା ଉପରୋକ୍ତ ଜିଲ୍ଲାଗୁଡ଼ିକରେ ସାମ୍‌ନାକୁ ଆସିିଛି। ଗୁଣି ଗାରେଡ଼ି ଜନିତ ଅପରାଧ ଏପରି ଢଂଗରେ ବୃଦ୍ଧି ପାଇଛି ଯେ, ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛି ଗୃହ ବିଭାଗ । ଅନ୍ଧ ବିଶ୍ୱାସର ଶିକାର ହୋଇଥିବା ଜଣେ ବ୍ୟକ୍ତି ରାଜ୍ୟର ଯେକୌଣସି ଥାନାରେ ନିଜ ଅଭିଯୋଗପତ୍ର ଦାଖଲ କରିପାରିବେ। ପରେ ଥାନା ଅଧିକାରୀ ଘଟଣା ଘଟିଥିବା ସମ୍ପୃକ୍ତ ଥାନାର ଥାନା ଅଧିକାରୀଙ୍କୁ ମାମଲାକୁ ହସ୍ତାନ୍ତର କରିବେ। ସେହି ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୀଡ଼ିତ କମ୍ବା ପୀଡ଼ିତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଥଇଥାନ କ୍ଷେତ୍ରରେ ପୁଲିସ କାର୍ଯ୍ୟ କରିବ ।

ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ସୂଚନା ଓ ପ୍ରସାରଣ ବିଭାଗ, ସଂସ୍କୃତି ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲାର ଜିଲ୍ଲପାଳ, ଏସ୍‌ପିଙ୍କ ମିିଳିତ ସହଯୋଗରେ ସାଧାରଣ ଜନତା ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯିବାକୁ ଯୋଜନା କରାଯାଇଛି। ପାଠ୍ୟ ପୁସ୍ତକରେ ଅନ୍ଧ ବିଶ୍ୱାସକୁ ଦୂର କରିବା ସଂକ୍ରାନ୍ତରେ ବିଷୟବସ୍ତୁ ସାମିଲ କରିବା ସମ୍ପର୍କରେ ଶିକ୍ଷା ବିଭାଗକୁ ଗୃହ ବିଭାଗ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛିି । ଗ୍ରାମାଞ୍ଚଳରେ ପାଲା, ଦାସ୍‌କାଠିଆ ଇତ୍ୟାଦି ପର୍ଯ୍ୟାୟକ୍ରମେ ଆୟୋଜିତ କରାଯିବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର