୩୭ ଡିଗ୍ରି ଟପିଲା ଟିଟିଲାଗଡ଼

ଭୁବନେଶ୍ୱର : ଏବେଠାରୁ ସାରା ରାଜ୍ୟରେ ତାତି ଅସମ୍ଭାଳ। ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟର ତାପମାତ୍ରା ଗୋଟିଏ ଡିଗ୍ରି ଲେଖାଏଁ ବଢ଼ୁଛି। ଗତକାଲି ୪ଟି ସହରର ତାପମାତ୍ରା ୩୬ ଡିଗ୍ରି ରହିଥିବା ବେଳେ ଆଜି ୧୦ଟି ସହରର ତାପମାତ୍ରା ୩୬ ଡିଗ୍ରି ପାର ହୋଇଛି। ୩ଟି ସହରର ତାପମାତ୍ରା ୩୭ ଡିଗ୍ରି ବି ଟପିଯାଇଛି।

ଓଡ଼ିଶାର ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଏବେଠାରୁ ତାପମାତ୍ରା ୩୭ ଡିଗ୍ରି ଡେଇଁଯାଇଛି। ଆଜି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୫ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସୋନପୁର ତାପମାତ୍ରା ୩୭.୨ ଓ ଅନୁଗୁଳ ତାପମାତ୍ରା ୩୭.୧ ଡିଗ୍ରି ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି। ଘରୁ ପଦାକୁ ବାହାରିବା କ୍ଷଣି ଦେହ, ମୁହଁ ପୋଡିଗଲା ପରି ଲାଗୁଛି। କେବଳ ପାରାଦ୍ୱୀପକୁ ଛାଡ଼ି ଅନ୍ୟ ସମସ୍ତ ସହରରେ ଏବେଠାରୁ ସ୍ଥିତି ସଙ୍ଗୀନ ହେଉଥିବା ନଜରକୁ ଆସିଛି। ଆଜି ଭୁବନେଶ୍ୱରର ତାପମାତ୍ରା ଦ୍ୱିତୀୟ ଦିନ ଲାଗି ୩୬ ଡିଗ୍ରି ଉପରେ ରହିଥିଲା। ଏଠାରେ ୩୬.୬ ଡିଗ୍ରି ଥିଲା ବେଳେ ତାଳଚେରରେ ୩୬.୭, ସମ୍ବଲପୁରରେ ୩୬.୩, ବାଲେଶ୍ୱର, ମାଲକାନଗିରି, ବାରିପଦା ଓ କଟକରେ ୩୬, ହୀରାକୁଦ ଓ ଢ଼େଙ୍କାନାଳରେ ୩୫.୬, ଝାରସୁଗୁଡ଼ାରେ ୩୫.୨ ଡିଗ୍ରି ରହିଥିଲା।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ତାପମାତ୍ରା ଏଭଳି ଭାବେ ବଢ଼ିବ। ଚଳିତ ମାସ ଶେଷ ସୁଦ୍ଧା କେତେକ ସ୍ଥାନରେ ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଧିକ ତାତି ରହିବ। ଶନିବାର ଭୁବନେଶ୍ୱରର ତାପମାତ୍ରା ଟିକିଏ ହ୍ରାସ ପାଇବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର