ଉଗ୍ର ହେଉଛି ବ୍ଲଡବ୍ୟାଙ୍କ୍‌ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ସାତ ଦିନ ହେଲା ଲୋୟର ପିଏମ୍‌ଜିରେ ରାଜ୍ୟର ବିଭିନ୍ନ ବ୍ଲଡବ୍ୟାଙ୍କ୍‌ର ୧୮୦ଜଣ ଠିକା କର୍ମଚାରୀ ଶୀତ କାକରରେ ପଡ଼ି ରହିଥିଲେ ହେଁ ସରକାର ସେମାନଙ୍କ ସହ ଥରୁଟିଏ ଆଲୋଚନା କରିନାହାନ୍ତି। ଫଳରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଖୁବ୍‌ଶୀଘ୍ର ଆଲୋଚନା ନ ହେଲେ ପରିସ୍ଥିତି ଉଗ୍ରରୂପ ଧାରଣ କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଅପରପକ୍ଷେ ଆନ୍ଦୋଳନ ଯୋଗୁଁ ସମଗ୍ର ରାଜ୍ୟରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ମନ୍ଥର ହୋଇଯାଇଛି। ବିଭିନ୍ନ ହସ୍‌ପିଟାଲରେ ଗୁରୁତର ଥାଲାସେମିଆ ରୋଗୀ ଉଚିତ୍‌ ସମୟରେ ରକ୍ତ ପାଉନଥିବା ମଧ୍ୟ ଅଭିଯୋଗ ହେଉଛି।

ସରକାରୀ ମାନ୍ୟତା, ବେତନ କମିସନ ସୁପାରିସ ମୁତାବକ ଦରମା, କର୍ମଚାରୀଙ୍କୁ କ୍ବାର୍ଟର୍ସ ଓ ଆବଶ୍ୟକ ମୁତାବକ କର୍ମଚାରୀ ନିଯୁକ୍ତି ଦାବିରେ ଓଡ଼ିଶା ରକ୍ତ ଭଣ୍ଡାର କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ସଂଘର ସଭାପତି ଅନିଲ ମହାନ୍ତି ଓ ସମ୍ପାଦକ ରମଣୀ ରଞ୍ଜନ ଗଡ଼ନାୟକଙ୍କ ଅଭିଯୋଗ ମୁତାବକ, ରାଜ୍ୟରେ ୫୫ ରକ୍ତ ଭଣ୍ଡାର ସରକାରୀ ମାନ୍ୟତା ପାଇଛି। କିନ୍ତୁ ଏଥିରେ କାର୍ଯ୍ୟରତ ୧୮୦ ଠିକା କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦିଆଯାଉନାହିଁ। ଗାନ୍ଧୀ ଜୟନ୍ତୀରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯିବା ପରେ ସରକାର ଆଲୋଚନା ମାଧ୍ୟମରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରେ ପ୍ରତିଶ୍ରୁତି ଭୁଲିଯିବାରୁ କର୍ମଚାରୀମାନେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର