ବୋଟ୍‌ କିଣାବିକା, ମରାମତି କେଳେଙ୍କାରୀ : ଲୁଚାଇଲେ ବି ଜଳଜଳ ଦିଶୁଛି ଦୁର୍ନୀତି

ଯାଜପୁର : ବନ୍ୟା ହେଉ କି ନହେଉ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ବୋଟ୍ କିଣାବିକା ଓ ମରାମତି ନାମରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ‌ଘୋଟାଲା ଚାଲିଛି। ଅଧିକାରୀ ଯେତେ ଲୁଚାଇଲେ ବି ଘୋଟାଲା ଜଳଜଳ ହୋଇ ଦିଶିଯାଉଛି। ଯାହାର ଅନେକ ତଥ୍ୟ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି।

ବୋଟ୍ ମରାମତି ବାବଦରେ ଗତ ୨ବର୍ଷରେ ଯଥାକ୍ରମେ ୮୯ଲକ୍ଷ ଓ ୫୯.୬୪ଲକ୍ଷ ବ୍ୟୟ କରାଯାଇଛି ବୋଲି ସରକାରୀ ତଥ୍ୟରେ କୁହାଯାଇଛି। କେବଳ ବୋଟ୍ ରେ ରଙ୍ଗ ବୋଲି ଏହି ଲକ୍ଷ ଲକ୍ଷ ଟଙ୍କା ପ୍ରତିବର୍ଷ ଅଧିକାରୀ ହଡ଼ପ କରିଚାଲିଛନ୍ତି। ଏହାବାଦ ୨୦୧୬ମସିହାରେ ୪୧ଟି ବୋଟ୍‌କୁ ମାତ୍ର ୪ଲକ୍ଷ ୧୦ ହଜାର ଟଙ୍କାରେ ବିକ୍ରି କରିଦିଆଯାଇଛି। ଏପରିକି ୨୦୦୨ମସିହାରେ କିଣା‌ ଯାଇଥିବା ବୋଟ୍‌କୁ ମଧ୍ୟ ପଚା ଶାଗମାଛ ଦରରେ ବିକ୍ରି କରିଦିଆଯାଇଛି। ଏହି ଟେଣ୍ଡରରେ ବ୍ୟାପକ ଲକ୍ଷ ଲକ୍ଷ ଟଙ୍କା ଘୋଟଲା ହୋଇଛି। ରସୁଲପୁର ବ୍ଲକ୍‌ର ଖଣ୍ଡିତର ଘାଟରେ ଥିବା ଏମଏଲ ଆଇବିବି ବୋଟ୍ ଓ ବଡ଼ଚଣା ବ୍ଲକ୍ ର ବେଣାପୁର ରେ ଥିବା ଏମଏଲ ଖଣ୍ଡାଲ ବୋଟ୍ ପ୍ରତ୍ୟେକର ଦାମ ୧୪ଲକ୍ଷ ୫୦ ହଜାର ହୋଇଥିବାବେଳେ ୨୦୦୨ରେ କିଣାଯାଇଥିଲା। ଏହି ମସିହାରେ ମଧ୍ୟ ଏମଏଲ ନାଗବଳୀ(ଚାନ୍ଦବାଲି) ୧୬ଲକ୍ଷ ୫୦ ହଜାର ଟଙ୍କାରେ କିଣାଯାଇଥିଲା। ଏହି ବୋଟ୍ କୁ ମାତ୍ର ୨୦ହଜାର ଟଙ୍କା ‌ରେ ଅଧିକାରୀ ନିଲାମ କରିଛନ୍ତି। ଏହି ବୋଟ୍ ନିଲାମ କାରବାରରେ ଲକ୍ଷ ଲକ୍ଷ ଟଙ୍କା କିକ୍ ବ୍ୟାକ ହୋଇଥିବାର ଗନ୍ଧ ବାହାରୁଛି। ବୋଟ୍ ବିକ୍ରି ଓ ମରାମତି ନାମରେ ଚାଲିଥିବା ଘୋଟାଲାର ଅଡ଼ିଟ୍ ହୋଇଥିବାର କୁହାଯାଉଛି। ଅଡିଟ୍‌କୁ ମଧ୍ୟ ବିଭ୍ରାନ୍ତ କରିବା ପାଇଁ ଅଧିକାରୀ କାଗଜପତ୍ରରେ ବ୍ୟାପକ ଟ୍ୟାମ୍ପରିଂ କରିଛନ୍ତି। ଏହି ହେରାଫେରି କାରବାର ସମ୍ବାଦ ଅନୁସନ୍ଧାନ ଟିମ୍ ଦ୍ବାରା ପ୍ରଥମେ ଲୋକଲୋଚନକୁ ଆସିବା ପରେ ଅଡିଟ୍ ହୋଇଛି। ବିବାଦ ଘେରରେ ଥିବା ଷ୍ଟେଟ୍ ପୋର୍ଟ ଇଂଜିନିୟର ଉନା ସୂର୍ଯ୍ୟନାରାୟଣ ବ‌ର୍ଷେ ହେଲା ବଦଳି ହୋଇଥିଲେ ହେଁ ସେ ତାଙ୍କ ପଦବି ଛାଡ଼ିବାକୁ ନାରାଜ। ଅବଶ୍ୟ ଏହି କେଳେଙ୍କାରୀର ପର୍ଦ୍ଦାଫାସ ହେବା ପରେ ଗାଦି ମାଡ଼ି ବସିଥିବା ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅମରଜିତ ବେହେରାଙ୍କୁ ହଟାଇ ଦିଆଯାଇଛି। ସେହିପରି ଦୀର୍ଘ ବର୍ଷ ହେଲା ସ୍ବତନ୍ତ୍ର ରିଲିଫ ଦାୟିତ୍ବରେ ଥିବା ଉପସଚିବ ବିକ୍ରମାଦିତ୍ୟ ବାରିକ ଓ ପୂର୍ବତନ ଷ୍ଟେଟ୍ ପୋର୍ଟ ଇଂଜିନିୟର ଆଶିଷ କୁମାର ଦାସ ଟେଣ୍ଡର କେଳେଙ୍କାରୀ ସମୟରେ ଦାୟିତରେ ଥିଲେ। ‌ଏମାନଙ୍କର ଦସ୍ତଖତରେ ‌ହିଁ ଟେଣ୍ଡର ହୋଇଛି। ଯଦି ଅଡିଟ୍ ରିପୋର୍ଟ ଓ ସ୍ବତନ୍ତ୍ର ତଦନ୍ତ କରାଯାଏ। ଦୁର୍ନୀତି ନେଇ ଉଠୁଥିବା ସଂଦେହର ଖୁଲାସା‌ ହୋଇଯିବ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର