ଦାଦା ବଟି ପାଇଁ ଘରେ ବୋମା ମାଡ଼

ପୁରୀ : ଦାଦାବଟି ନ ଦେବାରୁ ପୁରୀ ପେଣ୍ଠକଟା ଅଞ୍ଚଳରେ ନୂଆ ଘର କିଣିଥିବା ଜଣେ ମହିଳାଙ୍କ ଘର ଉପରେ ବୋମା ମାଡ଼ ହୋଇଛି। ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୁଖ୍ୟ ଅଭିଯୁକ୍ତକୁ ଧରିଛି।

ସୂଚନା ଅନୁଯାୟୀ, ପେଣ୍ଠକଟା ଆଇନ ମହାବିଦ୍ୟାଳୟ ନିକଟରେ ରାଜଶ୍ରୀ ମିଶ୍ର ନାମ୍ନୀ ଜଣେ ମହିଳା ଅଢ଼େଇ ମାସ ତଳେ ଏକ ଘର କିଣିଛନ୍ତି। ଘର କିଣାଯିବାର ପନ୍ଦର ଦିନ ପରେ ରାଜଶ୍ରୀଙ୍କ ଭାଇ ପ୍ରିୟବ୍ରତ ମିଶ୍ରଙ୍କୁ ସେହି ଅଞ୍ଚଳର କୁନା ପଣ୍ଡା ଦାଦାବଟି ମାଗିଥିଲା। ଖାଲି ସେତିକି ନୁହେଁ, ଫୋନରେ ପ୍ରିୟବ୍ରତଙ୍କୁ ଧମକାଇ ବି ଥିଲା। ମାତ୍ର କୁନାର ଏହି ଧମକକୁ ପ୍ରିୟବ୍ରତ ଖାତିର କରିନଥିଲେ। ଆଜି ଭୋର୍‌ ପ୍ରାୟ ୩ଟା ସମୟରେ ରାଜଶ୍ରୀଙ୍କ ଘର ଉପରକୁ କୁନା ଲାଗ୍‌ଲାଗ୍‌ ତିନୋଟି ବୋମା ମାଡ଼ କରିଥିଲା। ସେଥିରୁ ଦୁଇଟି ଫୁଟିଥିବା ବେଳେ ଅନ୍ୟଟି ଫୁଟିନଥିଲା। ସେହିପରି ନିକଟରେ ଥିବା ରମେଶ ଚିହ୍ନରାଙ୍କ ଘର ଉପରକୁ ମଧ୍ୟ ଗୋଟିଏ ବୋମାମାଡ଼ ହୋଇଥିବା ଜଣାଯାଇଛି। ଏ ସଂପର୍କରେ ଆଜି ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରାଜଶ୍ରୀଙ୍କ ଘର ପାଖରେ ଲାଗିଥିବା କ୍ଲୋଜ୍‌ ସର୍କିଟ୍ କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରିବା ବେଳେ ବୋମା ମାଡ଼ ଘଟଣାରେ କୁନା ହିଁ ସମ୍ପୃକ୍ତ ରହିଥିବା ଜଣାପଡ଼ିଥିଲା। ପୁଲିସ ଆଜି କୁନାକୁ ଘରୁ ଉଠାଇ ନେଇଛି।

ସମ୍ବନ୍ଧିତ ଖବର