ସାମୁଦ୍ରିକ ବାତ୍ୟା ‘ବୁଲୁବୁଲ’ ପ୍ରଭାବରେ ପାରାଦୀପରେ ବର୍ଷା ଆରମ୍ଭ!

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ବୁଲୁବୁଲ’ ପ୍ରଭାବରେ ରାଜ୍ୟରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବାର ସୂଚନା ମିଳିଛି। ତେବେ ଇତିମଧ୍ୟରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଗଲାଣି। ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଗତ ୬ ଘଂଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ।

ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବରେ ୪୫୦ କିଲୋମିଟର ଦୂରରେ ରହିଛି ଏବଂ ପଶ୍ଚିମବଙ୍ଗର ସାଗର ଆଇସଲାଣ୍ଡର ଦକ୍ଷିଣରେ ୫୮୦ କିମି ଓ ବାଲାଂଦେଶର ଖେପୁପରାଠାରୁ ଦକ୍ଷିଣପଶ୍ଚିମକୁ ୬୭୦ କିମି ଦୂରରେ ରହିଛି । ୯ ତାରିଖ ସକାଳ ପର୍ଯ୍ୟନ୍ତ ଆହୁରି ବଳ ଗୋଟାଇବ । ବାତ୍ୟା ପ୍ରଭାବରେ ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବ । ବର୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

image source-ndtv

ସେହିପରି ଶନିବାରଠାରୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଜଗତସିଂହପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ୮ ଓ ୯ ତାରିଖ ଦୁଇ ଦିନ ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ୯ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ୬ଟି ଜିଲ୍ଲାରେ ସ୍କୁଲ୍, କଲେଜ ବନ୍ଦ ରଖାଯିବ। ବର୍ଷା ଓ ପବନର ଗତିକୁ ଲକ୍ଷ୍ୟ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୮ ତାରିଖ ଦିନ ସ୍କୁଲ୍ ବନ୍ଦ ରଖିବା ବିଷୟରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର