ସମ୍ବଲପୁର/ବୁର୍ଲା : ଉଦ୍ଘାଟନକୁ ଦେଢ଼ ମାସ ପୂରିଛି କି ନାହିଁ ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ରେ ବିଭ୍ରାଟ ଆରମ୍ଭ ହୋଇଯାଇଛି। ଗୁରୁବାର ବିନା କୌଣସି ପୂର୍ବ ସୂଚନାରେ ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ର ସୋ’ ହଠାତ ବନ୍ଦ ହୋଇ ଯାଇଥିଲା। ଫଳରେ ପ୍ଲାନେଟାରିୟମ୍ ସୋ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଆସିଥିବା ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ନିରାଶ ହେବାକୁ ପଡିଥିଲା। କିଛି ସ୍କୁଲ୍ ପକ୍ଷରୁ ପ୍ଲାନେଟାରିୟମ ପାଇଁ ଆଗୁଆ ବୁକିଂ ହୋଇଥିଲେ ବି ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସୋ’ ଦେଖିବାରୁ ବଞ୍ଚିତ ହୋଇଥିଲେ। ତେବେ ବିଜ୍ଞାନ ଓ ବିବର୍ତ୍ତନ ପାର୍କ ଖୋଲା ରହିଥିଲା। ତେଣୁ ସମସ୍ତେ କେବଳ ପାର୍କ ବୁଲି ଫେରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ଲାନେଟାରିୟମ୍ ବନ୍ଦ ରହିବାର କାରଣ ସଂପର୍କରେଏହାର ଦାୟିତ୍ୱରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କୁ ପଚାରିବାରୁ ସେ ବୈଷୟିକ ସମସ୍ୟା କାରଣରୁ ଅସ୍ଥାୟୀଭାବେ ସୋ’ ବନ୍ଦ ରହିଥିବା କହିଥିଲେ। ତେବେ ଏ ସଂପର୍କରେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପଚାରିବାରୁ ସେ କହିଲେ ପ୍ଲାନେଟାରିୟମ୍ ସୋ’ ଚଳାଇବା ପାଇଁ ବ୍ୟବହୃତ ସଫ୍ଟେଓ୍ଵର୍ର ଲାଇସନ୍ସ ସମସ୍ୟା କାରଣରୁ ହଠାତ ଆଜିଠୁ ସୋ’ ବନ୍ଦ ହୋଇ ଯାଇଛି। ଏହି ଲାଇସନ୍ସର ଅଧିକାର ଆଣିଲା ପରେ ସୋ’ ପୁଣି ଚାଲିବ। ଏ ସଂପର୍କରେ ପ୍ଲାନେଟାରିୟମ୍ର ନିର୍ଦ୍ଦେଶକଙ୍କ ସହ ଆଲୋଚନା ହୋଇଛି। ଶୀଘ୍ର ସମସ୍ୟା ଦୂର କରାଯିବ ବୋଲି ସେ କହିଛନ୍ତି। ପ୍ଲାନେଟାରିୟମ୍ର ଯନ୍ତ୍ରପାତି ଓ ସଫ୍ଟେଓ୍ଵର ଲଗାଇଥିବା ଏକ ବିଦେଶୀ କମ୍ପାନିର ପାଉଣା ଠିକ୍ ସମୟରେ ପ୍ରଦାନ କରା ନଯିବା କାରଣରୁ ସଫ୍ଟେଓ୍ଵର୍ର ଲାଇସନ୍ସ ରଦ୍ଦ ହୋଇଥିବା ଜଣା ପଡ଼ିଛି।