ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘କ୍ଷଣିକ’

ଭୁବନେଶ୍ୱର : ଆସନ୍ତା ୨୦ରୁ ୨୮ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଭାରତୀୟ ପାନୋରମା ପକ୍ଷରୁ ଫିଚର୍‌ ଏବଂ ନନ୍‌ଫିଚର୍‌ ଫିଲ୍ମ ତାଲିକା ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ଭାଷାଭାଷୀର ୨୬ଟି ଫିଚର୍‌ ଫିଲ୍ମ ପ୍ରଦର୍ଶିତ ହେବାକୁ ଥିବାବେଳେ ୧୬ଟି ନନ୍‌ ଫିଚର୍‌ ଫିଲ୍ମ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ର ମହୋତ୍ସବରେ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଚର୍‌ ଫିଲ୍ମ ‘କ୍ଷଣିକ’ ପ୍ରଦର୍ଶିତ ହେବାକୁ ମନୋନିତ ହୋଇଛି। ସେହିପରି ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମ ‘କଡ୍‌ବି ହାଓ୍ଵା’ ମଧ୍ୟ ପ୍ରଦର୍ଶିତ ହେବ। ୬୪ତମ ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ପାଇଥିବା ‘କସବ’ ବି ଏଥର ପ୍ରଦର୍ଶିତ ହେବ। ଏହାସହ ପିହୁ, ଜଲି ଏଲ୍‌ଏଲ୍‌ବି, ବାହୁବଳୀ-୨ (ତେଲୁଗୁ) ବି ପ୍ରଦର୍ଶିତ ହେବ ବୋଲି ଘୋଷଣା ହୋଇଛି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ଅଧ୍ୟକ୍ଷତାରେ ଗଠିତ ୧୨ଜଣିଆ ଜୁରି କମିଟି ଫିଚର୍‌ ଚଳଚ୍ଚିତ୍ର ଏବଂ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧୀର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୬ଜଣିଆ ଜୁରି କମିଟି ଚଳଚ୍ଚିତ୍ରଗୁଡ଼ିକୁ ପ୍ରଦର୍ଶନ ପାଇଁ ବାଛିଛନ୍ତି।

ସମ୍ବନ୍ଧିତ ଖବର