ରାଜ୍ୟ ସରକାରଙ୍କ ଶେଷ କ୍ୟାବିନେଟ୍, ବିଧାନସଭା ଭଙ୍ଗ ପାଇଁ ସୁପାରିସ
ଭୁବନେଶ୍ବର : ପଞ୍ଚଦଶ ବିଧାନସଭା ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ବିଧିବଦ୍ଧ ସୁପାରିସ୍ କରାଯାଇଛି। ଏହି ସୁପାରିସ୍ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମୋହର ମାରିଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିବେ। ଏହା ପରେ ସାଧାରଣ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳ ଆଗାମୀ ଦିନରେ ନୂଆ ସରକାର ଗଠନ କରିପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚଳିତ ସରକାରର ଶେଷ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ପଞ୍ଚଦଶ ରାଜ୍ୟ ବିଧାନସଭା ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ୍ କରିବା ଥିଲା ବୈଠକର ପ୍ରଥମ ତଥା ପ୍ରମୁଖ ଏଜେଣ୍ଡା। ଭୋଟ୍ ଗଣତି ପୂର୍ବରୁ ଏହା ଏକ ବିଧିବଦ୍ଧ ପ୍ରକ୍ରିୟା। ଆସନ୍ତା ଜୁନ୍ ମାସ ୧୩ ତାରିଖ ପୂର୍ବରୁ ରାଜ୍ୟରେ ଷୋଡ଼ଶ ବିଧାନସଭା ଗଠନ ହେବାର ବ୍ୟବସ୍ଥା ରହିଛି ବୋଲି କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ପଞ୍ଚଦଶ ବିଧାନସଭାରେ ୧୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଗତ ଫେବ୍ରୁଆରି ୮ ତାରିଖରେ ବିଧାନସଭାର ଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ୨୦୧୪ ନିର୍ବାଚନରେ ୧୪୭ଟି ଆସନ ବିଶିଷ୍ଟ ବିଧାନସଭାରେ ବିଜୁ ଜନତା ଦଳ ୧୧୭ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। କଂଗ୍ରେସ ଦଳ ୧୬ଟି, ଭାରତୀୟ ଜନତା ପାର୍ଟି ୧୦ଟି, ସିପିଆଇ(ଏମ୍) ଓ ସମତା କ୍ରାନ୍ତି ଦଳ ଗୋଟିଏ ଲେଖାଏଁ ଆସନ ପାଇଥିବା ବେଳେ ୨ଜଣ ସ୍ବାଧୀନ ବିଧାୟକ ଏହି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସାମ୍ବାଦିକଙ୍କୁ ଧନ୍ୟବାଦ ଦେଲେ
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ତାହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀ କକ୍ଷକୁ ଆସି ‘ଫନି’ ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ। ପ୍ୟାକେଜ୍ ସମ୍ପର୍କରେ ସୂଚନା ପ୍ରଦାନ ପରେ ସେ ସମ୍ମିଳନୀ କକ୍ଷରୁ ବାହାରକୁ ଯାଇଥିଲେ। ପୁଣି ଏକ ମିନିଟ୍ ପରେ ଫେରି ଆସି ସାମ୍ବାଦିକମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟ ସରକାରଙ୍କ ଏହା ଶେଷ କ୍ୟାବିନେଟ୍ ହୋଇଥିବାରୁ ଏହି ଅବସରରେ ସେ ସାମ୍ବାଦିକଙ୍କ ସହଯୋଗ କଥା ମନେ ପକାଇଥିଲେ।