ଏମାର ମଠ ମହନ୍ତଙ୍କ ଟ୍ରଷ୍ଟି ପଦ ରଦ୍ଦ

ରୁପା ଇଟା ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିର୍ତ ପୁରୀ ଏମାର ମଠ ରୁପା ଇଟା ମାମଲାରେ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଟ୍ରଷ୍ଟି ପଦ ରଦ୍ଦ ହୋଇଛି। ନିଜ ଆଡୁ ରୁଜୁ ହୋଇଥିବା ମାମଲାର ବିଚାର କରି ଦେବୋତ୍ତର କମିସନର ଏହି ଆଦେଶ ଦେଇଛନ୍ତି। କହିଛନ୍ତି, ଜୀବନସାରା ସେ ରାଜଗୋପାଳ ରାମାନୁଜ ଦାସ ଏହି ପଦରେ ଅଧିଷ୍ଠିତ ହୋଇ ପାରିବେ ନାହିଁ। ଆଦେଶ ହେବା ଠାରୁ ଏହି କାର୍ଯ୍ୟାଳୟ ପରିଚାଳନା କରିବାକୁ ସେ ଅଯୋଗ୍ୟ ହେବେ। କମିସନର ତାଙ୍କ ରାୟ ରାଜ୍ୟ ସରକାରଙ୍କ ଅନୁମତି ପାଇଁ ପଠାଇଛନ୍ତି। ୭ ଜଣ ସାକ୍ଷୀ ଓ କମିସନ କରିଥିବା ବ୍ୟକ୍ତିଗତ ଯାଞ୍ଚର ଅନୁଭୁତିକୁ ନେଇ ଏହି ଆଦେଶ ଦିଆଯାଇଛି। ୨୦୧୧ ମସିହାରେ ପୁରୀ ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଜବତ ହୋଇଥିଲା। ଏଏସ୍‌ଆଇ ପକ୍ଷରୁ ଏହାର ମରାମତି ଚାଲିଥିବା ବେଳେ ଏହି ରୁପା ଇଟା କଥା ପଦାକୁ ଆସିଥିଲା। ଏଠାରେ କାମ କରୁଥିବା ଶ୍ରମିକ ଢ଼େଙ୍କାନାଳରେ ରୁପା ଇଟା ବିକ୍ରି କରୁଥିବା ବେଳେ ଧରା ପଡ଼ିଥିଲା। ସେ ଖିଅ ଧରି ଢ଼େଙ୍କାନାଳ ପୁଲିସ୍‌ ପୁରୀ ପହଞ୍ଚିଥିଲା। ଖୋଳତାଡ଼ ପରେ ଏକ ନିବୁଜ କୋଠରୀରୁ ଏହି ବିପୁଳ ପରିମାଣର ଇଟା ଜବତ ହୋଇଥିଲା। ଏହାକୁ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହେବା ସହ ଜବତ ଇଟାକୁ ହାଇକୋର୍ଟଙ୍କ ଆଦେଶ ବଳରେ ପୁରୀ ପୁଲିସ୍‌ ମୁଖ୍ୟାଳୟରେ ରଖାଯାଇଥିଲା। ତେବେ ଏହି ସମ୍ପତ୍ତି ସମ୍ବନ୍ଧରେ ଦେବୋତ୍ତର କମିସନର ଅବଗତ ନଥିଲେ। ବିଧି ମୁତାବକ ମଠ ସମ୍ପତ୍ତି ସମ୍ବନ୍ଧରେ କମିସନର ଅବଗତ ରହିବା କଥା। ମହନ୍ତ ଏ ନେଇ ଅବଗତ କରାଇବା କଥା। ଏଣୁ ଦେବୋତ୍ତର ବିଭାଗଙ୍କୁ ଅବଗତ କରାଯାଇନଥିବାରୁ ଦେବୋତ୍ତର ନିରୀକ୍ଷକ ଗତ ୨୦୧୧ ମସିହା ମାର୍ଚ୍ଚ ୨୫ ତାରିଖରେ ଏନେଇ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ରିପୋର୍ଟକୁ ଆଧାର କରି ଓଡ଼ିଶା ହିନ୍ଦୁ ଦେବତ୍ତୋର ଆଇନ ଦଫା ୩୫ ବଳରେ ଏକ ମାମଲା ରୁଜୁ ହୋଇଥିଲା। ତଥ୍ୟ ଲୁଚାଇଥିବାରୁ କାହିଁକି ମହନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ନେଇ କାରଣ ଦର୍ଶାଇବାକୁ ମହନ୍ତଙ୍କୁ ନୋଟିସ୍‌ କରାଯାଇଥିଲା। ନୋଟିସ୍‌ର ଉତ୍ତରରେ ମହନ୍ତ ଏହି ସମ୍ପତ୍ତି ସମ୍ବନ୍ଧରେ ଜାଣିନଥିବା ଦର୍ଶାଇଥିଲେ। ୧୯୮୭ ଫେବୃଆରିରେ ପୂର୍ବତନ ମହନ୍ତ ଶ୍ରୀନିବାସ ରାମାନୁଜ ଦାସଙ୍କ ମୃତ୍ୟୁ ପରେ ଦେବୋତ୍ତର କମିସନର ରାଜଗୋପାଳ ରାମାନୁଜ ଦାସଙ୍କୁ ପୁରୁଷାନୁକ୍ରମିକ ଟ୍ରଷ୍ଟି ପଦରେ ଅଧିଷ୍ଠିିତ କରାଇଥିଲେ। ୨୦୧୦ ମସିହାରେ ଜୁଲାଇ ୩ ଓ ୨୮ ଏବଂ ଅଗଷ୍ଟ ୭ ତାରିଖରେ ତିନି ଥର ଏହି ସମ୍ପତ୍ତି ତାଲିକା କରାଯାଇଥିଲା। ଏଥିରେ ୪୫ ରୁପା ଇଟା ଥିବା ଜଣାପଡ଼ିଥିଲା। କିନ୍ତୁ ୫୨୨ ଖଣ୍ଡ ମହନ୍ତ କିଭଳି ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନ ଉଠିଥିଲା।

ସମ୍ବନ୍ଧିତ ଖବର