ପୁଲିସ ବାବୁ କରୁଛନ୍ତି ଢେଲାମାଡ଼, ଗଣ୍ଡଗୋଳ : ୨୫ ଜଣଙ୍କ ବିରୋଧରେ ମାମଲା

କଟକ : ୨୫ ଜଣ ପୁଲିସ ବାବୁଙ୍କ ବିରୋଧରେ ଆଇପିସିର ୨୯୪, ୩୩୭, ୪୨୭, ୫୦୬ ଭଳି ଦଫାରେ ରୁଜୁ ହୋଇଛି ମାମଲା। ସିଆରପିସିର ଧାରା ୧୦୭ରେ ନୋଟିସ ଜାରି କରାଯାଇ ସେମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ବି ଦିଆଯାଇଛି। ଏହି ସବୁ ଦଫାରେ ଅଭିିଯୁକ୍ତଙ୍କୁ ଧରିବା ଦାୟିତ୍ୱରେ ଥିବା ପୁଲିସ ବାବୁଙ୍କ ବିରୋଧରେ ଏଭଳି ମାମଲା ରୁଜୁ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ବିଭାଗକୁ ଶୃଙ୍ଖଳିତ ବିଭାଗ କୁହାଯାଉଥିବା ବେଳେ ସଂଘ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

କଟକ ଜିଲ୍ଲା ହାବିଲ୍‌ଦାର ଓ କନେଷ୍ଟବଳ ସଂଘ ନିର୍ବାଚନ ଫଳାଫଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନରେ ପରାଜିତ ସଭାପତି ପ୍ରାର୍ଥୀଙ୍କୁ ଗାଳି ଗୁଲଜ ଏବଂ ତାଙ୍କ ସରକାରୀ କ୍ୱାଟର୍ସକୁ ଢେଲା ମାଡ଼ ଅଭିଯୋଗ ହୋଇଛି। ଅନ୍ୟପଟେ ବିଜୟଲାଭ କରିଥିବା ଗୋଷ୍ଠୀର ସଭାପତି ଓ ସମ୍ପାଦକଙ୍କୁ ପରାଜିତ ଗୋଷ୍ଠୀର ସଦସ୍ୟ ଜିଲ୍ଲା ବାହାରକୁ ବଦଳି କରାଇଦେବାକୁ ଧମକ ଦେଇଛନ୍ତି। ଏମିତିକି ତାଙ୍କ ପରିବାର ସଦସ୍ୟଙ୍କୁ ଗାଳି ଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଦୁଇ ଗୋଷ୍ଠୀର ଏତଲା ଆଧାରରେ କ୍ୟାଣ୍ଟନ୍‌ମେଣ୍ଟ ଥାନା ପୁଲିସ ଉଭୟ ପଟୁ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଜିଲ୍ଲା ହାବିଲ୍‌ଦାର ଓ କନେଷ୍ଟବଳ ସଂଘର ନିର୍ବାଚନ ଗତ ମେ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ଗୋଟିଏ ଗୋଷ୍ଠୀର ସଭାପତି ପ୍ରାର୍ଥୀ ଭାବେ ବୃନ୍ଦାବନ ପ୍ରଧାନ ଏବଂ ଅନ୍ୟ ଏକ ଗୋଷ୍ଠୀର ସଭାପତି ପ୍ରାର୍ଥୀ ଅମୀୟ ରଞ୍ଜନ ଦାସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ନିର୍ବାଚନରେ ବୃନ୍ଦାବନ ପାଖାପାଖି ୧୧୦ ଭୋଟ୍‌ରେ ଅମୀୟଙ୍କଠାରୁ ପରାଜିତ ହୋଇଥିଲେ। ବୃନ୍ଦାବନଙ୍କ ଅଭିଯୋଗ ଅନୁଯାୟୀ, ଜୁନ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ପ୍ରାୟ ୫୦ରୁ ଅଧିକ କନେଷ୍ଟବଳ ଏକ ବାଇକ୍‌ ରାଲିରେ ପୁଲିସ ଲାଇନରେ ଥିବା ତାଙ୍କ କ୍ୱାଟର୍ସ(ଏଫ୍‌/୦୯) ନିକଟକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ କ୍ୱାର୍ଟର୍ସ ସାମ୍‌ନାରେ ବୃନ୍ଦାବନଙ୍କୁ ନିଶାଶକ୍ତ ଅବସ୍ଥାରେ ଗାଳିଗୁଲଜ କରି କ୍ୱାର୍ଟର୍ସ ଉପରକୁ ଢେଲା ପଥର ମାଡ଼ ମାରିବା ସହିତ ଧମକ ଦେଇଥିଲେ। ବୃନ୍ଦାବନଙ୍କ ଏତଲା ଆଧାରରେ କ୍ୟାଣ୍ଟନ୍‌ମେଣ୍ଟ ଥାନା ପୁୁଲିସ ଦଫା ୨୯୪, ୩୩୭, ୪୨୭, ୫୦୬, ୩୪ରେ ଜିଲ୍ଲା ହାବିଲ୍‌ଦାର ଓ କନେଷ୍ଟବଳ ସଂଘର ସଂଘର ସମ୍ପାଦକ ମହିମୁଦ୍‌ ଅହମ୍ମଦ ଖାଁଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ନିର୍ବାଚନରେ ବିଜୟ ହୋଇଥିବା ସଂଘର ସଭାପତି ଅମୀୟ ରଞ୍ଜନ ଦାସ ଏବଂ ସମ୍ପାଦକ ମହିମୁଦ୍‌ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ବୃନ୍ଦାବନ ଏବଂ ଓଡ଼ିଶା ପୁଲିସ ହାବିଲ୍‌ଦାର କନେଷ୍ଟବଳ ସିପାହୀ ମହାସଂଘର ସଭାପତି ସନ୍ତୋଷ କୁମାର ଶତପଥୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଜିତାଇବାକୁ ପରାମର୍ଶ ଦେଇଥିଲେ। ଭୋଟ୍‌ ନଦେଲେ ଉପରିସ୍ଥ ଅଧିକାରୀଙ୍କୁ କହି ଅନ୍ୟତ୍ର ବଦଳି ଏବଂ ମାଡ଼ ମାରିବାକୁ ଧମକ ଦେଇଥିଲେ । ବୃନ୍ଦାବନ ଏବଂ ଅନ୍ୟ ସହଯୋଗୀ ବାରାକ୍‌ ନିକଟରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିବା ଅମୀୟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗ ଆଧାରରେ ଦଫା ୨୯୪, ୫୦୬, ୩୪ରେ ବୃନ୍ଦାବନଙ୍କ ସମେତ ୧୬ ଜଣଙ୍କ ବିରୋଧରେ ଏତଲା ରୁୁଜୁ କରିଛି। ଏବେ ଏହି ମାମଲା ଡିସିପିଙ୍କ କୋର୍ଟରେ ପହଞ୍ଚିଛି । ଶାନ୍ତି ଶୃଙ୍ଖଳା ଭଙ୍ଗ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସିଆର୍‌ପିସିର ଧାରା ୧୦୭ରେ ଡିସିପିଙ୍କ କୋର୍ଟର ମାମଲା ରୁଜୁ ହୋଇଥିବା ବେଳେ ବୃନ୍ଦାବନ ଏବଂ ପ୍ରଦୀପ କୁମାର ଦତ୍ତଙ୍କୁ ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେଇ କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦାଖଲ କରିିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର