ଶରଣାର୍ଥୀ ପରିବାରର ସମସ୍ୟାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : କେନ୍ଦ୍ରାପଡାର ମହାକାଳପଡା ବ୍ଲକରେ ଥଇଥାନ ହୋଇଥିବା ଶରଣାର୍ଥୀଙ୍କ ସମସ୍ୟାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ପଦ୍ମନାଭ ଚୌଧୁରୀ ଓ ଅନ୍ୟ ଦୁଇ ଜଣଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ୧୯୫୧ ମସିହାରେ କେନ୍ଦ୍ର ସରକାରଙ୍କ ପୁନଃଥଇଥାନ ପଲିସି(ରଫ୍ୟୁଜି) ଅନୁସାରେ ୭ଶହ ଶରଣାର୍ଥୀ ପରିବାରକୁ ମହାକାଳପଡା ଅଞ୍ଚଳରେ ଥଇଥାନ କରାଯାଇଥିଲା। ଏହି ସବୁ ପରିବାରକୁ ଆବାସଯୋଗ୍ୟ ଜମି ସହିତ ଚାଷ ଜମି ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଜମିର ମାଲିକାନା ସ୍ବରୂପ କେ-ଫର୍ମ ପଟ୍ଟା ଓ ଆରଓଆର ସରକାର ପ୍ରଦାନ କରିଥିଲେ। ଏହିସବୁ ପରିବାରକୁ ସରକାର ସ୍ବତନ୍ତ୍ର ପରିଚୟ ପତ୍ର ଦେଇଥିଲେ। ଏଥିସହିତ ଭୋଟର ପରିଚୟପତ୍ର, ଆଧାର କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା। ୬୦ ବର୍ଷ ଧରି ଏହି ସବୁ ପରିବାର ମହାକାଳପଡା ବ୍ଲକରେ ରହି ଆସୁଥିବା ବେଳେ ଜମି ବାବଦ ଖଜଣା ପ୍ରତି ବର୍ଷ ସ୍ଥାନୀୟ ରାଜସ୍ବ ଅଧିକାରୀଙ୍କ ନିକଟରେ ପଇଠ କରୁଥିଲେ। କିନ୍ତୁ ୨୦୧୧ ବର୍ଷ ପରଠାରୁ ଶରଣାର୍ଥୀ ପରିବାରଙ୍କ ନିକଟରୁ ଆଉ ଖଜଣା ରାଜସ୍ବ ଅଧିକାରୀ ଗ୍ରହଣ କରି ନଥିଲେ।

ଏଥିସହିତ କେ ଫର୍ମ ପଟ୍ଟା‌ ଜିଲ୍ଲାପାଳ ଯାଞ୍ଚ କରି ଏହି ସବୁ ପରିବାରର ସଦସ୍ୟଙ୍କ ନିକଟରୁ ଖଜଣା ନିୟମ ଅନୁସାରେ ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା ପରେ ବି ଏହି ସବୁ ପରିବାରର ସମସ୍ୟା ସମାଧାନ ହୋଇ ନାହିଁ। ଶରଣାର୍ଥୀଙ୍କ ପରିବାରକୁ ୬୦ ବର୍ଷ ତଳେ ପ୍ରଦାନ କରାଯାଇଥି‌ବା ଜମିର କିସମ ‘ଜଙ୍ଗଲ’କୁ ପରିବର୍ତ୍ତନ କରାଯାଇଛି ବୋଲି ଜଣା ପଡିଥିଲା। ଏପରି ପରିସ୍ଥିତିରେ ଶରଣାର୍ଥୀ ପରିବାରକୁ ପ୍ରଦାନ କରାଯାଇଥିବା ଜମିର କିସମ ଘରବାଡିକୁ ପରିବର୍ତ୍ତନ କରାଯାଉ ଓ ପୂର୍ବଭଳି ଖଜଣା ଗ୍ରହଣ କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସରୋଜ କୁମାର ପାଢୀ, ସଂଗ୍ରାମକେଶରୀ ମିଶ୍ର ଓ ନୃସିଂହଚରଣ ରାଉତ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ରାଜସ୍ବ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, କେନ୍ଦ୍ରାପଡା ଜିଲ୍ଲାପାଳ, ମହାକାଳପଡା ତହସିଲଦାର, ମୁଖ୍ୟ ବନ ସଂରକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର