ୟୁପିଏସ୍‌ସି ପରୀକ୍ଷାରେ ଆସିବ ସଂସ୍କାର, ଫର୍ମ ପୂରଣ ପରେ ବି ଓହରିପାରିବେ ପରୀକ୍ଷାର୍ଥୀ

ଗୋଟିଏ ପରୀକ୍ଷାରୁ ପୂରଣ ହେବ ଏକାଧିକ ବିଭାଗର ପଦବି, ୫ ବର୍ଷରେ ଓଡ଼ିଶାରେ ୬୫ ହଜାର ନିଯୁକ୍ତି

ଭୁବନେଶ୍ବର: କେନ୍ଦ୍ର ତଥା ରାଜ୍ୟଗୁଡ଼ିକରେ ଥିବା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମାନସିକ ଚାପ କମ୍‌ କରିବାକୁ ଯୋଜନା ପ୍ରସ୍ତୁତ କରିଛି କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି)। ଗୋଟିଏ ପରୀକ୍ଷାରୁ ଏକାଧିକ ବିଭାଗର ପଦବି କିଭଳି ପୂରଣ ହୋଇପାରିବ ସେନେଇ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ୟୁନିଏସ୍‌ସି ଓ ବିଭିନ୍ନ ରାଜ୍ୟର ‌ଆୟୋଗ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏଭଳି ପ୍ରସ୍ତାବ ଉପସ୍ଥାପିତ ହୋଇଛି। ପ୍ରସ୍ତାବ ଅନୁଯାୟୀ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେରିଟ୍‌ ଲିଷ୍ଟରେ ରହୁ ନଥିବା ପରୀକ୍ଷାର୍ଥୀମାନେ ଅନ୍ୟ ଚାକିରି ପାଇଁ ଆଉ ୟୁପିଏସ୍‌ସି ପରୀକ୍ଷା ଦେବାକୁ ପଡ଼ିବନି। ଗୋଟିଏ ପରୀକ୍ଷାରୁ ସଫଳ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ ୟୁପିଏସ୍‌ସି। କୃତୀ ପ୍ରାର୍ଥୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଯାଇପାରିବ। ସେହିପରି ପୂର୍ବରୁ ସିଭିଲ୍‌ ସର୍ଭିସ ପରୀକ୍ଷା ଲାଗି ଫର୍ମ ପୂରଣ କରିବା ପରେ କୌଣସି କାରଣରୁ ପରୀକ୍ଷା ଦେଇ ନପାରିଲେ ପରୀକ୍ଷାର୍ଥୀଙ୍କୁ ଗୋଟିଏ ସୁଯୋଗ ହରାଇବାକୁ ପଡ଼ୁଥିଲା। ଆଗକୁ ଏଭଳି ନ କରି ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀ ଓହରିଯିବା ପାଇଁ ଏକ ବିକଳ୍ପ ବ୍ୟବସ୍ଥା ରଖିବାକୁ ସମ୍ମିଳନୀରେ ଆଲୋଚନା ହୋଇଛି। ଉଦ୍‌ଯାପନୀ ଉତ୍ସବରେ ୟୁପିଏସ୍‌ସି ଅଧ୍ୟକ୍ଷ ଅରବିନ୍ଦ ସାକ୍ସେନା ଯୋଗଦେଇ କହିଲେ ପରୀକ୍ଷାରେ ସଂସ୍କାର ଆଣିବାକୁ ଆଲୋଚନା ହୋଇଛି। ପରୀକ୍ଷାର୍ଥୀଙ୍କୁ ମାନସିକସ୍ତରରେ ସୁଦୃଢ଼ କରିବା ସହ କିଭଳି ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି। ସିଭିଲ୍‌ ସର୍ଭିସ କ୍ଷେତ୍ରକୁ କିଭଳି ଭଲ ବ୍ୟକ୍ତି ଆସିପାରିବେ, ସେମାନଙ୍କ ତାଲିମ ଉପରେ ପ୍ରାଥମିକତା ଦେବାକୁ ସମ୍ମିଳନୀରେ ମତପ୍ରକାଶ ପାଇଛି।

ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଯୋଗଦେଇ କହିଲେ, ଭଲ ଶାସନ ପାଇଁ ଦକ୍ଷତାସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୬୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି। ଦାରିଦ୍ର୍ୟ ଦୂରୀକରଣ, ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ପାଇଛି। ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶା ଏବେ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛି। ନିର୍ଦ୍ଧାରିତ ସମୟରେ ନିଯୁକ୍ତି ଓ ତାଲିମ ପ୍ରଦାନ ଦିଗରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି), ଏସ୍‌ଏସ୍‌ବି, ଷ୍ଟାଫ୍‌ ସିଲେକ୍ସନ କମିସନ ଓ ସବ୍‌-ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ସମ୍ମିଳନୀରୁ ଓଡ଼ିଶା କିଛି ଶିଖିବା ସହ ଆସନ୍ତାବର୍ଷରୁ ତାହାକୁ ଲାଗୁ କରିବା ଦିଗରେ ପଦକ୍ଷେପ ନିଆଯିବ। ଉଦ୍‌ଯାପନୀ ଉତ୍ସବରେ ଓପିଏସ୍‌ସିର ଅଧ୍ୟକ୍ଷ ବ୍ରିଗେଡିଅର୍‌ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ତେଲେଙ୍ଗାନା ଲୋକସେବା ଆୟୋଗର ଅଧ୍ୟକ୍ଷ ପ୍ରଫେସର ଘଟଚକ୍ର ପାଣି, ଓଡ଼ିଶା ଡାକ ମଣ୍ଡଳ ସର୍କଲର ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କମିଲା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଡାକ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କଭର୍‌ର ଉନ୍ମୋଚନ ହୋଇଥିଲା। ଦୁଇ ଦିନଧରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର