ଭଦ୍ରକରେ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଗଣ ସତ୍ୟାଗ୍ରହ

ବାଦ୍‌ ପଡ଼ିଥିବା ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରାଯାଉ: ସୌମ୍ୟ

ଭଦ୍ରକ : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କର ଜମା ଟଙ୍କା ଫେରି ପାଇବା ଦାବିକରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏହି ସମାବେଶରେ ଯୋଗ ଦେଇ ମଞ୍ଚର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ପରାମର୍ଶ ଦେଇଛନ୍ତି।

ଆଜି ଦିନ ୧୧ଟା ବେଳେ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସହସ୍ରାଧିକ ଜମାକାରୀ ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଭଦ୍ରକ ସହର ପରିକ୍ରମା କରିବା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣସତ୍ୟାଗ୍ରହ କରିବା ସହ ପ୍ରତିବାଦ ସଭା କରିଥିଲେ। ଏହି ଅବସରରେ ମିଳିତ ମଞ୍ଚର ଉପଦେଷ୍ଟା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ବହୁଦିନ ଧରି କ୍ଷତିଗ୍ରସ୍ତ ଜମାକାରୀମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ଦାବି ପୂରଣ କରିବା ଲାଗି ସରକାର ପଦକ୍ଷେପ ମଧ୍ୟ ନେଇଛନ୍ତି। କ୍ଷୁଦ୍ର ଜମାକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କିଛି କିଛି ଟଙ୍କା ଫେରସ୍ତ କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ। ତେବେ ଜମାକାରୀଙ୍କୁ ଚିହ୍ନଟ କରିବା ଲାଗି ଯେଉଁ ପ୍ରକ୍ରିୟା ଚାଲିଛି ସେଥିରେ ଟଙ୍କା ପାଇବାକୁ ଦୀର୍ଘ ସମୟ ଲାଗିଯିବ। କାରଣ କମିସନ ଚିହ୍ନଟ କରିବା ପରେ ପୁଣି ରାଜସ୍ୱ ବିଭାଗ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରୁଛନ୍ତି। ଏହି ଚିହ୍ନଟ ପ୍ରକ୍ରିୟାରେ ଆରମ୍ଭରୁ ରାଜସ୍ୱ ବିଭାଗକୁ ସାମିଲ କରାଗଲେ ଟଙ୍କା ପାଇବାରେ ବିଳମ୍ବ ହେବନାହିଁ। ସେହିଭଳି ଲୁଟେରା ସଂସ୍ଥାମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଶ୍ରୀ ପଟ୍ଟନାୟକ କହିଲେ ଯେ ସେମାନଙ୍କର ସଂପତ୍ତି ବ୍ୟାଜ୍ୟାପ୍ତ କରାଯାଉ। ଏହାଛଡ଼ା ଯେଉଁ ଆଇନର ଗଳାବାଟ ଦେଇ ସେମାନେ ଲୁଟୁଛନ୍ତି ସେହି ଆଇନରେ ସଂସ୍କାର ଅଣାଯାଉ।

ଆଜିର ଏଇ ଗଣସତ୍ୟାଗ୍ରହରେ ମଞ୍ଚର ଜିଲ୍ଲା ସଭାପତି ଉମେଶ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସଂପାଦକ ମଧୁସୂଦନ ବିଶ୍ୱାଳ, ରାଜ୍ୟ ସଭାପତି ଜୟନ୍ତ ଦାସ, ଯୁବନେତା ଭବେନ୍ଦ୍ର ସାହୁ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଉପସଭାପତି ବିଭୁଦତ୍ତ ମିଶ୍ର, ମନୋଜ ପାତ୍ର, ବିଦ୍ୟସିଂହ ନାୟକ, ଏମ୍‌କେ. ସନିମ ଅଖତର, ବିଜୟ ସାହୁ, ରାଜେନ୍ଦ୍ର ସାହୁ, ସୁଶାନ୍ତ ଜେନା, ପ୍ରଭାତ ରାଉଳ, ସୁବାସ ଚନ୍ଦ୍ର ବିଶ୍ୱାଳ, ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କର ଜମା ଟଙ୍କା ଫେରି ନପାଇବା ପର୍ଯ୍ୟନ୍ତ ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର