ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚଦାବି ପାରିତ, ଅପରାଧ ସ୍ଥିତି ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆପାତତଃ ଶାନ୍ତିପୂର୍ଣ୍ଣ। ଅପରାଧିକ ସ୍ଥିତି ନିୟନ୍ତ୍ରଣାଧୀନ। ନକ୍ସଲ ଉପଦ୍ରୁତ ଜିଲ୍ଲାମାନଙ୍କରେ କୌଣସି ବଡ଼ ଧରଣର ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଦୃଷ୍ଟିଗୋଚର ହୋଇନାହିଁ। ଏପରି କି ସିପିଏମ୍‌(ମାଓବାଦ) ସଂଗଠନକୁ ନିଯୁକ୍ତି କମିବା ସହିତ ଏଥିପ୍ରତି ଜନସାଧାରଣଙ୍କ ସମର୍ଥନ ହାର ହ୍ରାସ ପାଇଛି। ପୁଲିସ ବିଭାଗର ଆଗୁଆ କାର୍ଯ୍ୟକଳାପ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁଁ ଏହା ସମ୍ଭବ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚଦାବି ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପରୋକ୍ତ ଉତ୍ତର ଦେଇଥିଲେ। ସେ କହିଲେ, ୨୦୧୭ରେ ବିଭିନ୍ନ ଶ୍ରେଣୀର ୩୯୪୪ଟି ପୁଲିସ୍‌ ପଦ ପୂରଣ ସହିତ ୪୪୪ଟି ନୂଆ ପଦ ସୃଷ୍ଟି ପାଇଁ ପାଇଁ ସରକାର ଅନୁମତି ଦେଇଛନ୍ତିି। ଜେଲ୍‌ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ୬୨ଟି ଜେଲ୍‌ରେ ସିସିଟିଭି, ଭିଡିଓ କନ୍‌ଫରେନ୍ସିଂ, ୭ଟି ଗୁରୁତ୍ୱପୂର୍ଣ୍ଣ ଜେଲ୍‌ରେ ଜାମର ଓ ବ୍ୟାଗେଜ୍‌ ସ୍କାନର ବ୍ୟବସ୍ଥା ସ୍ଥାପନ କରାଯାଇଛି। ରାଜ୍ୟ ପ୍ରସିକ୍ୟୁସନ୍‌ ସେବାକୁ ସୁଦୃଢ଼ କରିବା ପାଇଁ ୧୯୨ଜଣ ଏପିପିଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ଦଣ୍ଡବିଧାନ ହାର ବୃଦ୍ଧି ପାଇଁ ଷ୍ଟାଣ୍ଡିଂ କମିଟିଙ୍କ ସୁପାରିସ ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ।

ସଦ୍ୟତମ ଦୁଷ୍କର୍ମ ଘଟଣାଗୁଡ଼ିକରେ ପୁଲିସ ସର୍ବନିମ୍ନ ସମୟରେ ସମୟୋପଯୋଗୀ ପଦକ୍ଷେପ ନେଇଥିବା ଦର୍ଶାଇ ଏସବୁ ମାମଲାର ବିଚାର ଯେପରି ତ୍ୱରିତ ଗତିରେ ହୋଇପାରିବ ସେ ଦିଗରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଗୃହରେ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ସରକାର ରାଉରକେଲା, ବ୍ରହ୍ମପୁର, ସମ୍ବଲପୁରରେ ଆଉ ୩ଟି ସାଇବର ପୁଲିସ୍‌ ଥାନା ସ୍ଥାପନ କରିଥିବା ସେ କହିଥିଲେ।

୨୦୧୮-୧୯ରେ ମୋବାଇଲ୍‌ରେ ଅନ୍‌ଲାଇନ ଯୋଗେ ଲୋକସେବା ଯୋଗାଣ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଲୋକସେବା କମିସନ, ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ, ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସସନ୍‌ କମିସନଙ୍କୁ ନିଯୁକ୍ତି ପରୀକ୍ଷା ନିୟମିତ ରୂପେ ପରିଚାଳନା କରିବାକୁ କୁହାଯାଇଛି। ରାଜ୍ୟରେ ବିମାନ ସେବା ସଂଯୋଗ ବୃଦ୍ଧି ତଥା ଏୟାରଷ୍ଟ୍ରିପ୍‌ଗୁଡ଼ିକୁ ଉନ୍ନୀତ କରିବାକୁ ୧୦୦ କୋଟିର ବ୍ୟୟବରାଦ କରାଯାଇଛି। ଭୁବନେଶ୍ୱରରେ ରାସ୍ତାର ବିକାଶ ପାଇଁ ମାଷ୍ଟର ପ୍ଲାନ ନିମନ୍ତେ ୫୦ କୋଟିର ଅର୍ଥ ବ୍ୟବସ୍ଥା ହୋଇଛି।

ସମସ୍ତ ସରକାରୀ ସଂସ୍ଥା ଓ ସେବାକୁ ଦୁର୍ନୀତିମୁକ୍ତ କରିବା ଲାଗି ତାଙ୍କ ସରକାର ସଂକଳ୍ପବନ୍ଧ ବୋଲି ଉଲ୍ଳେଖ କରି ମୁଖ୍ୟମନ୍ତ୍ରୀ କହିଲେ, ୨୦୧୭ ବର୍ଷ ଏବଂ ଗତ ମାର୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ଭିଜିଲାନ୍ସ ପକ୍ଷରୁ ୬୦୩ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୭୯ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ୪୪ଜଣ ହେଉଛନ୍ତି ସରକାରୀ କର୍ମଚାରୀ। ଭୁବନେଶ୍ୱରରେ ରାଜ୍ୟ ଭିଜିଲାନ୍ସ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ। ଶେଷରେ ଗୃହ ବିଭାଗର ୫୨୮୪ କୋଟି ୮୬ ଲକ୍ଷ ୯୩ ହଜାର ଟଙ୍କା ଏବଂ ସାଧାରଣ ପ୍ରଶାସନ ବିଭାଗର ୩୮୯ କୋଟି ୮୮ ଲକ୍ଷ ୧୦ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର