ଚିଟ୍‌ଫଣ୍ଡ କମିସନଙ୍କ ପାଇଁ ୪ କୋଟି ଖର୍ଚ୍ଚ, କାର୍ଯ୍ୟକାଳ ବଢ଼ିଲାଣି ୧୪ ଥର : ସମୟ ଗଡ଼ୁଛି, ଫଳ କାହିଁ?

ଭୁବନେଶ୍ୱର : ଚିଟ୍‌ଫଣ୍ଡ କମିସନଙ୍କ ପାଇଁ ରାଜକୋଷରୁ ୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ ହୋଇସାରିଲାଣି। କମିସନ ଇତିମଧ୍ୟରେ ୪ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। କମିସନଙ୍କ କାର୍ଯ୍ୟକାଳ ଏଯାବତ୍‌ ୧୪ଥର ବଢିସାରିଲାଣି। ହେଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କିନ୍ତୁ ଏଯାଏ ପଇସା ମିଳିପାରିନାହିଁ।

ସେପଟେ ୨୦୧୩ ମସିହାରୁ ଗତ ପାଞ୍ଚବର୍ଷ ଧରି ରାଜ୍ୟରେ ଲୋକପାଳ ନାହାନ୍ତି। ସରକାର ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରୁନାହାନ୍ତି କିମ୍ବା ଲୋକପାଳ ନିଯୁକ୍ତି ଦେଉନାହାନ୍ତି। ମାତ୍ର ଲୋକପାଳଙ୍କ ଅନୁପସ୍ଥିତରେ ତାଙ୍କ ଦପ୍ତରରେ ୭୭୩ଟି ମାମଲା ଗ୍ରହଣ ହୋଇଛି । ସେଥିମଧ୍ୟରୁ କୌଣସି ଗୋଟିଏ ବି ମାମଲା ବର୍ତ୍ତମାନ ଫଏସଲା ହୋଇନାହିଁ। ଅଥଚ ଲୋକପାଳଙ୍କ ଦପ୍ତର ପାଇଁ ଏହି ସମୟ ମଧ୍ୟରେ ୨ କୋଟି ୬୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି।

ଆଜି ବିଧାନସଭାରୁ ଏଭଳି ତଥ୍ୟ ହସ୍ତଗତ ହୋଇଛି। ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏସବୁ ସଂସ୍ଥା ସଂପର୍କରେ ଚିତ୍ର ଉପସ୍ଥାପନ କରିଛନ୍ତି।

ଲୋକପାଳଙ୍କ ସଂପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ଲୋକପାଳ ପଦବି ୨୦୧୩ ମସିହା ଜାନୁଆରି ୨୩ ତାରିଖରୁ ଖାଲି ପଡିଛି । ଓଡିଶା ଲୋକାୟୁକ୍ତ ବିଲ୍‌, ୨୦୧୪ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ଏହି ବିଲ୍‌ ଆଇନ୍‌ରେ ପରିଣତ ହେବାପରେ ନୂତନ ଲୋକାୟୁକ୍ତ ନିଯୁକ୍ତି ନିମନ୍ତେ ବିହିତ ପଦକ୍ଷେପ ନିଆଯିବ ।

କିନ୍ତୁ ଲୋକପାଳଙ୍କ ଅନୁପସ୍ଥିତରେ ତାଙ୍କ ଦପ୍ତରରେ ୭୭୩ଟି ମାମଲା ଗ୍ରହଣ ହୋଇଛି । ସେଥି ମଧ୍ୟରୁ କୌଣସି ମାମଲା ବର୍ତ୍ତମାନ ସୁଦ୍ଧା ଫଏସଲା ହୋଇନାହିଁ। ମାତ୍ର ସରକାର କହିଛନ୍ତି, ଲୋକପାଳଙ୍କ ଦପ୍ତର ପରିଚାଳନା ତଥା ଏହାର କର୍ମଚାରୀଙ୍କ ବେତନ ଭତ୍ତା ଆଦି ଲାଗି ୨୦୧୩-୧୪ ବର୍ଷରେ ୬୬ଲକ୍ଷ ୧୪ ହଜାର ଟଙ୍କାର ଖର୍ଚ୍ଚ ହୋଇଥିବାବେଳେ ୨୦୧୪-୧୫ରେ ୪୩ଲକ୍ଷ ୪୭ହଜାର, ୨୦୧୫-୧୬ ରେ ୪୧ଲକ୍ଷ ୯୨ ହଜାର, ୨୦୧୬-୧୭ରେ ୫୪ଲକ୍ଷ ୩୨ ହଜାର ଓ ୨୦୧୭-୧୮ରେ ୫୯ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ମୋଟାମୋଟି ଭାବେ ଲୋକପାଳ ପଦବିଟି ଖାଲି ପଡିଥିଲେ ମଧ୍ୟ ୫ବର୍ଷରେ ଏହି ଦପ୍ତର ପରିଚାଳନା ଲାଗି ରାଜକୋଷରୁ ୨କୋଟି ୬୫ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇସାରିଲାଣି ।

ଉଲ୍ଲେଖଯୋଗ୍ୟ, ତତ୍କାଳୀନ ଲୋକପାଳ ଜଷ୍ଟିସ ପି.କେ.ପାତ୍ରଙ୍କର ୨୦୧୩ ଜାନୁୟାରୀ ମାସରେ ଦେହାନ୍ତ ହୋଇଥିଲା । ସେବେଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବି ଖାଲି ପଡିଛି ।

ଚିଟ୍‌ଫଣ୍ଡ କମିସନଙ୍କ ସଂପର୍କରେ ତଥ୍ୟ ଦେଇ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ବେଆଇନ୍‌ ଆର୍ଥକ ପ୍ରତିଷ୍ଠାନମାନଙ୍କ ଦ୍ୱାରା ଜମା ସଂଗ୍ରହର ତଦନ୍ତ ଲାଗି ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ରାଧାକୃଷ୍ଣ ପାତ୍ର ତଦନ୍ତ କମିସନ ୨୦୧୩ ଜୁଲାଇ ମାସରେ ବସାଇଥିଲେ। ଏହି କମିସନ ୩ ମାସ ମଧ୍ୟରେ ରିପୋର୍ଟ ଦେବା କଥା। ତେବେ ପରବର୍ତ୍ତୀ ସମୟରେ ତିନିଥରରେ ଜଷ୍ଟିସ୍‌ ପାତ୍ର କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ତାଙ୍କ ବିୟୋଗ ପରେ ୨୦୧୫ ଫେବ୍ରୁଆରି ମାସରେ ଅବସରପ୍ରାପ୍ତ ବିଚାରପତି ଏମ୍‌.ଏମ୍‌ ଦାସଙ୍କୁ ତଦନ୍ତ କମିସନର ଦାୟିତ୍ୱ ଦିଆଯାଇ କାର୍ଯ୍ୟକାଳ ୬ ମାସ ନିର୍ଦ୍ଧାରଣ କରାଯାଇଥିଲା। ଇତିମଧ୍ୟରେ କମିସନଙ୍କ କାର୍ଯ୍ୟକାଳ ୯ ଥରରେ ୪୨ ମାସ ବଢ଼ିସାରିଲାଣି।

ଅର୍ଥମନ୍ତ୍ରୀଙ୍କ ସୂଚନାନୁଯାୟୀ ତଦନ୍ତ କମିସନ, ଏହାର ଅଧିକାରୀ, କର୍ମଚାରୀଙ୍କ ଦରମା ଓ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ମୋଟ୍‌ ୪ କୋଟି ୨୩ ଲକ୍ଷ ୧୮ ହଜାର୧୭୧ ଟଙ୍କା ବ୍ୟୟ ହୋଇଛି। ଜଷ୍ଟିସ୍‌ ଦାସ କମିସନ ଇତିମଧ୍ୟରେ ସରକାରଙ୍କୁ ୪ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସହାୟତା ପ୍ରଦାନ ଲାଗି ୨୦୧୪ ମସିହାରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ୍‌ ଫଣ୍ଡ ଗଠନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୦ରୁ ୨୦୧୮ ମାର୍ଚ୍ଚ ସୁଦ୍ଧା ୨୬୬ଟି ବେଆଇନ୍‌ ଆର୍ଥକ ପ୍ରତିଷ୍ଠାନ ବିରୋଧରେ ୬୬୨ଟି ଫୌଜଦାରି ମାମଲା ପୁଲିସ ରୁଜୁ କରିଛି। ଏଥିମଧ୍ୟରୁ ୪୧୨ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ଏହି ବ୍ୟାପାରରେ ୮୫୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ୮ଟି ଫୌଜଦାରି ମାମଲାର ବିଚାର ପରେ ଅଦାଲତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ଅଧିନିୟମ ଅନୁଯାୟୀ ୪୧ଟି ବେଆଇନ୍‌ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସରକାର ୨୧ଟି ପ୍ରସ୍ତାବରେ ଆଦେଶ ପ୍ରଦାନ କରିଥିବା ବେଳେ ଏହାର ଅନୁପାଳନ ଲାଗି ଡେଜିଗ୍‌ନେଟେଡ୍‌ କୋର୍ଟରେ ୪୧ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୨୪ଟି ବିଚାରାଧିନ ଥିବା ବେଳେ ଅବଶିଷ୍ଟ ମାମଲାରେ ଜବତ ସମ୍ପତ୍ତି ବାଜ୍ୟାପ୍ତି ଲାଗି ଆଦେଶ ହୋଇଛି। ତେବେ ଏହି ତଥ୍ୟରେ ସିବିଆଇ ରୁଜୁ କରିଥିବା ମାମଲା ସଂପର୍କରେ ସରକାର ଜଣାଇନାହାନ୍ତି।

ସମ୍ବନ୍ଧିତ ଖବର