ଭୁବନେଶ୍ୱର: ହତ୍ୟା ମାମଲାରେ ଛନ୍ଦି ହୋଇ ଛତିଶଗଡ଼ ପୁଲିସ ଦ୍ବାରା ଗିରଫ ହେବା ପରେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ପଦରୁ ହଟିଛନ୍ତି ବିଜୁ ଜନତା ଦଳ ନେତା ଅନୁପ କୁମାର ସାଏ। ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଅନୁପ ସାଏଙ୍କୁ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ବିଦା କରିଛନ୍ତି। ଏଥି ସହ ଅନୁପ ସାଏ ବିଜୁ ଜନତା ଦଳରୁ ମଧ୍ୟ ବହିଷ୍କୃତ ହୋଇଛନ୍ତି। ଗିରଫ ହେବା ପରେ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ର ଚକ୍ରଧର ନଗର ଥାନାରେ ରଖି ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୁଲିସ୍ ଗତକାଲି ରାତି ପ୍ରାୟ ୯ଟା ୨୩ ମିନିଟ୍ ସମୟରେ ବ୍ରଜରାଜ ନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇ ପୁଲିସ୍ ପଚରାଉଚୁରା ପରେ ଗିରଫ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୨୦୧୬ରେ ବ୍ରଜରାଜ ନଗରର ଜନୈକ ମହିଳା କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ବବଲି ଦାସ(୧୫)ଙ୍କୁ ହତ୍ୟା କରାଯାଇଥିଲା। ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଏକ ଜଙ୍ଗଲରେ ପୁଲିସ୍ ଉଭୟଙ୍କର ଶବ ଜବତ କରିଥିଲା। ଏହି ଘଟଣାରେ ଛତିଶଗଡ଼ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ତତ୍କାଳୀନ ସ୍ଥାନୀୟ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ବି ଏହି ଘଟଣାରେ ଅନୁପ କୁମାର ସାଏ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ତାଙ୍କର ଗିରଫ ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ, ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ କଂଗ୍ରେସ ଦଳ ଛାଡ଼ି ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ । ସେ ଗତ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାସ୍ତ ହୋଇଥିଲେ।