ଓଡ଼ିଶା କ୍ୟାନ୍‌ସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ : ହାତପାଆନ୍ତାରେ ମିଳିବ ଚିକିତ୍ସା

୫ ବର୍ଷରେ ସରିବ କାମ, ଖର୍ଚ୍ଚ ହେବ ୮୦୦ କୋଟି, ରାଜ୍ୟରେ ଖୋଲିବ ୧୫ଟି କ୍ୟାନସର ‌କେୟାର ସେଣ୍ଟର

ଭୁବନେଶ୍ବର : କ୍ୟାନସର୍‌ର ଚିକିତ୍ସା ମୁମ୍ବାଇରେ କରିବା ପାଇଁ ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସହାୟତା ପାଇଁ ଆସୁଥିଲେ। ଏଣିକି ସେମାନଙ୍କୁ ଆଉ ସହାୟତା ମାଗିବାକୁ ପଡ଼ିବନି। ଓଡ଼ିଶାରେ ପ୍ରତିଷ୍ଠା ହେବ କ୍ୟାନ୍‌ସର ହସ୍ପିଟାଲ। ଆପଣମା‌ନେ ଖୁସି ତ? ମୁଁ ବି ଖୁସି। ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ୍‌ର ସହଭାଗିତାରେ କଟକ ଜିଲ୍ଲା ବାରଙ୍ଗସ୍ଥିତ ରତାଗଡ଼ଠାରେ ଓଡ଼ିଶା କ୍ୟାନ୍‌ସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ଏଭଳି ଢଙ୍ଗରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଓଡ଼ିଶାର କୋଟି କୋଟି ଲୋକଙ୍କ ପାଇଁ ଏହି ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲ ଓ ଆଇଜିଏଚ୍‌ ରାଉରକେଲାରେ କ୍ୟାନ୍‌ସର କେମୋଥେରାପି ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଛି। ସମସ୍ତ କେନ୍ଦ୍ରକୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ସହ ସଂଯୋଗ କରାଯାଇଛି। ପ୍ରତିଷ୍ଠା ହେବାକୁ ଥିବା ହସ୍ପିଟାଲ ପାଇଁ ୨୦୧୮ ମେ’ ମାସରେ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ୍‌ ମଧ୍ୟରେ ରାଜିନାମା ହୋଇଥିଲା। ହସ୍ପିଟାଲ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ୧୫ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି। ଏହି ହସ୍ପିଟାଲ ନେଟୱାର୍କ ଅଧୀନ‌ରେ ରାଜ୍ୟରେ ଆଉ ୧୫ଟି କ୍ୟାନସର କେୟାର ସେଣ୍ଟର ପ୍ରତିଷ୍ଠା ହେବ ବୋଲି ସେ ସୂଚନା ଦେଇଥିଲେ।

ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟା ଯୋଗଦେଇ କହିଲେ, କ୍ୟାନସର୍‌ ଧନୀ କି ଗରିବ ଦେଖେ ନାହିଁ। କୌଣସି ବି ବ୍ୟକ୍ତି ଯେକୌଣସି ମୁହୂର୍ତ୍ତ ଓ ସମୟରେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ରୋଗ ମୃତ୍ୟୁମୁଖକୁ ଟାଣି ନେଇପାରେ। ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ବାରା ପ୍ରାରମ୍ଭିକସ୍ତରରେ କ୍ୟାନସର ରୋଗକୁ ଚିହ୍ନଟ କରାଯାଇପାରିବ। ଫଳରେ ଲକ୍ଷଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇପାରିବ। ଟାଟା ଟ୍ରଷ୍ଟ୍‌ ସବୁବେଳେ ଓଡ଼ିଶା ସରକାରଙ୍କ ସହ ରହିଛି। ଏଭଳି ଏକ କାର୍ଯ୍ୟ ପାଇଁ ଟାଟା ଟ୍ରଷ୍ଟ ଉପରେ ବିଶ୍ବାସ ଓ ଭରସା ରଖିଥିବାରୁ ଶ୍ରୀ ଟାଟା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ କ୍ୟାନସର ଚିକିତ୍ସା ପାଇଁ ଆଉ ଓଡ଼ିଶା ବାହାକୁ ଯିବାକୁ ପଡ଼ିବନି। ଏହି ହସ୍ପିଟାଲ ନିର୍ମାଣ ହେବା ପରେ କ୍ୟାନସର୍‌ର ସବୁ ପ୍ରକାର ଚିକିତ୍ସା ଏଠାରେ ଉପଲବ୍ଧ ହେବ। ହସ୍ପିଟାଲ ପାଇଁ ପ୍ରଥମ ପର୍ଯ୍ୟାୟରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାନସର ଚିକିତ୍ସା ସହ ଗବେଷଣା, ପିଜି ପାଠ୍ୟକ୍ରମ, ତାଲିମ୍‌ କେନ୍ଦ୍ର ବି ଖୋଲିବ। ଏହି ହସ୍ପିଟାଲକୁ ସଂଯୋଗ କରି ରାଜ୍ୟର ଆଉ ୧୩ଟି ଜିଲ୍ଲାରେ କ୍ୟାନସର୍‌ ଚିକିତ୍ସା କେନ୍ଦ୍ର ରହିବ। ଏହାକୁ ଦେଶର ସର୍ବବୃହତ୍‌ କ୍ୟାନସର ହସ୍ପିଟାଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପର ଭିତ୍ତିଭୂମି ପାଇଁ ରାଜ୍ୟ ସରକାର ପ୍ରାୟ ୫୦୦ କୋଟି ଟଙ୍କା ଏବେ ଖର୍ଚ୍ଚ କରିବେ। ୫ବର୍ଷ ଭିତରେ ଆଉ ୩୦୦ ‌କୋଟି ଖର୍ଚ୍ଚ କରାଯିବ। ଟାଟା ଟ୍ରଷ୍ଟ୍‌ ପକ୍ଷରୁ ବୈଷୟିକ ସହାୟତା ଯୋଗାଇ ଦିଆଯିବ। ହସ୍ପିଟାଲକୁ ୫୦୦ଶଯ୍ୟା‌ ବିଶିଷ୍ଟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଟାଟା ଷ୍ଟିଲ୍‌ର ସିଇଓ ଟି ଭି ନରେନ୍ଦ୍ରନ୍‌ କହିଲେ, ଓଡ଼ିଶା ସହ ଟାଟାର ସମ୍ପର୍କ ବହୁ ପୁରୁଣା। ଟାଟା ଷ୍ଟିଲ୍‌ରୁ ହିଁ ଏହି ସମ୍ପର୍କ‌ ଆରମ୍ଭ ହୋଇଛି। ଟାଟା ଷ୍ଟିଲ୍‌ର କଳିଙ୍ଗନଗର ପ୍ରକଳ୍ପ ଆରମ୍ଭ ହୋଇଛି। ଏବେ ଅନୁଗୁଳ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଟାଟା ଷ୍ଟିଲ୍‌ ପ୍ରାୟ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି। ଟାଟା ଗ୍ରୁପ୍‌ର ଟିସିଏସ୍‌ କମ୍ପାନି ଭୁବନେଶ୍ବରରେ କାର୍ଯ୍ୟ କରୁଛି। ଟାଟା ପ୍ରୋଜେକ୍ଟସ୍‌ ଓ ଟାଟା ପାୱାର ବି ଓଡ଼ିଶାରେ ରହିଛି। ଟାଟା ଗ୍ରୁପ୍‌ ଯେଉଁଠିକୁ ବି ଯାଉଛି ସ୍ଥାନୀୟ କମ୍ୟୁନିଟି ସହ ମିଶି କାମ ବିକାଶ ଧାରାକୁ ଆଗକୁ ନେଉଛି।

ସ୍ବାସ୍ଥ୍ୟ ବିଭାଗ ସଚିବ ପ୍ରମୋଦ ମେହେର୍ଦ୍ଦା ସ୍ବାଗତ ଭାଷଣ ଦେଇଥିବା ବେଳେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସମେତ ଟାଟା ଗ୍ରୁପ୍‌ର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର