ପାର୍ଲାମେଣ୍ଟ ଘେରାଉରେ ଯୋଗଦେଲେ ଓଡ଼ିଶା କଂଗ୍ରେସର ଶତାଧିକ ଚାଷୀ

ତିତଲି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ଦାବି

ଭୁବନେଶ୍ବର : କେନ୍ଦ୍ର ବିଜେପି ସରକାର ୨୦୧୪ ସାଧାରଣ ନିର୍ବାଚନରେ ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ଏହାର ପ୍ରତିବାଦରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ରାଷ୍ଟ୍ରୀୟ କିଷାନ କ୍ଷେତ ମଜଦୁର କ˚ଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେଙ୍କ ନେତୃତ୍ବରେ ଗତ ୨୩ ତାରିଖରେ ପାର୍ଲାମେଣ୍ଟ ଘେରାଉ ଓ ବିଶାଳ କିଷାନ ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କ˚ଗ୍ରେସ କମିଟି କିଷାନ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟର ଶତାଧିକ ‌ଚାଷୀ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ବାତ୍ୟା ତିତଲି ଏବଂ ତଦ୍‌ଜନିତ ବର୍ଷା, ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପରିବାରଙ୍କୁ କେନ୍ଦ୍ର ସରକାର ୧୦ ଲକ୍ଷ ଟଙ୍କାର ସହାୟତା ଦେବା ସହିତ ଅନ୍ୟାନ୍ୟ ଦାବି ଉପସ୍ଥାପନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କ˚ଗ୍ରେସ କମିଟି ସାଧାରଣ ସମ୍ପାଦକ ମୁକୁଲ ୱାସିନ୍‌, ଉତ୍ତରାଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ୍‌ ରାୱତ, କଂଗ୍ରେସ ମୁଖପାତ୍ର ରନଦୀପ ସି˚ହ ସୁରଜୱାଲା, ଉତ୍ତର ପ୍ରଦେଶ ପିସିସି ସଭାପତି ରାଜ ବବ୍ବର, ନାରୀ ନେତ୍ରୀ କିରଣ ଚୌଧୁରୀ, ଯୁବ କ˚ଗ୍ରେସ ସଭାପତି କେଶବ ଚନ୍ଦ୍ର ଯାଦବ ପ୍ରମୁଖ ବହୁ କେନ୍ଦ୍ରୀୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଶାସନ ବିରୁଦ୍ଧରେ ପ୍ରତିବାଦ କରିଥିଲେ। ଏହି ଘେରାଉ କାର୍ଯ୍ୟକ୍ରମରେ ଶ୍ରୀ ମୋଦୀଙ୍କୁ ସାଢେ଼ ଚାରିବର୍ଷରେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ତା’ର ଜବାବ ମଗାଯାଇଥିଲା।

ଓଡ଼ିଶା କଂଗ୍ରେସ କୃଷକ ସେଲ୍‌ ପକ୍ଷରୁ କୃଷିଋଣ ଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କାକୁ ବୃଦ୍ଧି, ସ୍ବତନ୍ତ୍ର କୃଷି ପ୍ୟାକେଜ ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ପ୍ରଚଳିତ କୃଷି ସହାୟତା ରାଶିର ୩ ଗୁଣ ବୃଦ୍ଧି ଓ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କାର୍ଯ୍ୟକାରିତା ପାଇଁ ଦୃଢ଼ ଦାବି କରାଯାଇଥିଲା। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ତି ଜିଲ୍ଲା କ˚ଗ୍ରେସ କୃଷକ ସେଲର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାକୁଡ଼, ନିତ୍ୟାନନ୍ଦ ପଣ୍ତା, ସଦାନନ୍ଦ ଓଝା, ନିମାଇଁ ଚରଣ ଜେନା, ରାମ ନାରାୟଣ ବିଶ୍ବାସରାୟ, କାର୍ତିକ ଚନ୍ଦ୍ର ଦାସ, ପଦ୍ମଚରଣ ସାହୁ ପ୍ରମୁଖ ଶତାଧିକ ଚାଷୀ ଅ˚ଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର