କରୋନା ରୋକିବାକୁ ପଦକ୍ଷେପ : ଆଦିବାସୀ ଗାଁରେ ଅଜଣା ଲୋକେ ପଶିବା ମନା, ରାସ୍ତାରେ ବାଡ଼

ନୂଆଗାଁ : କରୋନା ଭୂତାଣୁକୁ ସଂକ୍ରମଣକୁ ରୋକିବା ଦିଗରେ ବିଳମ୍ବରେ ହେଲେ ମଧ୍ୟ ନୂଆଗାଁ ବ୍ଲକ୍‌ର କେତେକ ଆଦିବାସୀ ଗାଁରେ ଏହାକୁ ରୋକିବାକୁ ପଦକ୍ଷେପ ଦିଆଯାଇଛି। ଗାଁରେ ବୈଠକ ବସି ଅଜଣା ବ୍ୟକ୍ତିକୁ ଗାଁରେ ପଶିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଗାଁ’ ଲୋକେ ବାହାରକୁ ଆସିଲେ ସାବୁନ୍ ଏବଂ ହାଣ୍ତଓ୍ୟାସ୍‌ରେ ହାତ ଧୋଇବାକୁ ହେବ ବୋଲି ସମସ୍ତ ଗ୍ରାମବାସୀଙ୍କୁ ଶୁଣାଇ ଦିଆଯାଇଛି। ଏଭଳି ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ସମସ୍ତେ ସଚେତନ ହେଲେ କରୋନା ମାହାମାରୀରୁ ମୁକ୍ତି ମିଳିବ ବୋଲି କହିଛନ୍ତି।

କାପ୍ତାପଲ୍ଲୀ ପଞ୍ଚାୟତ ଫାମ୍ପୁଣୀ ଗାଁକୁ ଚାରିପଟୁ ଜଙ୍ଗଲ ଘେରି ରହିଛି। ଗାଁଟି ଗଂଜାମ ଜିଲ୍ଲା ସୀମାନ୍ତରେ ଥିବାରୁ ତାଙ୍କ ପାଖରେ କେବେ କୌଣସି ସୂଚନା ପହଞ୍ଚି ନଥାଏ। ଗାଁର ଅଙ୍ଗନବାଡ଼ି କର୍ମୀ କିଛିଦିନ ତଳେ ମହାମାରୀ କରୋନା ସଂପର୍କରେ ଲୋକଙ୍କୁ କହିଥିଲେ ମଧ୍ୟ କେହି ବିଶ୍ବାସକୁ ଆଣିନଥିଲେ। ଗତକାଲି ଏହି ରୋଗରେ ଆକ୍ରାନ୍ତ ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ଖବର ଟେଲିଭିଜନରେ ଦେଖିବା ପରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସଭାପତି ଗାଁ’ରେ ବୈଠକ ବସାଇ କୌଣସି ଅଜଣା ବ୍ୟକ୍ତି ଗାଁ ଭିତରକୁ ଚଳପ୍ରଚଳ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ସକାଳୁ ଗାଁର ପୁରୁଷ ଓ ମହିଳାମାନେ ଗାଁ ରାସ୍ତାରେ ବାଡ଼ା ପକାଇବା ସହିତ ଗାଁ ଭିତରକୁ ଯିବାକୁ ପଡ଼ିଲେ ସାବୁନ୍ ଓ ହାଣ୍ତଓ୍ୟାସ୍‌ରେ ହାତ ଧୋଇବାକୁ ପଡ଼ିବ ବୋଲି କହିଥିଲେ। ସେହି ବାଉଁଶ ବାଡ଼ାରେ ସାବୁନ୍, ହାଣ୍ତଓ୍ୟାସ୍‌ ଏବଂ ପାଣି ବାଲ୍‌ତି ରଖାଯାଇଥିବା ଦେଖିବାକୁ ମିଳିଛି। କରୋନା ରୋଗ ସଂପର୍କରେ ଗ୍ରାମବାସୀମାନେ ସଚେତନ ନଥିଲେ ମଧ୍ୟ ଜାଣିବା ପରେ ସେମାନଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି। ସେହିପରି ଉଦୟପୁର ପଂଚାୟତର ଚଢେଇମରା, ନୂଆଗାଁର ଆମ୍ବଝରୀ, ମାଳିସାହି ପଞ୍ଚାୟତର ହୀରାଦେଇପୁର ଓ ଦେଉଳି ଆଦି ଗ୍ରାମରେ କରୋନା ଭୂତାଣୁରୁ ମୁକ୍ତି ପାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର