ମନ୍ତ୍ରୀ ପରିଷଦ ବୈଠକରେ ବଜେଟକୁ ଅନୁମୋଦନ : ୧ ଲକ୍ଷ ୩୨ ହଜାର ୬୬୦ କୋଟି ବଜେଟ ଆକାର!

ଫୋକସରେ ଚାଷୀ, ଜଳସେଚନ, ପାନୀୟ ଜଳ ଓ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କଠୁ ଅନୁଦାନ ବାବଦରେ ୨୬ ହଜାର କୋଟି ହରାଇଲେ ବି ରାଜ୍ୟର ବିକାଶ ପାଇଁ ନିର୍ବାଚନୀ ବର୍ଷରେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଚିଠାପ୍ରସ୍ତାବକୁ ମିଳିଛି ଅନୁମୋଦନ। ଦୁଇଦିନ ତଳେ କେନ୍ଦ୍ର ବଜେଟରେ ଓଡ଼ିଶାକୁ ମିଳିଥିବା ବିଭିନ୍ନ ଯୋଜନା ବାବଦ ବ୍ୟୟବରାଦକୁ ଦେଖି ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷର ମୂଳ ବଜେଟଠାରୁ ଏଥରକ ବଜେଟରେ ୧୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଶ୍ବସ୍ତ ସୁତ୍ରରୁ ଜଣାପଡ଼ିଛି ଯେ କୃଷି, ଜଳସେଚନ, ପାନୀୟ ଜଳ, ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଓ ପ୍ରାକୃତିକ ଦୁର୍ବିପାକକୁ ଗୁରୁତ୍ବ ଦେଇ ବଜେଟରେ ଅଧିକ ବ୍ୟୟ ବରାଦ କରାଯାଇଛି। କୃଷି ଓ ସାଧାରଣ ବଜେଟ ମିଶି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବଜେଟ ଆଣିବେ ସରକାର। ଆସନ୍ତା ୭ ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ବଜେଟ ଗୃହରେ ଉପସ୍ଥାପନ କରିବେ। ଚଳିତବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ୪ ମାସ ପାଇଁ ଲେଖାନୁଦାନ ବିଧାନସଭାରେ ସରକାର ପାରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଲେଖାନୁଦାନ ବାବଦରେ ପାଖାପାଖି ୫୨ ହଜାର କୋଟି ଟଙ୍କାର ଖର୍ଚ୍ଚଦାବି ଗୃହରେ ପାରିତ କରିବେ।

୨୦୧୮-୧୯ ଆର୍ଥିକ ବର୍ଷର ମୂଳ ବଜେଟର ଆକାର ଥିଲା ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା। ଅତିରିକ୍ତ ବଜେଟର ଆକାର ଥିଲା ୧୨ ହଜାର ୭୯୦ କୋଟି ଟଙ୍କା। ବିଗତ ଦିନରେ ଚାଷୀଙ୍କ ସହାୟତା ପାଇଁ କାଳିଆ ଯୋଜନା, ପିଠା, ସାର୍ବଜନୀନ ସ୍ବାସ୍ଥ୍ୟସେବା, ସାମାଜିକ ନିରାପତ୍ତା ଯୋଜନାରେ ପେନସନ ରାଶିକୁ ସରକାର ବୃଦ୍ଧି କରିଛନ୍ତି। ଏହାସହିତ ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ବୃଦ୍ଧି ବାବଦରେ ଅର୍ଥ ବ୍ୟୟବରାଦ କରିବା ସହ ସରକାର ଏଥରକ ଲେଖାନୁଦାନରେ ସାଧାରଣ ନିର୍ବାଚନ ଖର୍ଚ୍ଚ ବାବଦରେ ବ୍ୟୟବରାଦ କରିବେ।

ସମ୍ବନ୍ଧିତ ଖବର