ଭଇଁଷାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦମ୍ପତି ମୃତ, ୭ ଗୁରୁତର 

ମୃତକଙ୍କ ପୁଅ ସମେତ ୨ ବୁର୍ଲା ସ୍ଥାନାନ୍ତର

ପାଟଣାଗଡ଼ : ବଲାଙ୍ଗୀର- ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଭଇଁଷା କଲେଜ ଛକ ନିକଟ ବୁଲାଣିଠାରେ ଗୁରୁବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବଲେରୋ ପିକ୍‌ଅପ୍‌ ଭ୍ୟାନ୍‌ ଓ ବାଇକ୍‌ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ବାଇକରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ଗୁରୁତର ମଧ୍ୟରେ ମୃତକଙ୍କ ପୁଅ ରହିଥିବା ବେଳେ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରା ଯାଇଛି।

ପାଟଣାଗଡ଼ ରାମଜୀଛକ ନିକଟ କୋଲପଡା ନିବାସୀ ବସୁ ବାଗଙ୍କ ଘରକୁ ତାଙ୍କ ଝିଅ ମମତା ବାଗ(୨୮), ଜ୍ୱାଇଁ ଦେବୁରାମ ବାଗ(୩୦), ନାତି ଗିରୀଶ ବାଗ(୬) ଆସିଥିଲେ। ଅପରାହ୍‌ଣରେ ସେମାନେ ଏକ ବାଇକ୍‌ (ଓଆର ୦୩ ବି ୮୧୦୩)ରେ ଚନ୍ଦନଭାଟିକୁ ଫେରୁଥିଲେ। ଭଇଁଷା କଲେଜ ଛକ ନିକଟ ବୁଲାଣିରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବୋଲେରୋ ପିକ୍‌ଅପ୍‌ ଗାଡ଼ି (ଓଆର ୦୩ ଏଚ୍‌ ୭୯୦୨) ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍‌ ଓ ପିକ୍‌ଅପ୍‌ ରାସ୍ତା କଡ଼କୁ ଛିଟିକି ହୋଇ ପଡ଼ିଥିଲା। ଏଥିରେ ମମତା ଓ ଦେବୁରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗିରୀଶଙ୍କ ଗୋଡ଼ ଛିଣ୍ଡି ଯାଇଥିବା ଜଣାପଡ଼ିଛି।

ଖବର ପାଇ ଭଇଁଷା ଗ୍ରାମବାସୀ ଘଟଣାସ୍ଥଳକୁ ଆସି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ପରେ ଘଟଣାସ୍ଥଳରୁ ୨ଟି ମୃତ ଦେହ ଓ ସମସ୍ତ ୭ ଜଣ ଗୁରୁତରଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିଲା। ଗୁରୁତର ମାନଙ୍କ ମଧ୍ୟରେ ମୃତ ମମତା ଓ ଦେବୁଙ୍କ ପୁଅ ଗିରୀଶ (୬), ପିକ୍‌ଅପ୍‌ରେ ଥିବା ଶ୍ୟାମ ସୁନ୍ଦର ଧରୁଆ(୩୫), ମୁନୁ ମେହେର(୪୨) ଓ ତାଙ୍କ ବାପା ସମାରୁ ମେହେର(୬୦), ଅନୁ ମେହେର(୬୦) ଓ ଟୁକୁ ମେହେର(୬୨) ଏବଂ ପିକ୍‌ଅପ୍‌ ଗାଡି ଚାଳକ ରହିଥିବା ଜଣାପଡିଛି। ଅନୁ ଓ ଟୁକୁ ୨ ଭାଇ ବୋଲି ଜଣାପଡ଼ିଛି। ଗୁରୁତର ଥିବା ଗିରୀଶ ଓ ସମାରୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିଲା।  ତେବେ ପିକ୍‌ଅପ୍‌ ଗାଡ଼ିରେ ଆସୁଥିବା ଲୋକେ ଚୁଡାପାଲିକୁ ଆଳୁ ପିଆଜ ବିକ୍ରି କରିବା ପାଇଁ ଯାଇଥିଲେ। ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର