ଏମ୍ସରେ ମହିମା ମିଶ୍ରଙ୍କ ଚିକିତ୍ସା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ

କଟକ : ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଚିକିତ୍ସା ଭୁବନେଶ୍ୱରସ୍ଥିତ ଏମ୍ସରେ କରିବା ପାଇଁ କଟକ ସଦର ଏସଡିଜେଏମ୍‌ ଅଦାଲତ ଅନୁମତି ଦେଇଛନ୍ତି। ଉପଯୁକ୍ତ ଚିକିତ୍ସା ପାଇଁ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ଚୌଦ୍ୱାର ଜେଲ ଅଧୀକ୍ଷକଙ୍କୁ ଏସଡିଜେଏମ୍‌ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କୁ ଏମ୍ସରେ ଭର୍ତ୍ତି କରିବା ପରେ ଏ ସଂପର୍କରେ ଜେଲ ଅଧୀକ୍ଷକ ଅଦାଲତଙ୍କୁ ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ଚୌଦ୍ୱାର ଜେଲରେ ଥିବା ଶ୍ରୀ ମିଶ୍ରଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ତାଙ୍କୁ ବିଭିନ୍ନ ସମୟରେ ଜେଲ ହସ୍ପିଟାଲ ଓ ଅନ୍ୟ ସ୍ଥାନରେ ଚିକିତ୍ସା କରାଯାଉଥିଲା। ସର୍ଭିକାଲ ସ୍ପଣ୍ଡିଲାଇଟିସ୍‌ ଓ ମେରୁଦଣ୍ଡ ସଂପର୍କିତ ରୋଗରେ ପୀଡିତ ଶ୍ରୀ ମିଶ୍ର ଏସ୍‌ଭି ନିରତାରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଡିସଚାର୍ଜ କରିବା ସମୟରେ ଏମ୍ସ କିମ୍ବା ଅନ୍ୟ କୌଣସି ଉଚ୍ଚତର ଚିକିତ୍ସା ସୁବିଧା ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ପ୍ରଦାନ କରିଥିଲେ। ଶ୍ରୀ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନଥିବା ବେଳେ ଜେଲ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ ବୋଲି ଜେଲ ଡାକ୍ତରଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ମେଡିକାଲ ବୋର୍ଡ ମଧ୍ୟ ତାଙ୍କର ଚିକିତ୍ସା କୌଣସି ସ୍ପେଶାଲିଟି ହସ୍ପିଟାଲରେ କରିବା ପାଇଁ ରିପୋର୍ଟରେ ପରାମର୍ଶ ଦେଇଥିଲେ। ଏପରି ପରିସ୍ଥିତି ସତ୍ୱେ ଶ୍ରୀ ମିଶ୍ରଙ୍କ ଚିକିତ୍ସା ଏମ୍ସରେ କରିବା ପାଇଁ ଅନୁମତି ମିଳି ନଥିଲା। ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୮, ମେ’ ୧୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ଶ୍ରୀ ମିଶ୍ରଙ୍କ ଚିକିତ୍ସା ପ୍ରସଂଗରେ ସାନି ଶୁଣାଣି କରି ନିଷ୍ପତ୍ତି ନେବାକୁ ଏସଡିଜେଏମ୍‌ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଶ୍ରୀ ମିଶ୍ରଙ୍କ ପକ୍ଷରୁ ସିଆରପିସିର ଧାରା ୫୫ରେ ଏକ ଆବେଦନ ଦାୟର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଥିବା ନଥିପତ୍ର ଓ ରିପୋର୍ଟ ଅଦାଲତରେ ଦାଖଲ କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର