ଅନୁସୂଚିତ ଜାତି ଜନଜାତି ମହିଳାଙ୍କ ଉପରେ ନିର୍ଯାତନା ବଢ଼ୁଛି, ଗଡ଼ୁଛି ୧୪ ହଜାର ମାମଲା : ୨୫୫ ମାମଲାରୁ ୨୩୪ରେ ଖସି ଯାଇଛନ୍ତି ଅଭିଯୁକ୍ତ
ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ଉପରେ ହିଂସା ବଢ଼ିବାରେ ଲାଗିଛି। ଗତ ୫ ବର୍ଷରେ ୧୧୯୨ ଜଣ ଅନୁସୂଚିତ ଜାତି ଜନଜାତି ମହିଳା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୧୧୪୮ ମହିଳା ପାରିବାରିକ ଓ ପାରିପାର୍ଶ୍ବିକ ହିଂସାକାଣ୍ଡର ଶିକାର ହୋଇଛନ୍ତି। ଏହି ସମୟ ଅବଧି ମଧ୍ୟରେ ୧୪୭ଜଣଙ୍କୁ ହତ୍ୟା କରାଯାଇଛି। ଅନ୍ୟପଟେ ଦଣ୍ଡବିଧାନର ହାର ଅତି ନଗଣ୍ୟ ରହିଛି। ୨୦୧୨ ମସିହାରେ ଦଣ୍ଡହାର ମାତ୍ର ୧.୬ ପ୍ରତିଶତ ଥିବା ବେଳେ ୨୦୧୬ ମସିହାରୁ ଏହି ହାର ବଢ଼ି ୧୩ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ କୋର୍ଟରେ ୨୦୧୫ରୁ ୨୦୧୯ ମଧ୍ୟରେ ୫ ବର୍ଷରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ଉପରେ ହୋଇଥିବା ୨୫୫ଟି ହିଂସା ମାମଲାର ବିଚାର ହୋଇଛି। ୨୩୪ ମାମଲାରେ ଅଭିଯୁକ୍ତ ଖସି ଯାଇଥିବା ବେେଳ ମାତ୍ର ୨୧ ଜଣଙ୍କୁ ଦଣ୍ଡ ହୋଇଛି। ଏହି ବର୍ଗର ଅଭିଯୋଗକାରୀ ପୁଲିସର କୋହଳ ତଦନ୍ତକୁ ଦାୟୀ କରୁଥିବା ବେଳେ ଅନେକ ମାମଲା ମିଥ୍ୟା ଅଭିଯୋଗ ଉପରେ ପର୍ଯ୍ୟବସିତ ହେଉଥିବାରୁ ଦଣ୍ଡ ବିଧାନ ହୋଇପାରୁନଥିବା ପୁଲିସ ପାଲଟା ଅଭିଯୋଗ କରିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସାଧାରଣତଃ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଥାନାରେ ବିଗତ ୫ ବର୍ଷରେ ମହିଳାଙ୍କ ଉପରେ ହିଂସା ଅଭିଯୋଗକୁ ନେଇ ପ୍ରାୟ ୯୫ ହଜାର ମାମଲା ମାମଲା ରୁଜୁ ହୋଇଛି। କ୍ରମାଗତ ଭାବରେ ଏହି ସଂଖ୍ୟା ବଢ଼ୁଛି। ସେହିଭଳି ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ହିଂସା ମାମଲାରେ ଓଡ଼ିଶା ଦେଶରେ ୩ ନମ୍ବରରେ ରହିଛି। ମଧ୍ୟପ୍ରଦେଶ ୧ ନମ୍ବରରେ ଥିବା ବେଳେ ରାଜସ୍ଥାନ ୨ ନମ୍ବରରେ ରହିଛି। ଅନୁସୂଚିତ ଜାତି ମହିଳାଙ୍କ ଉପରେ ହିଂସା ମାମଲାରେ ଓଡ଼ିଶା ଭାରତବର୍ଷରେ ୭ ନମ୍ବରରେ ରହିଛି। ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ପ୍ରଭୃତି ଓଡ଼ିଶା ଠାରୁ ଆଗରେ ରହିଛନ୍ତି।
ଏହି ବର୍ଗର ମହିଳାଙ୍କ ଉପରେ ହେଉଥିବା ହିଂସା ମାମଲାର ଦଣ୍ଡହାରରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ରହିଛି। ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ଉପରେ ହେଉଥିବା ହିଂସା ମାମଲାରେ ୨୦୧୮ ମସିହାରେ ଦଣ୍ଡ ହାର ୩ ପ୍ରତିଶତ ରହିଛି। ୫୫ ପ୍ରତିଶତ ଦଣ୍ଡ ହାରରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଥିବା ବେଳେ ୪୩.୬ ପ୍ରତିଶତ ଦଣ୍ଡହାର ଥିବା ରାଜ୍ୟ ରାଜସ୍ଥାନ ଦୁଇ ନମ୍ବରରେ ରହିଛି। ସେହିଭଳି ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ କ୍ଷେତ୍ରରେ ଓଡ଼ିଶାରେ ଏହି ଦଣ୍ଡ ହାର ୫.୧ ପ୍ରତିଶତ ରହିଛି। ଶହେ ପ୍ରତିଶତ ଦଣ୍ଡହାର ଥିବା ରାଜ୍ୟ ସିକିମ୍ ତାଲିକାର ଶୀର୍ଷରେ ରହିଥିବା ବେଳେ ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ୫୦ ପ୍ରତିଶତ ଲେଖାଏ ଦଣ୍ଡହାରରେ ଦୁଇ ନମ୍ବରରେ ରହିଛନ୍ତି।