ଝିଅର ଶବ ଧରି ରାସ୍ତାରେ ୪ ଘଣ୍ଟା ପଡ଼ି ରହିଲେ ବାପା-ମା’

ଗେଟ୍‌ ଖୋଲିଲେନି ଶ୍ମଶାନ କର୍ମଚାରୀ

କଟକ-ସିଡିଏ : କଟକ ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଟକ ମହାନଗର ନିଗମ ଦ୍ୱାରା ପରିଚାଳିତ ଶ୍ମଶାନର କର୍ମଚାରୀଙ୍କର ମାନବିକତାହୀନ କାର୍ଯ୍ୟ ଯୋଗୁଁ ଝିଅର ମୃତଦେହକୁ ଧରି ବାପା-ମା’ ଚାରି ଘଣ୍ଟାରୁ ଅଧିକ ସମୟ ରାସ୍ତାରେ ଛିଡ଼ା ହୋଇ ରହିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଖାନନଗର ଶ୍ମଶାନର କର୍ମଚାରୀ ଅସହାୟ ବାପା-ମା’ଙ୍କୁ ଗେଟ୍‌ ଖୋଲି ନଥିଲେ। ଫଳରେ ଝିଅର ମୃତଦେହକୁ ଧରି ରାସ୍ତା ଉପରେ ପାଖାପାଖି ଚାରି ଘଣ୍ଟା ବିତାଇବା ପରେ ବାପା-ମା’ ବାଧ୍ୟ ହୋଇ ଯାଇଥିଲେ ସିଏମ୍‌ସିର ବିକାଶ ଭବନ କାର୍ଯ୍ୟାଳୟକୁ। କିନ୍ତୁ ସେଠାରେ ବି ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ଏଭଳି ସ୍ଥିତିରେ ଖାନନଗରସ୍ଥିତ ସାଇ ମନ୍ଦିରର କିଛି ସ୍ୱେଚ୍ଛାସେବୀ ଘଟଣାରେ ହସ୍ତକ୍ଷେପ କରିବା ପରେ ଶବଦାହ ସମ୍ଭବ ହୋଇଥିଲା।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦକ୍ଷିଣ କୋରୁଆ ଗ୍ରାମର ଗୋବିନ୍ଦ ଚନ୍ଦ୍ର କରଙ୍କ ଝିଅ ପୁଷ୍ପାଞ୍ଜଳି କର ଗତ ୧୦ ତାରିଖରେ ସ୍ଥାନୀୟ ଆମ୍ବଗଡ଼ିଆ ପଞ୍ଚାୟତ ଏରଣ୍ଡୁଆ ଗ୍ରାମର ବସନ୍ତ ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ପୁଷ୍ପାଞ୍ଜଳି ଘରେ କାହାକୁ କିଛି ନକହି ବସନ୍ତଙ୍କ ସହିତ ଘରୁ ଲୁଚି ପଳାଇଥିଲେ। ଗୋବିନ୍ଦ ଓ ତାଙ୍କର ଦୁଇ ପୁଅ କଲିକତାରେ କାମ କରୁଥିବାବେଳେ ଘରେ ମା’ଙ୍କ ସହିତ ପୁଷ୍ପାଞ୍ଜଳି ରହୁଥିଲେ। ହେଲେ ଝିଅ ଘରୁ ଚାଲିଯିବା ପରେ ମା’ ଅନେକ ସମୟ ପର୍ଯ୍ୟନ୍ତ ତାକୁ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ। ତେବେ ପୁଷ୍ପାଞ୍ଜଳି ପ୍ରେମ ବିବାହ କରି ଚାଲିଯାଇଥିବା ବିଷୟରେ ପରବର୍ତ୍ତୀ ସମୟରେ ତାଙ୍କ ମା’ ଜାଣିବାକୁ ପାଇଥିଲେ। ଏ ବିଷୟରେ ଗୋବିନ୍ଦଙ୍କୁ ଖବର ଦିଆଯିବା ପରେ ଝିଅର ସନ୍ଧାନ ନେବାକୁ ସେ ଭଦ୍ରକ ଆସିଥିଲେ।

ଘରୁ ଯିବାର ଠିକ୍‌ ୯ଦିନ ପରେ ପୁଷ୍ପାଞ୍ଜଳିଙ୍କୁ ମାରିବାକୁ ଉଦ୍ୟମ କରାଯାଇଥିବା ଖବର ମିଳିଥିଲା। ବସନ୍ତ କିରାସିନି ଢାଳି ପୁଷ୍ପାଞ୍ଜଳିଙ୍କୁ ମାରିବାକୁ ଉଦ୍ୟମ କରିଥିବା ପଡୋଶୀମାନେ ଗୋବିନ୍ଦଙ୍କୁ ଖବର ଦେଇଥିଲେ। ପରେ ପୁଲିସ୍‌ ବସନ୍ତଙ୍କୁ ଗିରଫ ମଧ୍ୟ କରିଥିଲା। ଗୁରୁତର ଅବସ୍ଥାରେ ପୁଷ୍ପାଞ୍ଜଳିଙ୍କୁ କଟକ ବଡ଼ ମେଡିକାଲ୍‌କୁ ଅଣାଯାଇଥିଲା। ଗତ ୧୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପାଞ୍ଜଳିଙ୍କର ମୃତ୍ୟୁ ହୋଇଥିଲା। ପୁଷ୍ପାଞ୍ଜଳିଙ୍କ ବାପା-ମା’ କଟକ ବଡ ମେଡିକାଲରେ ପହଞ୍ଚିଲା ବେଳକୁ ଶାଶୂଘର ଲୋକେ ମେଡିକାଲ୍‌ରୁ ଫେରାର୍‌ ହୋଇଯାଇଥିଲେ। ଫଳରେ ବାପା-ମା’ ଝିଅର ସତ୍କାର କରିବାକୁ ଖାନନଗର ଶ୍ମଶାନକୁ ନେଇଥିଲେ। ମୃତଦେହ ନେଇ ସେମାନେ ଦିନ ପ୍ରାୟ ୩ଟାରେ ଖାନନଗର ଶ୍ମଶାନ ନିକଟରେ ପହଞ୍ଚିଥିଲେ। ହେଲେ ଶ୍ମଶାନ ଗେଟ୍‌ ଭିତର ପଟୁ ତାଲା ପଡ଼ିଥିଲା। ଭିତରେ ଦୁଇ ଜଣ କର୍ମଚାରୀ ଥିଲେ ବି ସେମାନେ ଗେଟ୍‌ ଖୋଲିନଥିଲେ। ସେମାନଙ୍କର ଡ୍ୟୁଟି ନାହିଁ। ଡ୍ୟୁଟିରେ ଥିବା କର୍ମଚାରୀ ସଂଧ୍ୟା ୭ଟା ପରେ ଆସିବେ। ସେତେବେଳେ ଯାଇ ଶବ ସତ୍କାର ହେବ ବୋଲି ଭିତରେ ଥିବା କର୍ମଚାରୀ ସେମାନଙ୍କୁ କହିଥିଲେ ଏବଂ ଗେଟ୍‌ ଖୋଲି ନଥିଲେ।

ଏଭଳି ସ୍ଥିତିରେ ଅସହାୟ ବାପା-ମା’ ଝିଅର ଶବକୁ ରାସ୍ତା ଉପରେ ରଖି ବାପା-ମା’ ଦୀର୍ଘ ସମୟ ବସି ରହିଥିଲେ। ସ୍ଥାନୀୟ କିଛି ଲୋକଙ୍କ ପରାମର୍ଶକ୍ରମେ ସେମାନେ ବିକାଶ ଭବନକୁ ଯାଇ ସିଏମ୍‌ସି ଅଧିକାରୀଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ହେଲେ ସେଠାରେ ମଧ୍ୟ କିଛି ଫଳ ମିଳି ନଥିଲା। ନିରାଶ ହୋଇ ସେମାନେ ଝିଅର ଶବ ପାଖରେ ବସି କାନ୍ଦୁଥିବାବେଳେ ସ୍ଥାନୀୟ ସାଇ ମନ୍ଦିରର କିଛି ସ୍ୱେଚ୍ଛାସେବୀ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ। ବାଦାମବାଡ଼ି ପୁଲିସ୍‌କୁ ଖବର ଦିଆଯିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସଂଧ୍ୟା ୭ଟା ବେଳକୁ ଶବ ଦାହ କରିବାକୁ ପଦକ୍ଷେପ ନେଇଥିଲା। ଏ ସଂପର୍କରେ ସିଏମ୍‌ସି କମିସନର ବିକାଶ ମହାପାତ୍ର କହିଛନ୍ତି ଯେ ଏ ଯାଏ ସେ ଘଟଣା ସଂପର୍କରେ ଅବଗତ ହୋଇ ନାହାନ୍ତି। ଏ ସଂପର୍କରେ ତଦନ୍ତ କରି ସେ ନିଶ୍ଚିତ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର