ଆଇସୋଲେସନ୍ ୱାର୍ଡ ଶୌଚାଳୟରୁ ମିଳିଲା ଯୁବକଙ୍କ ମୃତଦେହ
ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର, ପରୀକ୍ଷା ପାଇଁ ଯାଇଥିଲା ସ୍ବାବ୍
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ୍ ୱାର୍ଡରେ ଖୋର୍ଦ୍ଧା ସହରର ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତଦେହକୁ ଭୁବନେଶ୍ବର ଏମ୍ସକୁ ପଠାଯାଇଛି। କରୋନା ସଂକ୍ରମଣ ପରୀକ୍ଷା ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଖୋର୍ଦ୍ଧା ପୌରପାଳିକା କାର୍ଯ୍ୟାଳୟ ନିକଟ ବାସେଳିସାହିର ଅଶୋକ ସାହୁ (୩୫) ଜଟଣୀ ବ୍ଲକ୍ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ଗତ ୨୦ ତାରିଖରେ ତାଙ୍କୁ ଥଣ୍ତା, କାଶ, ଛିଙ୍କ ସହ ଜ୍ବର ହୋଇଥିଲା। ଏନେଇ ସେ ଔଷଧ ଖାଉଥିଲେ, ତେବେ କାହା ପରାମର୍ଶରେ ଏହି ଔଷଧ ଗ୍ରହଣ କରୁଥିଲେ ତାହା ଜଣାପଡ଼ିନାହିଁ। ତେବେ ତାଙ୍କର ଜ୍ବର, ଛିଙ୍କ କାଶ ନଛାଡ଼ିବାରୁ ୨୪ ତାରିଖ ସଂଧ୍ୟା ସାଢେ଼ ୭ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଔଷଧ ନେଇ ଘରକୁ ଫେରିଥିଲେ। ଛିଙ୍କ ଓ କାଶ ଥମିବା ପରିବର୍ତ୍ତେ ବୃଦ୍ଧି ପାଇଥିଲା। ଏଣୁ ପୁଣିଥରେ ୨୫ ତାରିଖରେ ତାଙ୍କ ଭାଇଙ୍କ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତାଙ୍କୁ କୋଭିଡ୧୯ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା। ଆଜି ସକାଳ ଆଇସୋଲେସନ ୱାର୍ଡର ଡାକ୍ତର ନିରୀକ୍ଷଣ ପାଇଁ ଆସିବା ବେଳେ ସେ ୱାର୍ଡରେ ନଥିବା ଓ ପ୍ରକୋଷ୍ଠର ଶୌଚାଳୟର କବାଟ ଭିତରପଟୁ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ।
ଏହା ପରେ କବାଟ ଭଙ୍ଗାଯାଇଥିଲା। ଶୌଚାଳୟରେ ତାଙ୍କର ମୃତ ଦେହ ପଡ଼ିଥିଲା। ଅଶୋକଙ୍କୁ କରୋନା ହୋଇନଥିଲେ ମଧ୍ୟ ତାଙ୍କୁ କରୋନା ୱାର୍ଡରେ ରଖାଯିବା ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଥିଲେ। ଏହାପରେ ଖୋର୍ଦ୍ଧା ଟାଉନ୍ ଥାନାର ଇନ୍ସପେକ୍ଟର ଆର୍ତତ୍ରାଣ ନନ୍ଦ ଓ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଅପରାହ୍ଣରେ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଜଣେ ଡାକ୍ତରଙ୍କ ସହ ଅଶୋକଙ୍କ ମୃତଦେହକୁ ଭୁବନେଶ୍ବର ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏନେଇ ଏଡିଏମ୍ଓ ଦ୍ବାରିକାନାଥ ଶତପଥୀ କହିଛନ୍ତି ଯେ ଯୁବକ ଜଣକଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା। ଆଜି ସ୍ବାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଥାନ୍ତା। କିନ୍ତୁ ସକାଳେ ମୃତଦେହକୁ ୱାର୍ଡର ଶୌଚାଳୟରୁ ଉଦ୍ଧାର କରାଯାଇଥିଲା। ମୃତ୍ୟୁ ହୃଦ୍ଘାତ ଜନିତ କିମ୍ବା ତଳେ ଗୋଡ଼ ଖସି ପଡ଼ିଯାଇଥିବାରୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।