ଭଦ୍ରକ ଦୁର୍ଘଟଣା: ଉଠିପାରୁ ନାହିଁ ମୃତଦେହ, ଦାବି ହେଉଛି ପ୍ରତି ପରିବାର ଲାଗି ୫୦ ଲକ୍ଷ ଟଙ୍କାର ଅନୁକମ୍ପା

ଭଦ୍ରକ: ରାଣୀତାଲ ହାଇସ୍କୁଲର ୫ ଜଣ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ଛାତ୍ରଛାତ୍ରୀଙ୍କ ମୃତଦେହକୁ ପୁଲିସକୁ ଛୁଇଁବାକୁ ଦେଉ ନାହାନ୍ତି। ସେମାନଙ୍କର ଦାବି ଯେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦିଆଯାଉ। ସେମାନେ ଘଟଣାସ୍ଥଳକୁ ପରିବହନ ମନ୍ତ୍ରୀ ଆସନ୍ତୁ ବୋଲି ଦାବି କରିଛନ୍ତି। ସେହିଭଳି ସ୍କୁଲକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ ନମ୍ବରରେ ଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି।

ପ୍ରାୟ ୫୦୦୦ରୁ ଅଧିକ ଲୋକ ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଅାଁ ଲଗାଇ ଦେବା ପରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି। ଫଳରେ ପ୍ରାୟ ୧୦ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ସେହିଭଳି ଭଦ୍ରକ ଜିଲ୍ଲାର ଚରମ୍ପା ଠାରୁ ରାଣୀତାଲ ଓ ରାଣୀତାଲ ଠାରୁ ମାଣିକା ପର୍ଯ୍ୟନ୍ତ ହଜାର ହଜାର ଗାଡ଼ି ଅଟକି ରହିଛି। ଫଳରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହନ୍ତସନ୍ତ ହେଉଛନ୍ତି। ଭଦ୍ରକ ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନିୟଣନ୍ତ୍ର ଆଣଇବାକୁ ଉଦ୍ୟମ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ରାଣୀତାଲ ହାଇ ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀ ଘରକୁ ଫେରୁଥିଲେ। ଏହି ସମୟରେ ରାହାଞ୍ଜ ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ୧୦ ଚକିଆ ଟ୍ରକ ରାସ୍ତା ପାର ହେଉଥିବା ପିଲାମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଓ ୫ ଜଣ ଗୁରୁତର ହୋଇଥିଲେ। ମୃତକ ମାନେ ହେଲେ ସତ୍ୟବ୍ରତ ବାରିକ, କଳ୍ପନା ଜେନା, କେତା ସାହୁ, ସୁକାନ୍ତ ସାହୁ ଓ ପ୍ରିୟମ୍ବଦା ମହାନ୍ତି ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଗୁରୁତର ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ୨ ଛାତ୍ରଛାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର