ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛତ୍ରପୁର : ଆସିକା ସବ୍‌-ଜେଲ୍‌ରେ ଜଣେ କଏଦୀଙ୍କ ଅଚାନକ ମୃତ୍ୟୁର ୨୪ ଘଣ୍ଟା ନପୂରୁଣୁ ଜିଲ୍ଲାର ସଦର ମହକୁମା ଛତ୍ରପୁର ଜେଲ୍‌ରେ ଆଜି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତେବେ, ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି ବନ୍ଦୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ମୃତ ବିଚାରାଧୀନ ବନ୍ଦୀ ହେଲେ ଶିବରାମ ପ୍ରଧାନ (୨୨ ବର୍ଷ)। ତାଙ୍କ ଘର ଦିଗପହଣ୍ଡି ଛଣମେରୀ ଗାଁ। ୨୦୧୭ ଅଗଷ୍ଟ ୨ ତାରିଖରେ ଶିବାରମ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଥିଲେ।

ଜେଲ୍‌ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ଶିବରାମ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ରକ୍ତ ବାନ୍ତି କରିଥିଲେ। ରାତି ୨ଟା ସମୟରେ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ବୋଲି ଛତ୍ରପୁର ଜେଲ୍‌ର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର କବି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଶିବରାମଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ। ତାଙ୍କୁ ହତ୍ୟା କରାଯାଇଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନାରେ ସେ ରାତିରେ ଗାଧୋଇବା ଘରେ ଖସି ପଡ଼ିଥିଲେ ଏବଂ ଏହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା।

ସମ୍ବନ୍ଧିତ ଖବର