ସରକାରୀ ଆଇଟିଆଇରେ ବଢ଼ୁଛନ୍ତି ପିଲା : ଛାତ୍ରୀଙ୍କ ଉପସ୍ଥାନ ଦୁଇଗୁଣ, ୪ ବର୍ଷରେ ହୋଇଛି ୧୨୦ ନିଯୁକ୍ତି ମେଳା

ଭୁବନେଶ୍ୱର : ରାଜ୍ୟରେ ଥିବା ଆଇଟିଆଇଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଛି। ୨୦୧୬-୧୭ ଶିକ୍ଷାବର୍ଷ ତୁଳନାରେ ୨୦୧୭-୧୮ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଛି। ସିଟ୍‌ ଖାଲି ପଡ଼ି ବନ୍ଦ ହେବାକୁ ବସିଥିବା ସରକାରୀ ଆଇଟିଆଇଗୁଡ଼ିକ ପ୍ରତି ମଧ୍ୟ ପିଲାଙ୍କ ଆଗ୍ରହ ବଢ଼ିଥିବା ଜଣାପଡ଼ିଛି। ଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଦୁଇଗୁଣ ବୃଦ୍ଧି ପାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

୨୦୧୬-୧୭ ଶିକ୍ଷାବର୍ଷରେ ସରକାରୀ ଆଇଟିଆଇଗୁଡ଼ିକରେ ୬୪ ପ୍ରତିଶତ ସିଟ୍‌ ପୂରଣ ହୋଇଥିଲା। ଆହୁରି ୩୬ ପ୍ରତିଶତ ସିଟ୍‌ ଖାଲି ରହିଥିଲା। କିନ୍ତୁ ୨୦୧୭-୧୮ ଶିକ୍ଷାବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟରେ ଥିବା ୩୦ରୁ ଅଧିକ ସରକାରୀ ଆଇଟିଆଇର ୮୪ ପ୍ରତିଶତ ସିଟ୍‌ ପୂରଣ ହୋଇଥିବା ନେଇ ଗତ ମେ’ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନେଇଥିବା ବୈଷୟିକ ଶିକ୍ଷା ବିଭାଗ ସମୀକ୍ଷା ବୈଠକରୁ ସୂଚନା ମିଳିଛି।

ସବୁଠାରୁ ଖୁସିର କଥା ହୋଉଛି ଯେ ଛାତ୍ରୀଙ୍କ ସଂଖ୍ୟା ଦୁଇଗୁଣ ହୋଇଛି। ଆଇଟିଆଇରେ ନାମଲେଖାଇବାକୁ ପୂର୍ବରୁ ଛାତ୍ରୀମାନେ ଅଗ୍ରହ ପ୍ରକାଶ କରୁ ନ ଥିଲେ। କିନ୍ତୁ ଏବେ ଆଇଟିଆଇ ପଢ଼ିବା ଲାଗି ଛାତ୍ରୀମାନେ ଅଗେଇ ଆସୁଛନ୍ତି। ନୂଆ ଟ୍ରେଡ୍‌ରେ ଶିକ୍ଷା ପ୍ରଦାନ ସାଙ୍ଗକୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଛାତ୍ରୀଙ୍କର ଏଭଳି ଆଗ୍ରହ ବଢ଼ିଥିବା ବୈଷୟିକ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ ସୁବିଧା ନ ଥିବାରୁ ଅନେକ ପିଲା ନାମ ଲେଖାଇ ପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଆଇଟିଆଇ, ପଲିଟେକ୍ନିକ୍ସ, ଇଞ୍ଜିନିୟରିଂ କଲେଜ ଓ ଏସ୍‌ଡିସିରେ ପ୍ରାଥମିକତା ଭିତ୍ତିରେ ହଷ୍ଟେଲ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ(ସିପିଇଜିପି) ମାଧ୍ୟମରେ ୨୦୧୭-୧୮ ଆର୍ଥିକ ବର୍ଷରେ ୨ ଲକ୍ଷ ୨୫ ହଜାର ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଛି। ୮ ଲକ୍ଷ ୫୦ ହଜାର ଯୁବପିଢ଼ିଙ୍କୁ ତାଲିମ ଦିଆଯିବା ନେଇ ନଜରରେ ରଖାଯାଇଛି। ଆସନ୍ତା ୨୦୧୮-୧୯ ଶିକ୍ଷାବର୍ଷରେ ୨ ଲକ୍ଷ ୫୦ ହଜାର ଯୁବପିଢ଼ିଙ୍କୁ ତାଲିମ ଦିଆଯିବ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଗତ ୪ ବର୍ଷରେ ୧୨୦ଟି ନିଯୁକ୍ତି ମେଳା କରାଯାଇଛି। ଏଥିରେ ୪୫ ହଜାର ୬୦୦ ଯୁବକ ଯୁବତୀଙ୍କୁ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଁ ନିଯୁକ୍ତିପତ୍ର ବଣ୍ଟନ ହୋଇଛି। ଆଗାମୀ ଦିନରେ ନିୟମିତ ବ୍ୟବଧାନରେ ଏଭଳି ନିଯୁକ୍ତି ମେଳା କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଗତ ୪ ବର୍ଷ ମଧ୍ୟରେ ସରକାରୀ ଆଇଟିଆଇ/ପଲିଟେକ୍‌ନିକ୍‌ରେ ୮୧୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଆଉ ୯୨୮ ଶିକ୍ଷକଙ୍କୁ ନିଯୁକ୍ତି ଦେବା ଦିଗରେ ପଦକ୍ଷେପ ହାତକୁ ନିଆଯାଉଛି। ବାକି ରହିଥିବା ସ୍କିଲ ଡେଭଲପ୍‌ମେଣ୍ଟ ସେଣ୍ଟର ଓ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଏକ୍ସଟେନ୍‌ସନ୍‌ ସେଣ୍ଟରଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର