ନୟାଗଡ଼ : ଅବହେଳିତ ଅବସ୍ଥାରେ ବିରୁଡ଼ା ଗ୍ରାମ ପଞ୍ଚାୟତର ବାଘେରା ଗ୍ରାମର ଧବଳେଶ୍ୱର ପାହାଡ଼ ଉପ‌ରେ ଥିବା ପ୍ରାଚୀନ ଶୈବ ପୀଠ

ନୟାଗଡ଼ : ଦେବାଦେବୀ ପୀଠ ତଥା ପ୍ରାକୃତିକ କୀର୍ତ୍ତିରାଜି ପାଇଁ ନୟାଗଡ଼ ଜିଲ୍ଲାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏଠାକୁ ରାଜ୍ୟର କୋଣଅନୁକୋଣରୁ ପର୍ଯ୍ୟଟକମା‌ନେ ମନଲୋଭା ଦୃଶ୍ୟ ଦେଖିବାକୁ ଧାଇଁ ଆସିଥାନ୍ତି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ବ୍ଲକ୍‌ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତର ବାଘେରା ଗ୍ରାମର ଧବଳେଶ୍ୱର ପାହାଡ଼ (ମୁଣ୍ଡିଆ ପାହାଡ଼) ଉପ‌ରେ ଶହ ଶହ ଫୁଟ୍ ଉପରେ ପ୍ରାଚୀନ ଶୈବ ପୀଠ ଧବଳେଶ୍ୱର ଅବହେଳିତ ଅବସ୍ଥାରେ ରହିଛି। ଜିଲ୍ଲା ସଦର ମହକୁମାଠାରୁ ମାତ୍ର ଦଶ, ବାର କିଲୋମିଟର ଦୂରତାରେ ଥିବା ଏକ ଐତିହ୍ୟସଂପନ୍ନ ପ୍ରାଚୀନ ମନ୍ଦିର ପ୍ରତି ସଭିଏଁ ଆଖିବୁଜି ଦେଇଛନ୍ତି।

ମନ୍ଦିରର ବଡ଼ପଣ୍ଡା ମାଗୁଣି ପଣ୍ଡା, ପରିଚାଳନା କମିଟି ସଦସ୍ୟ ପ୍ରଭାତ କୁମାର ମହାପାତ୍ରଙ୍କ କହିବା ମୁତାବକ, ଏହି ସୁପ୍ରାଚୀନ ମନ୍ଦିର ଜଣେ ବାବାଜିଙ୍କୁ ସ୍ୱପ୍ନାଦେଶ ପରେ ନୟାଗଡ଼ ରାଜା ନାରାୟଣ ପ୍ରସାଦ ସିଂହ ମାନ୍ଧାତାଙ୍କ ବାପା ନିର୍ମାଣ କରାଇଥିଲେ। ବଡ଼ପଣ୍ଡା କିଂବଦନ୍ତିକୁ ଉଦ୍ଧ‌ାର କରି କହିଛନ୍ତି, ପାହାଡ଼ର ସନ୍ନ୍ୟାସୀଙ୍କୁ ସ୍ୱପ୍ନାଦେଶ ହେବା ପରେ ସେ ମାନସିକ ରଖିଥି‌ଲେ, ଯଦି ଏଠାରେ ଭଗବାନ ପ୍ରକୃତରେ ରହୁଛନ୍ତି, ରାତି ପାହିଲା ବେଳକୁ ସମଗ୍ର ପାହାଡ଼ ଧଳା ରଙ୍ଗର ହୋଇଯାଉ ଏବଂ ‌ କେବଳ ଶୈବ ପୀଠଟି କଳା ରଙ୍ଗର ରହିଥାଉ। ଏ ନେଇ ରାଜାଙ୍କୁ ମଧ୍ୟ ଅବଗତ କରଯାଇଥିଲା। ବାସ୍ତବରେ ରାତି ପାହିଲା ବେଳକୁ ପାହଡ଼ଟି ସଂପୂର୍ଣ୍ଣ ଧଳା‌ ‌ହୋଇଯାଇଥିବା ଲୋକମୁଖରୁ ‌ଶୁଣାଯାଏ। ମାତ୍ର ଏହି ମନ୍ଦିର ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଅନେକ ଥର ରାଜ୍ୟ ଦେବୋତ୍ତର ବିଭାଗକୁ ଜଣାଯାଇଥିଲେ ମଧ୍ୟ କେହି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ମନ୍ଦିର ପୂଜକମାନେ କହିଛନ୍ତି।

ଶହ ଶହ ବର୍ଷର ଏହି ପୁରାତନ ମନ୍ଦିରର ସମସ୍ତ ନିର୍ମାଣ କାର୍ଯ୍ୟ ଗ୍ରାମବାସୀ ନିଜେ ଚାନ୍ଦା ଆଦାୟ କରି କରୁଛନ୍ତି। ପ୍ରତି ବର୍ଷ ଏଠାରେ କାର୍ତ୍ତିକ ପୂଣ୍ଣିମ‌ା ଅବସରରେ ମେଳା ହୋଇଥାଏ ତଥା ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ୪୧୧ ପାହାଚ ଅତିକ୍ରମ କରି ପାହାଡ଼ ଡେଇଁ ଯିଏ ଥରେ ବାଘେରା ଧବଳେଶ୍ବରଙ୍କ ଦର୍ଶନର ଅନୁଭବକୁ ସାଉଁଟିଛି, ବାରମ୍ବାର ସିଏ ଏଠାକୁ ଆସିବାକୁ ଇଚ୍ଛା ପ୍ରକାଶ କରିବ। କିନ୍ତୁ ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପ୍ରଶାସନ ଯଦି ଟ୍ରଷ୍ଟ ଗଠନ କରି ଏହାର ପରିଚଳାନା କରାନ୍ତା, ମନ୍ଦିରର ପ୍ରଚାର ପ୍ରସାର ହୋଇପାରନ୍ତା। ଠାକୁରଙ୍କ ଜମିରୁ ହେଉଥିବା ଆୟ ଓ ଗ୍ରାମବାସୀ ଚାନ୍ଦା ଆଦାୟ କରି ଏଠାରେ ଆଲୋକ, ବିଦ୍ୟୁତ୍‌ ଓ ନିର୍ମାଣ ଆଦି କାର୍ଯ୍ୟ କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର