ଚିଟ୍‌ଫଣ୍ଡ୍‌ କମିସନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ବର : ଚିଟ୍‌ଫଣ୍ଡ୍‌ କମିସନ୍‌ଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଚିଟ୍‌ଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ମିଛ ପ୍ରତିଶ୍ରୁତି ବୋଲି ପ୍ରମାଣିତ ହୋଇଛି। ଜଷ୍ଟିସ୍ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ଓଡ଼ିଶାର ଚିଟ୍‌ଫଣ୍ଡ୍‌ ମହାଦୁର୍ନୀତିର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥ ଫେରସ୍ତରେ ବିଳମ୍ବିତ ପ୍ରକ୍ରିୟା ଆହୁରି ବିଳମ୍ବିତ ହେବ। ଏହା ଚିନ୍ତାଜନକ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ୨୦୧୩ ମସିହାରୁ ରାଜ୍ୟ ସରକାର ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ କରିବାରେ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ଜମାରାଶି ଫେରସ୍ତ ପାଇଁ ୩୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ୍‌ ସହ ହତାଶ ଜମାକାରୀଙ୍କୁ ଅର୍ଥ ଫେରିପାଇବାର ଆଶା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ତାହା ସଫଳ ହୋଇ ନାହିଁ। ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତାମାନଙ୍କ ପୃଷ୍ଠପୋଷକତାରେ ସାଧାରଣ ଗରିବ ଓଡ଼ିଆଙ୍କ ଝାଳବୁହା ଅର୍ଥକୁ ଲୁଟ୍‌ କରାଯାଇଛି। କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ମିଛ କହିଆସୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ ‌କହିଲେ ଶାସକ ଦଳର ବନ୍ଧୁମାନେ ପ୍ରତିକ୍ରିୟାଶୀଳ ହୋଇ ହୋଇ ଉଠୁଛନ୍ତି । ମିଛକୁ ମିଛ କୁହାଯିବନି ତ ଆଉ କ’ଣ କୁହାଯିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର