ରାଇରଙ୍ଗପୁରରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟକୁ ବିରୋଧ : ସମୂହ ଇସ୍ତଫା ଦେବାକୁ ଧମକାଇଲେ କଂଗ୍ରେସ କର୍ମକର୍ତ୍ତା

ରାଇରଙ୍ଗପୁର : ଜାତୀୟସ୍ତରରେ କଂଗ୍ରେସ ଓ ଜେଏମ୍ଏମ୍ ମଧ୍ୟରେ ମେଣ୍ଟ ହେବା ପରେ ମୟୂରଭଞ୍ଜ ଜିଲ୍ଲାରେ ଏହାକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଆସନ ଭାଗବଣ୍ଟାକୁ ନେଇ ଉଭୟ ଦଳରେ ମତପାର୍ଥକ୍ୟ ରହି ଆସୁଥିବା ବେଳେ ଏବେ ଏହି ଅସନ୍ତୋଷ ଚରମ ସୀମାରେ ପହଞ୍ଚି ଗଲାଣି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସଂଗଠନ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ବେଶ୍ ସୁଦୃଢ଼। କିନ୍ତୁ ଏଠାରେ କଂଗ୍ରେସ ଦଳୀୟ ପ୍ରାର୍ଥୀ ନଦେଲେ ଦଳ ନିଜସ୍ବ ଭୋଟବ୍ୟାଙ୍କକୁ ହରାଇବା ସହ ଆଗାମୀ ଦିନରେ ଅସ୍ତିତ୍ବ ହରାଇବ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ ଯୁକ୍ତି ବାଢ଼ିଛନ୍ତି। ଏହି ଆସନଟି ଯଦି ଜେଏମ୍ଏମ୍ ଭାଗରେ ପଡ଼େ, ତେବେ କଂଗ୍ରେସ କର୍ମକର୍ତ୍ତାମାନେ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଆଜି ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ମାଝୀ ଓ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଓ ଜୋନ୍ ସ୍ତରୀୟ କର୍ମକର୍ତ୍ତା ଜେଏମ୍ଏମ୍ ହାତକୁ ଏହି ଆସନ ଦେବାର ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି। ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ରାଇରଙ୍ଗପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବା ନେଇ ତୁରନ୍ତ ନିଷ୍ପତ୍ତି ନହେଲେ କର୍ମକର୍ତ୍ତାମାନେ ସମୂହ ଇସ୍ତଫା ଦେବାର ଚରମ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଜି ସ୍ଥାନୀୟ କୁଡୁମୀ ଭବନ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାରେ ରାଇରଙ୍ଗପୁର କଂଗ୍ରେସର ପାରମ୍ପରିକ ଆସନ ଭାବେ ପରିଗଣିତ ହେଉଥିବା ବେଳେ ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ରାଇରଙ୍ଗପୁର ମ୍ୟୁନିସିପାଲଟି ସମେତ ଅନ୍ୟ ବ୍ଲକ୍‌ରେ କଂଗ୍ରେସ ତୃଣମୂଳସ୍ତରର ସଂଗଠନ ଆଜିବି ରହିଛି। ପିସିସି ସଭିପତି ଭାବେ ନିରଞ୍ଜନ ପଟ୍ଟନାୟକ ଆସିବା ପରେ କଂଗ୍ରେସର କର୍ମକର୍ତ୍ତାମାନେ ବେଶ୍ ଉତ୍ସାହ ସହକାରେ ସଂଗଠନକୁ ମଜବୁତ କରିବା ସହ ଚଳିତ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଆଶାବାଦୀ ଥିଲେ। ଗୋଟିଏ ପଟେ କଂଗ୍ରେସ-ଜେଏମ୍ଏମ୍ ମେଣ୍ଟରୁ ମୟୂରଭଞ୍ଜ ଲୋକସଭା ଆସନଟି ଜେଏମ୍ଏମ୍ ଖାତାକୁ ଯାଉଥିବା ବେଳେ ପ୍ରାର୍ଥୀ ଭାବେ ଜେଏମ୍ଏମର ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନଙ୍କ ପ୍ରାର୍ଥିତ୍ବ ଉପରେ ମୋହର ଲାଗିବାକୁ ଯାଉଛି। ଜେଏମ୍ଏମ୍ ଖାତାକୁ ଗୁରୁତ୍ବପୂର୍ଣ୍ଣ ମୋରଡ଼ା, ରାଇରଙ୍ଗପୁର ଆଦି ଆସନ ଯାଉଥିବାରୁ ତୃଣମୂଳ ସ୍ତରର କଂଗ୍ରେସ କର୍ମୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାମାନେ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନରେ କଂଗ୍ରେସ ଭୋଟବ୍ୟାଙ୍କ ଭାଙ୍ଗିବା ସହ ବରିଷ୍ଠ କର୍ମକର୍ତ୍ତା ଦଳ ଛାଡ଼ିବା ପାଇଁ ଚରଣ ନିଷ୍ପତ୍ତି ନେଉଥିବା ଆଜିର ଏହି ବୈଠକରୁ ଆଭାସ ମିଳିଛି। ଆଜିର ବୈଠକରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀଙ୍କ ସମେତ ଜିଲ୍ଲା ସାଧାରଣ ସଂପାଦକ ଦିବ୍ୟକାନ୍ତ ଖୁଣ୍ଟିଆ, ଜିଲ୍ଲା ସାଧାରଣ ସଂପାଦକ ବିଶ୍ବନାଥ ଦାସ, ଜିଲ୍ଲା ଉପସଭାପତି ଗୋଲକ ମହାନ୍ତି ତଥା ନିର୍ବାଚନ ମଣ୍ଡଳୀର ୮ଟି ଜୋନ୍‌ ସଭାପତି ଓ କର୍ମକର୍ତ୍ତାମାନେ ଦଳ ଛାଡ଼ିବା ନେଇ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ କଂଗ୍ରେସ-ଜେଏମ୍ଏମ୍ ମେଣ୍ଟ କେତେଟା ଫଳପ୍ରଦ ହେବ ସେନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଲାଗି ରହିଥିବା ବିରୋଧ ଆଗାମୀ ଦିନରେ ଦଳକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର