ଖାଇବାକୁ ବାଟ ଖୋଲିଦେଲେ

ଡିଏମ୍‌ଏଫ୍‌ ଯୋଜନାରେ କେଳେଙ୍କାରୀ!

ଭୁବନେଶ୍ୱର : ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫାଉଣ୍ଡେସନ୍‌ ବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବିକାଶ କ୍ଷେତ୍ରରେ ବଡ଼ ଧରଣର ଅନିୟମିତତା ପାଇଁ ସରକାର ବାଟ ଖୋଲିଦେଇଛନ୍ତି। ଗୋଟିଏ ପଟେ ଦେଶର ସର୍ବାଧିକ ପାଣ୍ଠି (ପ୍ରାୟ ୩୭୩୫ କୋଟି) ସଂଗ୍ରହ ନେଇ କେନ୍ଦ୍ର ଠାରୁ ବାହା ବା ଗୋଟାଇଛି ଓଡ଼ିଶା। ଅନ୍ୟପଟେ ଏହି ପାଣ୍ଠି ବିନିଯୋଗ ଆଳରେ ଅର୍ଥ ହଡ଼ପ ଷଡ୍‌ଯନ୍ତ୍ର ଯୋଜନା ହୋଇଥିବା ନେଇ ସନ୍ଦେହ କ୍ରମଶଃ ଦୃଢୀଭୂତ ହେଲାଣି। ଏମିତି ଯେ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ ଶହ ଶହ କୋଟିର ପ୍ରକଳ୍ପ ଅନୁମୋଦନ ଦିଆଯାଇଥିବା ସାଂଘାତିକ ଅଭିଯୋଗ ଉଠିଛି। ସୁଚିନ୍ତିତ ଭାବେ ଏହି ଅର୍ଥକୁ ଗିଳି ଦେବା ଲାଗି ଯୋଜନା ହୋଇଛି, ଯାହା ସଂପର୍କରେ ନିରୀହ ଆଦିବାସୀ ଟେର୍‌ ସୁଦ୍ଧା ପାଇବେ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟ ସରକାର ଏ ମଧ୍ୟରେ ୧୮୬୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଦେଇଛନ୍ତି। ହେଲେ ଏ ମଧ୍ୟରୁ କେତେ ପ୍ରତିଶତ ଅର୍ଥ ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ସ୍ଥାନୀୟ ଲୋକଙ୍କ ବିକାଶ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରିବା ବଦଳରେ କାହା ସ୍ୱାର୍ଥରେ ଏସବୁକୁ ହାତକୁ ନିଆଯାଇଛି, ଏହି ପ୍ରଶ୍ନ ସବୁ ମହଲକୁ ଆନ୍ଦୋଳିତ କଲାଣି। ଆଗାମୀ ଦିନରେ ଖଣିଜ ପାଣ୍ଠି ଯେ ଏକ ବଡ଼ ଦୁର୍ନୀତିକୁ ଜନ୍ମ ଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ନିୟମ ଅନୁସାରେ, ଖଣିଜ ସାମଗ୍ରୀ ଉତ୍ତୋଳନ ଯୋଗୁଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ଏବଂ ଖଣି ଖାଦାନ ଥିବା ଅଞ୍ଚଳଗୁଡିକର ଆଖିଦୃଶିଆ ବିକାଶ ହୋଇପାରିନଥିବା ପରିପ୍ରେକ୍ଷୀରେ ଖଣି ଲିଜ୍‌ଧାରୀମାନଙ୍କ ଠାରୁ ଆଇନାନୁଯାୟୀ ଡିଏମ୍‌ଏଫ୍‌ ଲାଗି ଅର୍ଥସଂଗ୍ରହ କରି ଏ ବାବଦରେ ଖର୍ଚ୍ଚ କରିବାପାଇଁ ବ୍ୟବସ୍ଥା ଅଛି । ଏମିତିକି ଖଣି ଦୁର୍ନୀତିର ତଦନ୍ତ କରିଥିବା ଜଷ୍ଟିସ୍‌ ଏମ୍‌.ବି.ଶାହା କମିସନ ମଧ୍ୟ ଖଣି ଖାଦାନ ଭରା ଅଞ୍ଚଳର ପରିବେଶ ଓ ପାରିପାର୍ଶ୍ୱିକ ଉନ୍ନତି ଲାଗି ଖଣିଜ ପାଣ୍ଠିର ଉପଯୁକ୍ତ ବିନିଯୋଗଲାଗି ସୁପାରିସ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ ସରକାର ନିୟମ କରିଛନ୍ତି, ଖଣି ଠାରୁ ୧୫ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବସବାସ କରୁଥିବା ଲୋକଙ୍କୁ ପ୍ରତ୍ୟକ୍ଷ ପ୍ରଭାବିତ ବୋଲି ଧରି ନିଆଯିବ। ୧୬ରୁ ୩୦ କିଲୋମିଟର ଅଞ୍ଚଳରେ ବାସ କରୁଥିବା ବ୍ୟକ୍ତି ଓ ପରିବାର ପରୋକ୍ଷ ପ୍ରଭାବିତ ଅଞ୍ଚଳ ବୋଲି ଚିହ୍ନିତ କରାଯିବ। ହେଲେ ଓଡ଼ିଶାରେ କିନ୍ତୁ କେତେ ଅଞ୍ଚଳ ପ୍ରତ୍ୟକ୍ଷ ଭାବେ ଓ କେତେ ପରୋକ୍ଷ ଭାବେ ଖଣି ଦ୍ୱାରା ପ୍ରଭାବିତ ହେଉଛି, ତାହା ଏଯାଏ ନିର୍ଣ୍ଣୟ ହୋଇନାହିଁ। ବରଂ କେନ୍ଦୁଝର ଜିଲ୍ଲାର ପାଣ୍ଠିକୁ ମୟୂରଂଭଞ୍ଜର ବିକାଶ ପାଇଁ ଖର୍ଚ୍ଚ କରିବା ଲାଗି ଯୋଜନା ଚାଲିଛି। ଖଣିଜ ଉତ୍ତୋଳନ ହେଉଥିବା ଅଞ୍ଚଳରେ ପ୍ରଭାବିତ ଲୋକଙ୍କର ଆବଶ୍ୟକତା କଣ, ତାହା ବି ଏଯାଏ ସରକାର ସର୍ଭେ କରି ନାହାନ୍ତି। କୌତୂହଳର କଥା ହେଉଛି, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାରେ ବୃକ୍ଷରୋପଣ, ଜଙ୍ଗଲ ପୁନର୍ଜୀବୀକରମ ସମ୍ପୂର୍ଣ୍ଣ ମନା।

ଏ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ଅନେକାଂଶରେ ସରକାର କାମ୍ପା ପାଣ୍ଠିର ବ୍ୟବହାର କରୁଛନ୍ତି। ମାତ୍ର ଏଭଳି ପ୍ରକଳ୍ପକୁ ମଧ୍ୟ ସ୍ଥାନ ଦିଆଯାଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ଗୃହ ନିର୍ମାଣ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଅନୁଗୁଳ ଭଳି ଜିଲ୍ଲାରେ ବିନା ଟେଣ୍ଡରରେ ପ୍ରକଳ୍ପ ହାତକୁ ନିଆଯାଉଥିବା ଅଭିଯୋଗ ଆସିଥିବା ବେଳେ କେନ୍ଦୁଝର ଜିଲ୍ଲା ଭଳି ଖଣି ଖାଦାନ ଅଞ୍ଚଳରେ ଟ୍ୟୁବେଓ୍ଵଲ ଖନନ ବାବଦରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଏବେ ଯୋଜନାର କାର୍ଯ୍ୟାନ୍ଵୟନ ପ୍ରକ୍ରିୟାରେ ସନ୍ଦେହର ବିଷ ମଞ୍ଜି ବୁଣିଲାଣି। ପ୍ରଭାବିତ ଅଞ୍ଚଳର ବିକାଶ ପରିବର୍ତେ କାହା ସ୍ୱାର୍ଥରେ ଶହ ଶହ କୋଟି ଟଙ୍କା ଶକ୍ତି ବିଭାଗକୁ ଦିଆଯାଉଛି, ଷ୍ଟାଡିୟମ ନିର୍ମାଣ ପାଇଁ ବ୍ୟୟବରାଦ ଯୋଜନା ହେଉଛି, ସହରାଞ୍ଚଳ ବିକାଶ ଦିଗରେ ଖର୍ଚ୍ଚ ହେବ, ତାହାକୁ ନେଇ ବିତର୍କ ମୁଣ୍ଡ ଟେକିଲାଣି। ଏସବୁ ଭିତରେ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗ ମଧ୍ୟରେ ସମନ୍ଵୟରେ ଘୋର ଅଭାବ କାରଣରୁ ଖଣିଜ ପାଣ୍ଠି ନିୟମ ସଂଶୋଧନ ପ୍ରସ୍ତାବର ଭାଗ୍ୟ ଫାଇଲ ରୁନ୍ଧି ହୋଇଯାଇଥିବା ସୂଚନା ମିଳିଛି।

ପୂର୍ବରୁ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭାରନମେଣ୍ଟ୍‌ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ମଧ୍ୟପ୍ରଦେଶ ଭଳି ୪ଟି ରାଜ୍ୟକୁ ନେଇ ଯେଉଁ ଷ୍ଟାଟସ୍‌ ରିପୋର୍ଟ ପ୍ରସ୍ତୁତ କରିଥିଲେ, ସେଥିରେ ମଧ୍ୟ ଏହି ପାଣ୍ଠିର ବିନିଯୋଗ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି କୁହାଯାଉଥିବା ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପୁଷ୍ଟିହୀନତା ଦୂର କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯିବା ଉପରେ ଏହି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଥିଲା। କେବଳ ସେତିିକି ନୁହେଁ, ଏହି ରିପୋର୍ଟ ଦର୍ଶାଇଥିଲା ଯେ ଖଣି ଅଞ୍ଚଳରେ ପାଣି ଅଧିକ ପ୍ରଦୂଷିତ। ଏ କ୍ଷେତ୍ରରେ ଟ୍ୟୁବେଓ୍ଵଲ୍‌ ଖନନକୁ ବିଶେଷ ଉତ୍ସାହିତ କରାଯାଏନାହିଁ। ମାତ୍ର ଜିଲ୍ଲାପାଳମାନେ ଟ୍ୟୁବେଓ୍ଵଲ୍‌ ସ୍ଥାପନ ଦିଗରେ ମାତ୍ରାଧିକ ଆଗ୍ରହ ପ୍ରକଟ କରିଛନ୍ତି।

ଏହି ପାଣ୍ଠି ବିନିଯୋଗ ଲାଗି ଜିଲ୍ଲାସ୍ତରରେ ନା ସ୍ୱତନ୍ତ୍ର ଅଧିକାରୀ ଅଛନ୍ତି ନା କାହାକୁ ଉତ୍ତରଦାୟୀ କରାଯାଇଛି। ଏବେ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଭାବେ ଖଣିଜ ଅଞ୍ଚଳରେ ଜଣେ ଲେଖାଏଁ ଓ଼ଡ଼ିଶା ପ୍ରଶାସନିକ ସେବା କ୍ୟାଡ଼ର ଅଧିକାରୀଙ୍କୁ ନିଯୁକ୍ତି ଦେବେ। ହେଲେ ଏତେ ଟଙ୍କା ଖର୍ଚ୍ଚର ତଦାରଖ ଆଦି ଲାଗି ତଳସ୍ତରରେ ଯେଉଁ କର୍ମଚାରୀଙ୍କର ଆବଶ୍ୟକତା ରହିଛି,ତାହା ଅଛି ତ?

ଉଲ୍ଲେଖଯୋଗ୍ୟ, ଖାସ୍‌ ଏଇଥିପାଇଁ ଜିଲ୍ଲା ଜିଲ୍ଲା ଖଣିଜ ପାଣ୍ଠି (ଲାଗି ସଂଗୃହୀତ ହୋଇଥିବା ଅର୍ଥର୮ ପ୍ରତିଶତ ମଧ୍ୟ ଖର୍ଚ୍ଚହୋଇ ପାରିନାହିଁ। ଶହ ଶହ କୋଟି ଟଙ୍କା ଜିଲ୍ଲାପାଳମାନେ ଧରି ବସିଛନ୍ତି। ତଥ୍ୟ କହୁଛି, ଗତ ନଭେମ୍ବର ଶେଷସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ଡିଏମ୍‌ଏଫ୍‌କୁ ୩୭୩୬ କୋଟି ୮୩ ଲକ୍ଷ ଟଙ୍କା ମିଳିଥିବାବେଳେ ଏଥିରୁ ଖର୍ଚ୍ଚହୋଇଛି ମାତ୍ର ୨୮୬ କୋଟି ୨୭ ଲକ୍ଷ ଟଙ୍କା। ଯାହାକି ସଂଗୃହୀତ ଅର୍ଥର ମାତ୍ର ୭.୬୬%।

କେନ୍ଦୁଝର ଜିଲ୍ଲା ଡିଏମ୍‌ଏଫ୍‌କୁ ୧୩୦୫ କୋଟି ୨୭ ଲକ୍ଷ ଟଙ୍କା ମିଳିଥିବାବେଳେ ଏଥିରୁ ଖର୍ଚ୍ଚ ହୋଇଥିଲା ୧୦୧ କୋଟି ୮୦ ଲକ୍ଷ ଟଙ୍କା । ଅନୁଗୁଳ ଜିଲ୍ଲାରେ ୭୬୮ କୋଟି ୭୧ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିବାବେଳେ ଖର୍ଚ୍ଚ ହୋଇଛି ୪୨ କୋଟି ୬୦ ଲକ୍ଷ। ସୁନ୍ଦରଗଡ ଜିଲ୍ଲାର ଡିଏମ୍‌ଏଫ୍‌କୁ ୬୫୩ କୋଟି ୩୩ ଲକ୍ଷ ଟଙ୍କା ଆସିଛି, ସେଥିରୁ ୫୮ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଯାଜପୁର ଜିଲ୍ଲାରେ ୪୦୧ କୋଟି ୪୧ ଲକ୍ଷ, ଝାରସୁଗୁଡାରେ ୪୩୫ କୋଟି ୩୩ ଲକ୍ଷ, କୋରାପୁଟରେ ୭୧ କୋଟି ୬୩ ଲକ୍ଷ ଓ ରାୟଗଡା ଜିଲ୍ଲାରେ ୫୫ କୋଟି ୭ଲକ୍ଷ ଟଙ୍କା ମିଳିଥିବାବେଳେ ଏଥିରୁ ସମ୍ପୃକ୍ତ ଜିଲ୍ଲା ଗୁଡିକରେ ଖର୍ଚ୍ଚ ହୋଇଛି ଯଥାକ୍ରମେ ୧୫.୩୫ କୋଟି, ୨୮.୪୦ କୋଟି, ୨୦.୮୩ କୋଟି ଓ ୧୨.୯୦ କୋଟି ଟଙ୍କା ।

ଓଡ଼ିଆରେ ଅଭିଯୋଗ ଦିଆଗଲା ବୋଲି କ’ଣ ପଢ଼ିଲେନି?

ଭୁବନେଶ୍ୱର : ‘‘କେନ୍ଦୁଝର ଜିଲ୍ଲା ସମନ୍ଵିତ ସମାଜର ୪୨ଜଣ ବରିଷ୍ଠ ଓ ଚିନ୍ତାଶୀଳ ନାଗରିକ ଓଡ଼ିଆ ଭାଷାରେ ସ୍ମାରକପତ୍ର ଲେଖି ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ଙ୍କ ହାତରେ ଦେଇଥିଲୁ। ଆଶା କରାଯାଉଥିଲା, ଏସବୁକୁ ସରକାର ବିଚାର କରିବେ ଓ ରିତିମତ ଆଲୋଚନା କରି ନିଷ୍ପତ୍ତି ରାଜ୍ୟସ୍ତରରେ ନେବେ। ଆଜିକୁ ୨ମାସ ହେଲାଣି, ଏହାର ଫଳାଫଳ କଣ ହେଲା, ତାହା ଜଣାପଡିଲାନି। ନାଗରିକ ସମାଜ ସନ୍ଦେହ କରୁଛି, ଏହି ପତ୍ର ଉପରେ ନିଷ୍ପତ୍ତି ନେବା ତ ଦୂରର କଥା, ବୋଧହୁଏ, କେହି ଠିକ୍‌ ଭାବେ ପଢିନାହାନ୍ତି। ସତରେ କ’ଣ ଆମ ସରକାର ଓଡ଼ିଆରେ ଲିଖିତ କାଗଜ ମୋଟେ ପଢନ୍ତି ନାହିଁ ବା ପଢିପାରନ୍ତି ନାହିଁ। ନଚେତ୍‌ ଆମର ଗମ୍ଭୀର ବିଚାରକୁ ସରକାର ଅତି ହାଲୁକା ଭାବେ ଗ୍ରହଣ କରିନଥାନ୍ତେ।’’

ଓଡ଼ିଆ ଭାଷା ସଂପର୍କରେ ପୁରୀରେ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତିର ଠିକ୍‌ ପରଦିନ ଅର୍ଥାତ୍‌ ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏମିତି ଏକ କ୍ଷୋଭ ଭରା ଚିଠି ଲେଖିଛନ୍ତି କେନ୍ଦୁଝର ସମନ୍ଵିତ ନାଗରିକ ସମାଜ। ଦୁଇ ପୃଷ୍ଠାର ଏହି ଓଡ଼ିଆ ଚିଠିରେ ନାଗରିକ ସମାଜର ଆବାହକ କିରଣ ଶଙ୍କର ସାହୁ ଦର୍ଶାଇଛନ୍ତି ଯେ କେନ୍ଦୁଝର ଜିଲ୍ଲା ଖଣିଜ ନ୍ୟାସ ଟ୍ରଷ୍ଟର ବିଶାଳ ଅର୍ଥରାଶିର ସୁପରିଚାଳନା ଅଭାବ ଓ ଦିଗହରା ବ୍ୟୟ ବ୍ୟବସ୍ଥା ସଂପର୍କରେ କେନ୍ଦୁଝର ନାଗରିକ ମଞ୍ଚ ବାରମ୍ବାର ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଅଧିକାରୀଙ୍କୁୁ ଗତ ଦୁଇ ବର୍ଷ ଧରି ଅବଗତ କରାଇ ଆସିଛି। ଶେଷରେ ଗତ ଅକ୍ଟୋବର ୨୧ ତାରିଖ ଦିନ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ଙ୍କ ସମେତ ପାଖାପାଖି ୧୦ ବରିଷ୍ଠ ଅଫିସର ଜିଲ୍ଲା ଖଣିଜ ନ୍ୟାସ ଟ୍ରଷ୍ଟର ବିଶାଳ ଅର୍ଥରାଶି ସୁପରିଚାଳନା ନେଇ ତନାଘନା ପାଇଁ ଆସିଥିଲେ। ଦ୍ୱିତୀୟାର୍ଧରେ ନାଗରିକ ସମାଜ ସହିତ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଜିଲ୍ଲା ନ୍ୟାସ ପାଣ୍ଠିର ମୁଖ୍ୟ କାର୍ଯ୍ୟପାଳିକା ତଥା ଜିଲ୍ଲାପାଳ କେତେକ ଜଣାଶୁଣା ନାଗରିକ ସମାଜ ସଂସ୍ଥାକୁ ଆମନ୍ତ୍ରଣ ନ କରି ସର୍ବସାଧାରଣ ବିଜ୍ଞାପନ ଜରିଆରେ ସମସ୍ତଙ୍କୁ ଆଲୋଚନା କରିବାକୁ ନିର୍ଦେଶ ଦେଲେ। ଫଳରେ ବୈଠକଟି ଦିଗହରା ହୋଇଗଲା।

ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ ଏମିତି ଏକ ସ୍ଥିତିକୁ ଲକ୍ଷ୍ୟ କରି କେନ୍ଦୁଝରର କେତେକ ନାଗରିକ ସମାଜ, ଓକିଲ ସଂଘ, ବୁଦ୍ଧିଜୀବୀ, ସାମ୍ବାଦିକଙ୍କର ଏକ ଆଲୋଚନା ସଭା ହୋଇଥିଲା ଓ ଓଡ଼ିଆ ଭାଷାରେ ଲିଖିତ ଦୀର୍ଘ ୮ପୃଷ୍ଠାର ଏକ ସ୍ମାରକ ପତ୍ର ପ୍ରସ୍ତୁତ ହୋଇଥିଲା। ଏଥିରେ ଡିଏମ୍‌ଏଫ୍‌ କାର୍ଯ୍ୟରେ ୧୩ଟି ଗୁରୁ ବିଚ୍ୟୁତି ଓ ୧୦ଟି ଲଘୁ ବିଚ୍ୟୁତିର ତାଲିକା ଦିଆଯାଇଥିଲା। ସେଥିରେ ଡିଏମ୍‌ଏଫ୍‌ କାର୍ଯ୍ୟ ପଦ୍ଧତି ନେଇ ୬ଟି ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିରେ ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାର ରୂପରେଖ ବଦଳିବ। ଏଥିରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା ଯେ ଏହି ପାଣ୍ଠିର ବିନିଯୋଗ ନ୍ୟାସର ନିୟମାବଳୀ ଓ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାରେ ହେଉ।। ମାତ୍ର ଏସବୁର ଉତ୍ତର ମିଳିଲା ନାହିଁ। ସ୍ମାରକପତ୍ରଟି ଓଡ଼ିଆରେ ଲେଖାଯାଇଥିବା କାରଣରୁ ଏହାକୁ କେହି ପଢିଲେନି ବୋଲି ନାଗରିକ ସମାଜ ସନ୍ଦେହ ବ୍ୟକ୍ତ କରିଛି।

ଏଠାରେ ଉଲ୍ଲେଖଥାଉକି, ଅକ୍ଟୋବର ୨୧ ତାରିଖ ଦିନର ବୈଠକରେ ଅର୍ଥ ବରାଦ ଓ ବିନିଯୋଗକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ କେବଳ ଅସନ୍ତୋଷ ପ୍ରକଟ କରିଥିଲେ ତା ନୁହେଁ, ସଚିବମାନେ ମଧ୍ୟ ସନ୍ତୁଷ୍ଟ ହୋଇପାରିନଥିଲେ। ପ୍ରଥମାର୍ଧ ସମୀକ୍ଷା ବେଳେ ବେଶ୍‌ କିଛି ଘଣ୍ଟା ଧରି ଏ ନେଇ ତନାଘନା ହୋଇଥିଲା। ବିଭିନ୍ନ ବିଭାଗକୁ ଦୋଷ ଠେଲିଥିଲେ ଜିଲ୍ଲାପାଳ, ଆଉ ପାଲଟା ଜବାବ ଦେଇଥିଲେ ସଚିବମାନେ। ଅଧିକ ଅଧିକାରୀ ନିଯୁକ୍ତି ଉପରେ ବି ପ୍ରଶାସନ ଗୁରୁତ୍ୱ ଦେଇଥିଲା।

ଅନ୍ୟପକ୍ଷରେ କେନ୍ଦୁଝରର ବୁଦ୍ଧିଜୀବୀ ଏକାଧିକ ଯୁକ୍ତି ଉତ୍‌ଥାପନ କରି କହିଥିଲେ, ଅନ୍ୟ ସବୁ ଜିଲ୍ଲାରେ ସରକାର ନିଜ ଖର୍ଚ୍ଚରେ ମେଡ଼ିକାଲ କଲେଜ କରୁଥିବା ବେଳେ ଏଠାରେ କାହିଁକି ଡିଏମ୍‌ଏଫ୍‌ ପାଣ୍ଠିରେ ହେବ? ସେହିଭଳି ବନୀକରଣ ଠାରୁ ଆରମ୍ଭ କରି ବିଦ୍ୟାଳୟ ଶ୍ରେଣୀ ଗୃହ, ଉଠାଜଳସେଚନ ପ୍ରକଳ୍ପ ଲାଗି ସରକାର ତାଙ୍କ ବଜେଟ୍‌ରେ ବ୍ୟୟ ବରାଦ କରୁଛନ୍ତି ସବୁ ଜିଲ୍ଲାପାଇଁ। ଯଦି କେନ୍ଦୁଝର ଜିଲ୍ଲାରେ ଡିଏମ୍‌ଏଫ୍‌ ପାଣ୍ଠିରୁ ଏ କ୍ଷେତ୍ରରେ ବ୍ୟୟବରାଦ କରାଯିବ, ତେବେ ରାଜ୍ୟ ବଜେଟ୍‌ରେ କେନ୍ଦୁଝରର ଭାଗ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠାଇଥିଲେ। ଆବଶ୍ୟକ ଶିକ୍ଷକ ନ ଦେଇ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କରିବା, ଆବଶ୍ୟକ ଚିକିତ୍ସା ଆଦି ଭିତ୍ତିଭୂମି ସୃଷ୍ଟି ନ କରି ଓମ୍‌ଫେଡ୍‌ ଜରିଆରେ ଗାଈ ପ୍ରଦାନକୁ ମଧ୍ୟ ନାପସନ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର