ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ, ନିର୍ବାହୀ ଯନ୍ତ୍ରୀଙ୍କ କ୍ଷମା‌ ପ୍ରାର୍ଥନା

କଟକ: କେନ୍ଦ୍ରାପଡା ରୁରାଲ ୱାର୍କସ୍ ଡିଭିଜନ୍-୨ର ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ କୁମାର ମହାପାତ୍ର ହାଇକୋର୍ଟରେ କ୍ଷମା ପ୍ରାର୍ଥନା କରି ସତ୍ୟପାଠ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ୨୦୧୯, ମାର୍ଚ୍ଚ ୧୫ର ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଥିବା ବେଳେ ଶ୍ରୀ ମହାପାତ୍ର ଏଥି ପାଇଁ କ୍ଷମା ପ୍ରାର୍ଥନା କରି ସତ୍ୟପାଠ ଦାଖଲ କରିଛନ୍ତି। ଅଜାଣତରେ ଏପରି ଉଲ୍ଲଂଘନ ହୋଇଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୬ ତାରିଖକୁ ଧାର୍ଯ୍ୟ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନିଆଳିରେ ନିର୍ମାଣ ହେବାକୁ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର କମିଟି ନିଷ୍ପତ୍ତିକୁ ଚାଲେଞ୍ଜ କରି ଗାୟତ୍ରୀ ଏଣ୍ଟରପ୍ରାଇଜେସ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ମାର୍ଚ୍ଚ ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଏହି ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଥିଲେ। ହାଇକୋର୍ଟଙ୍କ ସ୍ଥିତାବାସ୍ଥା ଜାରି ନିର୍ଦ୍ଦେଶ ପରେ ମଧ୍ୟ କର୍ତ୍ତୃପକ୍ଷ ଏହି ପ୍ରସଂଗରେ ଅଗ୍ରସର ହୋଇ ସ୍କୁଲ ନିର୍ମାଣ କାମ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ଜଣେ ଠିକାଦାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିଥିଲେ। ଅଗଷ୍ଟ ୧୭ରେ ଏ ସଂର୍ପକିତ କାର୍ଯ୍ୟାଦେଶ ଓ ଚୁକ୍ତିକୁ ବାତିଲ କରାଯାଇଥିଲା ବୋଲି ନିର୍ବାହୀ ଯନ୍ତ୍ରୀଙ୍କ ସତ୍ୟପାଠରେ ଉଲ୍ଲେକ କରାଯାଇଛି।

ସମ୍ବନ୍ଧିତ ଖବର