ରେଡକ୍ରସ୍ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ୫ଦିନ ପାଇଁ ଶୁଖିଲା ଖାଦ୍ୟ
ପ୍ରତି ଜିଲ୍ଲାରେ କ୍ବିକ୍ ରେସପନ୍ସ ଟିମ୍, ମୁଖ୍ୟ କାର୍ଯ୍ୟାଳୟରେ ୨ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ, ବାତ୍ୟା ପରବର୍ତୀ ସମୟ ପାଇଁ ୧ହଜାର କିଟ୍ ପ୍ରସ୍ତୁତ, ୬୫ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଆରମ୍ଭ
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ଫନି’ ପାଇଁ ଭାରତୀୟ ରେଡକ୍ରସ୍ ଓଡ଼ିଶା ଶାଖା ପକ୍ଷରୁ ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଛି। ରେଡକ୍ରସ୍ର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟ ଜାରି ରହିଛି। ରେଡକ୍ରସ୍ ଅଧିକାରୀମାନେ ଏହାର ତଦାରଖ କରିବା ସହିତ କେଉଁ ଅଞ୍ଚଳକୁ ଏସବୁ ଖାଦ୍ୟ ପୁଡ଼ିଆ ପଠାଯିବ ତାହାର ତାଲିକା ପ୍ରସ୍ତୁତ କରୁଛନ୍ତି। ଏହାସହ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସ୍ବତନ୍ତ୍ର ଭାବେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନଙ୍କୁ ପ୍ରସ୍ତୁତ ରଖାଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରେଡକ୍ରସ ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୫ଦିନ ପାଇଁ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ୨୫ଶହ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ପରବର୍ତୀ ସମୟରେ ଏହି ସଂଖ୍ୟା ବଢ଼ାଯିବ। ଏପରିକି ଆବଶ୍ୟକ ପଡ଼ିଲେ ଆସନ୍ତା ୧ମାସ ପର୍ଯ୍ୟନ୍ତ ମଧ୍ୟ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ରେଡକ୍ରସ୍ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୋଟିଏ ଖାଦ୍ୟ ପୁଡ଼ିଆରେ ୨ କେଜି ଚୁଡ଼ା, ୫ଶହ ଗ୍ରାମ୍ ଗୁଡ଼ ଓ ଛତୁଆ, ଗୋଟିଏ କ୍ୟାଣ୍ଡେଲ ଓ ଦିଆସିଲି, ଫ୍ୟାମିଲି ପ୍ୟାକ୍ର ବିସ୍କୁଟ୍ ରହିଛି। ଏହାସହ ପିଇବା ପାଣି ଓ ଫାଷ୍ଟଏଡ୍ର ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ରେଡକ୍ରସ୍ର ସ୍ବେଚ୍ଛାସେବୀମାନେ ପ୍ରଭାବିତ ଲୋକମାନଙ୍କୁ ଏହି ଖାଦ୍ୟ ପୁଡ଼ିଆ ବଣ୍ଟନ କରିବେ ବୋଲି ଜଣାପଡ଼ିଛି।
ପ୍ରତ୍ୟେକ ଜିଲ୍ଲାରେ ଜରୁରିକାଳୀନ କ୍ବିକ୍ ରେସପନ୍ସ ଟିମ୍ ରହିଛନ୍ତି। ସେମାନଙ୍କୁ ଫାଷ୍ଟଏଡ୍ ସହିତ ବିପର୍ଯ୍ୟୟ ମୁକାବିଲା ନେଇ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଛି। ଗୋଟିଏ ଦଳରେ ୬ଜଣ କାଉନସେଲର ଓ ୩୦ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ସେମାନଙ୍କ ନାମ ଓ ଫୋନ୍ ନମ୍ବର ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି। ରେଡକ୍ରସ୍ ଅଧୀନରେ ରାଜ୍ୟରେ ୬୫ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ସେସବୁ ସ୍ଥାନରେ ଯଥେଷ୍ଟ ପରିମାଣର ପିଇବା ପାଣି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ ରଖାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଧୀରେ ଧୀରେ ଲୋକମାନଙ୍କୁ ଅଣାଯାଇ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖିବା କାମ ଆରମ୍ଭ ହୋଇସାରିଛି। ସେହିପରି ମୁଖ୍ୟ କାର୍ଯ୍ୟାଳୟରେ ୨ଟି ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଗୋଟିଏ ନିୟନ୍ତ୍ରଣ କକ୍ଷ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ କାର୍ଯ୍ୟ କରୁଥିବା ବେଳେ ଅନ୍ୟଟି ସମସ୍ତ କାର୍ଯ୍ୟର ତଦାରଖ କରିବ।
ଅପରପକ୍ଷରେ ବାତ୍ୟା ପରବର୍ତୀ ସମୟରେ ପ୍ରଭାବିତ ଲୋକମାନଙ୍କ ପାଇଁ କିଟ୍ ପ୍ରସ୍ତୁତ କରାଯାଇଛି। ଏ ପର୍ଯ୍ୟନ୍ତ ୧ ହଜାରଟି କିଟ୍ ପ୍ରସ୍ତୁତ ହୋଇଥିବା ବେଳେ ଜାତୀୟ କାର୍ଯ୍ୟାଳୟରୁ ଏଥିପାଇଁ ଅଧିକ ସହାୟତା ମଗାଯାଇଛି। ଗୋଟିଏ କିଟ୍ରେ ୨ଟି ତାରପୋଲିନ୍, ଗୋଟିଏ ବେଡସିଟ୍ ସହିତ ୨ଟି ଶାଢ଼ି, ନାଇଟି, ୨ଧୋତି, ଗୋଟିଏ ଟାୱେଲ୍, ବାଲ୍ଟି ଓ ମଗ୍, କିଚେନ୍ ସେଟ୍ ଓ ଷ୍ଟୋଭ୍ ରହିଛି। ରେଡ୍କ୍ରସର ନିଜସ୍ବ ୬ଟି ଏସ୍ୟୁଭି, ଗୋଟିଏ ବସ୍ ଓ ଗୋଟିଏ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ପାଇଁ ରଖାଯାଇଛି। ବାତ୍ୟା ପରବର୍ତୀ ସମୟରେ ଏହାକୁ ବଣ୍ଟନ କରାଯିବ ବୋଲି ରେଡକ୍ରସ୍ ଓଡ଼ିଶା ଶାଖାର ଅବୈତନିକ ସଚିବ କଳ୍ପନା ଦାସ ସୂଚନା ଦେଇଛନ୍ତି। ଜିଲ୍ଲାସ୍ତରରେ ରହିଥିବା କ୍ବିକ୍ ଆକ୍ସନ ଟିମ୍କୁ ଚନ୍ଦନ କୁମାର ମହାନ୍ତି ତଦାରଖ କରୁଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ପୁରୀ ଓ କୋଣାର୍କକୁ ୧ ହଜାର ଖାଦ୍ୟ ପୁଡ଼ିଆ ଓ ୩ଶହ ତାରପୋଲିନ ଯୋଗାଇ ଦିଆଯାଇଥିବା ରେଡକ୍ରସ ପକ୍ଷରୁ ସୂଚନା ମିଳିଛି।