ମାଲ୍‌ଦାରୁ ଆସୁଛି ଜାଲ୍‌ନୋଟ ୫ ମାସରେ ଜବତ ହେଲାଣି ୧୦ ଲକ୍ଷ ଟଙ୍କା

୨୪ ଜଣଙ୍କୁ ଗିରଫ କରି ସାରିଲାଣି ୬ ଜିଲ୍ଲା ପୁଲିସ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଜାଲ ନୋଟ କାରବାର ବଢ଼ିବାରେ ଚାଲିଛି। ବାଲେଶ୍ୱରଠାରୁ ଆରମ୍ଭ କରି ବରଗଡ଼, ବାରିପଦା, ଦେବଗଡ଼, ବୌଦ୍ଧ, ସୋନୁପୁର, କଳାହାଣ୍ଡି ଏପରିକି ଖୋର୍ଧାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଜାଲ୍‌ ନୋଟ ଧରା ପଡ଼ିଛି। ଗତ ୫ ମାସ ମଧ୍ୟରେ ୬ଟି ଜିଲ୍ଲା ପୁଲିସ ୨୪ ଜଣଙ୍କୁ ଗିରଫ କରିବା ସହିତ ୧୦ ଲକ୍ଷରୁ ଉର୍ଧ୍ୱ ଟଙ୍କା ଜବତ କରି ସାରିଲାଣି। ରାଜ୍ୟରେ ଜାଲ୍‌ ନୋଟର ବ୍ୟାପକ ପ୍ରଚଳନ ଏବେ ଖାଉଟିଙ୍କୁ ଅଡୁଆରେ ପକାଇବା ସହ ପୁଲିସର ଚିନ୍ତା ମଧ୍ୟ ବଢ଼ାଇ ଦେଲାଣି। ପୁଲିସ ଜାଲ୍‌ ନୋଟ କାରବାରକୁ ରୋକିବା ଲାଗି ଯେତେ ପ୍ରୟାସ କଲେ ମଧ୍ୟ ସେଥିରେ ରୋକ୍‌ ଲାଗି ପାରୁନାହିଁ। ବରଂ କିଛି ଦିନ ଅନ୍ତରରେ କେଉଁଠି ନା କେଉଁଠି ଜାଲ୍‌ ନୋଟ ଜବତ ହେଉଛି। ଖୁବ୍‌ ଶୀଘ୍ର ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାଲ ନୋଟ କାରବାର କରୁଥିବା ର‍୍ୟାକେଟ୍‌ ଉପରେ ନଜର ରଖିବାକୁ ଏକ ସର୍କୁଲାର ଜାରି ହେବ। ଏହି ସର୍କୁଲାରକୁ ଜିଲ୍ଲା ଏସ୍‌ପି ଓ କମିସନରେଟ ପୁଲିସକୁ ପ୍ରଦାନ କରାଯିବ ବୋଲି ପୁଲିସ ମୁଖ୍ୟାଳୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବାଲାଂଦେଶ ଏବେ ଜାଲ୍‌ ନୋଟର କୁଟୀର ଶିଳ୍ପ ପାଲଟି ଯାଇଛି। ସାରା ଦେଶକୁ ବାଲାଂଦେଶରୁ ଜାଲ୍‌ନୋଟ ଛପା ହୋଇ ଆସୁଛି। ବାଲାଂଦେଶରୁ ପଶ୍ଚିମବଙ୍ଗର ମାଲ୍‌ଦାକୁ ଏହା ପରେ ସାରା ଦେଶକୁ ଜାଲ୍‌ନୋଟ ଚାଲାଣ ହୋଇଥାଏ। ସେଠାରେ ଥିବା ଏଜେଣ୍ଟମାନେ ଜାଲ୍‌ ନୋଟ ନେଇ ଦେଶର ବିଭିନ୍ନ ଛୋଟଛୋଟ ସହରକୁ ଯାଇଥାନ୍ତି। ଛୋଟଛୋଟ ସୁନାଗହଣା ଦୋକାନରୁ ସୁନା କିଣିବା ସହିତ ଅନ୍ୟାନ୍ୟ ଜିନିଷପତ୍ର କିଣି ଜାଲନୋଟ ବଦଳାଇ ଦେଇଥାନ୍ତି। ଓଡ଼ିଶାକୁ ମଧ୍ୟ ମାଲଦାରୁ ଜାଲନୋଟ ଆସୁଛି। ବାଲେଶ୍ୱର ହୋଇ ଜାଲ୍‌ ନୋଟ ପ୍ରବେଶ କରୁଛି ରାଜ୍ୟକୁ। ଜଣେ ଅବସରପ୍ରାପ୍ତ ପୁଲିସ ଡିଜିଙ୍କ ସୂଚନା ମୁତାବକ, ଜାଲ୍‌ ନୋଟ କାରବାରକୁ ରୋକିବା ଲାଗି ରାଜ୍ୟ-ରାଜ୍ୟ ମଧ୍ୟରେ ସମନ୍ଵୟ ରହିବା ଆବଶ୍ୟକ। ଗୁଇନ୍ଦା ତଥ୍ୟ ମଧ୍ୟ ପରସ୍ପର ମଧ୍ୟରେ ବାଣ୍ଟିବା ଦରକାର। ଏହାଛଡ଼ା ରେଭେନ୍ୟୁ, କଷ୍ଟମ ବିଭାଗ ସହିତ ପୁଲିସ ମିଳି ମିଶି କାମ କଲେ ଅନେକ ଜାଲ୍‌ ନୋଟ ର‍୍ୟାକେଟ୍‌ର ପର୍ଦାଫାସ ହୋଇ ପାରିବ ବୋଲି ଉକ୍ତ ପୁଲିସ ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର