ଭୁବନେଶ୍ୱର : ବାଲେଶ୍ୱର ତାଳସାରୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଣ୍ଡାମାଡ଼ କରିଥିବା ମହିଳା ରାଜଶ୍ରୀ କାମିଲାଙ୍କ ଉପରୁ ସମସ୍ତ ମାମଲା ହଟାଯିବ। ଆଜି ହଠାତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାରତା ପ୍ରଦର୍ଶନ କରିବାକୁ ଯାଇ ଏଭଳି ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପୁଲିସକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଳମ୍ବରେ ହେଲେ ବି ସରକାରଙ୍କର ଚେତା ପଶିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୩୧ ତାରିଖ ଦିନ ରାଜଶ୍ରୀ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ଫିଙ୍ଗିଥିଲେ। ଏହି ଘଟଣାରେ ସେ ଉଭୟ ବିଜେଡି ଓ ପୁଲିସ କର୍ମଚାରୀଙ୍କ ରୋଷର ଶିକାର ହୋଇଥିଲେ। ପୁଲିସ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଅର୍ଥାତ୍ ଆଇପିସିର ଦଫା ୩୦୭, ୨୯୪, ୩୩୨, ୩୫୪, ୫୦୬, ୧୨୦(ବି), ୩୪ ଓ ୭ ଅପରାଧିକ ଆଇନ (ସଂଶୋଧନ) ଆଦି ଲଗାଇ ଗିରଫ କରିଥିଲା। ଦୁଇ ଦିନ ତଳେ ତାଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଏବେ ସେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରାଜଶ୍ରୀଙ୍କ ଘଟଣାକୁ ନେଇ ସମଗ୍ର ଓଡ଼ିଶାରେ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ପୁଲିସ ଦଫା ୩୦୭ ଉଠାଇ ନେଇଥିଲା।
ପୂର୍ବତନ ଆଇନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବରଗଡର ଲେଙ୍ଗୁ ମିଶ୍ର ମାମଲାରେ ହାଇକୋର୍ଟ ଦେଇଥିବା ରାୟ ବିଜୁ ପଟ୍ଟନାୟକଙ୍କ ସରକାରଙ୍କୁ ବିଚଳିତ କରିଦେଇଥିଲା। ଶ୍ରୀ ମିଶ୍ର ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଇ ଉପଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା କରିଥିବା ଅଭିଯୋଗ ଉଠିଥିଲା। ହେଲେ ଏହି ଘଟଣାରେ କୋର୍ଟ ତାଙ୍କ ଆଭିମୁଖ୍ୟ ରଖିଥିଲେ। କୁହାଯାଇଥିଲା, ଶ୍ରୀ ମିଶ୍ର ଏଭଳି କାର୍ଯ୍ୟ କରିବା ପଛରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅପରାଧିକ କାର୍ଯ୍ୟକଳାପ ନୁହେଁ। ପରବର୍ତୀ ସମୟରେ ବିଜୁ ପଟ୍ଟନାୟକ ସରକାର ଏହି କୋର୍ଟ ରାୟକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ମାମଲାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜେ ଶହ ଶହ ମାମଲା ପ୍ରତ୍ୟାହାର କରିଛନ୍ତି। ଏହାକୁ ନେଇ ସେ ସମୟରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପ୍ରାୟ ୨୫ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ବିଜୁ ବାବୁଙ୍କ ଆଦର୍ଶକୁ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଉଲ୍ଲେଖ ଥାଉକି, ଯଦିଓ ରାଜ୍ୟରେ ଏଭଳି ଶହ ଶହ ଘଟଣା ଘଟିଛି, ଅନ୍ୟ କୌଣସି ଗୋଟିଏ ବି ମାମଲାରେ ସରକାର ନରମ ବା ନିଜର ଉଦାର ହୃଦୟ ପ୍ରକଟ କରିନାହାନ୍ତି। ଏହି ଘଟଣାରେ କିନ୍ତୁ ସରକାର ତାଙ୍କ ଆଭିମୁଖ୍ୟ ବଦଳାଇଥିବା ଅନୁମାନ କରାଯାଉଛି। ରାଜନୈତିକ ମହଲ ଏହାକୁ ନବୀନଙ୍କ ରାଜନୈତିକ ପରିପକ୍ୱତା ବୋଲି ବର୍ଣ୍ଣନା କରୁଛନ୍ତି।