ପାଇଖାନା ଟାଙ୍କିରେ ଖସି ପଡ଼ିଲେ ମା’ ଓ ଛୁଆ ହାତୀ

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ପର୍ଜଙ୍ଗ ବ୍ଲକ୍‌ ସାଆନ୍ଦା ପଞ୍ଚାୟତ ତଳବେରେଣୀ ଗାଁର ମାନସ ପାଳଙ୍କ ପାଇଖାନା ଟାଙ୍କିରେ ଆଜି ସକାଳ ପ୍ରାୟ ସାଢେ଼ ୫ଟାବେଳେ ଏକ ମାଆ ହାତୀ ଓ ତା’ର ଗୋଟିଏ ଛୁଆ ଖସି ପଡ଼ିଥିଲେ। ମାଆ ହାତୀ ଟାଙ୍କିରୁ ଉଠିଆସିଥିବାବେଳେ ଛୁଆ ଉଠିପାରିନଥିଲା। ଗ୍ରାମବାସୀଙ୍କ ସହଯୋଗରେ ବନ ବିଭାଗ ତାହାକୁ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ମାନସଙ୍କ ଘର ପଛରେ ଥିବା ପୁୁରୁଣା ପାଇଖାନା ଟାଙ୍କି ଉପରେ ହାତୀଟି ଚଢ଼ିଯିବାରୁ ଏହାର ସ୍ଲାବ୍‌ ଭାଙ୍ଗିଯାଇଥିଲା। ଫଳରେ ହାତୀଟି ଟାଙ୍କି ଭିତରକୁ ଗଳିପଡ଼ିଥିଲା। ପଛରେ ଯାଉଥିବା ଛୁଆ ହାତୀ ମଧ୍ୟ ଟାଙ୍କି ଭିତରେ ପଡ଼ିଯାଇଥିଲା। ମାଆ ହାତୀ ଛାଏଁ ଉଠି ଆସିଥିଲା ମଧ୍ୟ ଛୁଆ ବାହାରିପାରିନଥିଲା। ଏହାପରେ ମାଆ ହାତୀ ପାଖରେ ଥିବା ଛୋଟ ନଡ଼ିଆ ଗଛ ଉପାଡ଼ି ତାହା ସାହାଯ୍ୟରେ ଛୁଆକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ଛୁଆ ନ ବାହାରିବାରୁ ସେ ଗର୍ଜନ କରିଥିଲା। ହାତୀର ଗର୍ଜନ ଶୁଣି ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଥିଲେ। ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ଗାଁର ର˚ଜନ ପଣ୍ତା, ଡିହଡୋଳ ଫରେଷ୍ଟର ରାମଚନ୍ଦ୍ର ରାଉତ, ହାତୀ ଘଉଡ଼ା ସ୍କ୍ବାଡ୍‌ ସଭ୍ୟ ସୁଶାନ୍ତ ବେହେରା, ବନବିହାରୀ ସାହୁ, ମନୋଜ ପାତ୍ର, ପ୍ରକାଶ ଦାସଙ୍କ ସମେତ ଗ୍ରାମବାସୀମାନେ ୨ ଘଣ୍ଟା ପରିଶ୍ରମ କରି ଛୁଆ ହାତୀଟିକୁ ଉଦ୍ଧାର କରିଥିଲେ। ଏହାପରେ ମାଆ ଓ ଛୁଆ ହାତୀ ସ୍ଥାନୀୟ ଜଙ୍ଗଲକୁ ଚାଲି ଯାଇଥିଲେ। ପ୍ରକାଶଯୋଗ୍ୟ ଯେ ସାଆନ୍ଦା, କୁମୁସୀ, ରେଣ୍ଠାପାଟ, ରୋଡ୍‌ ପଞ୍ଚାୟତରେ ୩୦ରୁ ଅଧିକ ହାତୀ ଉପଦ୍ରବ ଚଳାଇଛନ୍ତି। ଘରଦ୍ବାର ଓ ଫସଲ ଉଜାଡ଼ୁଛନ୍ତି। ବନ ବିଭାଗ ନିରୁପାୟ ହୋଇପଡ଼ିଛି।

ସମ୍ବନ୍ଧିତ ଖବର