‘ସୁନ୍ଦରୀ’ କସରତ ଫେଲ୍‌

ଲତାବୁଦାରେ ଖେଳିଲା ଲୁଚକାଳି, ଶିକାର ଖାଇବାକୁ ଆସିଲାନି

ଅନୁଗୁଳ/ବନ୍ତଳା/ପାଇକସାହି: ଫେଲ୍‌ ମାରିଛି ‘ସୁନ୍ଦରୀ’ କସରତ। ବିଶେଷଜ୍ଞ ଟିମ୍‌ର ଶତ ଚେଷ୍ଟା ସତ୍ତ୍ବେ ସାତକୋଶିଆ ଜଙ୍ଗଲରୁ ଆଜି କାବୁ ହୋଇପାରିନି ବାଘୁଣୀ। ଲତାବୁଦା ଆଢ଼ୁଆଳରେ ସୁନ୍ଦରୀ ଦିନ ସାରା ରହିଥିଲା। ବନ ବିଭାଗ ସହିତ ଏମିତି ଲୁଚକାଳି ଖେଳିଥିଲା ଯେ ତିନି ଦିଗରୁ ତିନୋଟି ଟିମ୍‌ ତାକୁ ଘେରିଥିଲେ ବି ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ବାଟ ପାଇ ପାରି ନ ଥିଲେ। ଘଣ୍ଟା ଘଣ୍ଟା ଲତାବୁଦାରେ ଜଗି ବସିଥିଲେ। କିନ୍ତୁ ସବୁ ଚେଷ୍ଟା ବିଫଳ ହେବା ପରେ ସୁନ୍ଦରୀକୁ ଜୀବନ୍ତ ଛେଳି ଥୋପ ଦିଆଯାଇଛି। ମଞ୍ଚା ଉପରୁ ଟ୍ରାଙ୍କୁଲାଇଜ୍‌ କରି ବନ୍ଦୀ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ରାତି ସାଢେ ୯ରେ ରିପୋର୍ଟ ଲେଖାଯିବା ସୁଦ୍ଧା ବନ ବିଭାଗ ଫାନ୍ଦରେ ସୁନ୍ଦରୀ ପଡ଼ିନାହିଁ। ଅନ୍ଧାର ହୋଇଯିବାରୁ ସୁନ୍ଦରୀକୁ ବନ୍ଦୀ କରିବା ବିଶେଷଜ୍ଞଙ୍କ ପକ୍ଷେ ବଡ଼ କାଠିକର ପାଠ ହୋଇ ପଡ଼ିଛି।

ବାଘୁଣୀକୁ ଏବେ ଛେଳି ଥୋପ, ସୁରକ୍ଷାରେ ଦୁଇ ପ୍ଲାଟୁନ ପୁଲିସ

ଉଲ୍ଲେଖଯୋଗ୍ୟ, ହାତୀବାରିର ମହିଳା କୈଳାସୀ ସାଏ ଏବ˚ ଟାଇଁସିର ଚାଷୀ ତ୍ରିନାଥ ସାହୁଙ୍କୁ ସୁନ୍ଦରୀ ଘୋଷାଡ଼ି ନେବା ପରେ ଟିକରପଡ଼ାରେ ଲଙ୍କାକାଣ୍ତ ଏବ˚ ମୁଣ୍ତାସାହିରେ ପୁଲିସ-ଜନତା ଖଣ୍ତଯୁଦ୍ଧ ହୋଇଥିଲା। ଟାଇଁସି ଘଟଣା ପରେ ବନ ବିଭାଗର ଚୈତନ୍ୟ ଉଦୟ ହୋଇଛି। ‘ସୁନ୍ଦରୀ’କୁ କାବୁ କରିବାକୁ ସରକାର ଘୋଷଣା କରିଛନ୍ତି। ସେଥିପାଇଁ ଆଜି ୧୦ଜଣିଆ ଟ୍ରାଙ୍କୁଲାଇଜ୍‌ ଟିମ୍‌ ପୁଲିସ ସୁରକ୍ଷାରେ ସାତକୋଶିଆରେ ପହଞ୍ଚିବା ପରେ କୁମୁରୀରୁ ସୁନ୍ଦରୀ ବନ୍ଦୀ ଅଭିଯାନ ଆରମ୍ଭ ହୋଇଛି। ତ୍ରିନାଥଙ୍କ ମୃତ୍ୟୁ ପରଦିନ ଟାଇଁସିର ପଡେ଼ାଶୀ ଗାଁ କୁମୁରୀରେ ଗତକାଲି ଏକ ବଳଦକୁ ବାଘୁଣୀ ଘୋଷାଡ଼ି ନେଇଥିଲା। ବଳଦ ମଢ଼ ପାଖରେ ବାଘୁଣୀ ଗତକାଲି ଦିନ ଓ ରାତି ସାରା ଘୂରି ବୁଲିଥିଲା। ବାଘୁଣୀ ଭୟରେ କୁମୁରୀ ଗାଁର ସ୍ତ୍ରୀ ଓ ପିଲା ଛୁଆ କେହି ଘରୁ ବାହାରି ନ ଥିଲେ। ପୁରୁଷ ଲୋକ ରାତି ସାରା ସୁନ୍ଦରୀକୁ ଆଖି ଆଗରେ ନଜର କରି ରହିଥିଲେ। ପଇଁତିରା ମାରିଥିଲେ। ମଲା ବଳଦକୁ ଗାଁର ଏକ ବୁଲା କୁକୁର ଖାଉଥିବା ବେଳେ ବାଘୁଣୀ ତା’ର ଜୀବନ ନେଇଥିଲା। ତା’ ପରଠାରୁ ମଢ଼ ନିକଟ ଲତାବୁଦାରେ ବାଘୁଣୀ ଲୁଚି ରହିଥିଲା। ସୁନ୍ଦରୀ ମଢ଼ ଖାଇଲା ବେଳେ ସହଜରେ ଟ୍ରାଙ୍କୁଲାଇଜ୍‌ କରିବାକୁ ଆଜି ଦିନ ପ୍ରାୟ ୧୦ଟା ବେଳେ ଚାରୋଟି ଟିମ୍‌ କୁମୁରୀରେ ପହଞ୍ଚିଥିଲେ। ଓୟୁଏଟିର ବିଶେଷଜ୍ଞ ଡ. ଇନ୍ଦ୍ରମଣି ନାଥଙ୍କ ନେତୃତ୍ବରେ ଶିମିଳିପାଳ, ନନ୍ଦନକାନନ, ସାତକୋଶିଆ ଏବ˚ ଡବ୍ଲୁଆଇଆଇର ଅଧିକାରୀ ସୁନ୍ଦରୀକୁ ବନ୍ଦୀ କରିବା ପାଇଁ ଲାଗି ପଡ଼ିଥିଲେ। ତିନୋଟି ଟ୍ରାଙ୍କୁଲାଇଜ ବନ୍ଧୁକ ଧରି ତିନି ପଟୁ ସୁନ୍ଦରୀ ଆଡ଼କୁ ନିଶାନା କରାଯାଇଥିଲା। କିନ୍ତୁ ମଢ଼ ଖାଇବାକୁ ସେ ଲତାବୁଦାରୁ ପଦାକୁ ବାହାରିଲା ନାହିଁ। ଗହଳ ଲତାବୁଦାରେ ବାଘୁଣୀ ଓ ବିଶେଷଜ୍ଞ ଟିମ୍‌ର ଲୁଚକାଳି ଖେଳ ଢେର୍ ସମୟଧରି ଚାଲିଥିଲା। କିନ୍ତୁ ସବୁ କସରତ ଫେଲ୍‌ ମାରିବା ପରେ ବାଘୁଣୀକୁ ଛେଳି ଥୋପ ଦିଆଯାଇଛି। ଲୁଚିଥିବା ଜାଗା ନିକଟରେ ମଞ୍ଚା କରାଯାଇଛି। ମଞ୍ଚା ତଳେ ଗୋଟିଏ ଜୀବନ୍ତ ଛେଳିକୁ ବାନ୍ଧି ଦିଆଯାଇଛି। ବାଘୁଣୀ ଛେଳି ଖାଇବାକୁ ଲୋଭରେ ଆସିଲେ ଅଥବା ମଢ଼ ଖାଇଲେ ମଞ୍ଚା ଉପରୁ ଟ୍ରାଙ୍କୁଲାଇଜ୍‌ କରିବାକୁ ବିଶେଷଜ୍ଞ ଜଗି ବସିଛନ୍ତି। ସୁନ୍ଦରୀକୁ ବନ୍ଦୀ କରିବାକୁ ପାଖରେ ଯନ୍ତା ରଖାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗାଁ ଲୋକେ ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏସିଏଫ୍‌ ଶୁଭେନ୍ଦୁ ବେହେରା, ସରୋଜ ପଣ୍ତା, ଘନଶ୍ୟାମ ମହାନ୍ତ, ପୁରୁଣାକୋଟ୍‌ ଥାନା ଅଧିକାରୀ ବିଜୟ ହାଇବ୍ରୁଙ୍କ ସମେତ ବନ କର୍ମଚାରୀ, ପୁଲିସ ଅଧିକାରୀମାନେ ଏହି ଅଭିଯାନରେ ସାମିଲ ହୋଇଥିବା ବେଳେ ବାଘଛଡ଼ା ଯୋଜନାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ତାଙ୍କୁ କିନ୍ତୁ ଘଟଣାସ୍ଥଳରେ ଆଜି ଦେଖିବାକୁ ମିଳିନାହିଁ। ବାଘକୁ ଟ୍ରାଙ୍କୁଲାଇଜ୍‌ କରିବାରେ ପୋଷା ହାତୀର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ପାଖରେ ହାତୀ ଥିଲେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବା ଅତି ମାମୁଲି କଥା। କିନ୍ତୁ ସାତକୋଶିଆ କର୍ତ୍ତୃପକ୍ଷ ପୋଷା ହାତୀ ନ ଆଣି ବାଘ ଛାଡ଼ିବାର ଦୁଃସାହସ କରିଥିବାରୁ ଆଜି ଟ୍ରାଙ୍କୁଲାଇଜ୍‌ କରିବା କାଠିକର ପାଠ ହୋଇ ପଡ଼ିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର