ଅଲୋଡ଼ା ହେଲା ମଲା ମଣିଷ : ଶବ ନେଲେନି ପତ୍ନୀ, ପରିବାର, ମୃତଦେହ ୩ ଦିନ ପଡ଼ିରହିଲା, ପୁଲିସ୍‌ କଲା ଶେଷକୃତ୍ୟ

କୋରାପୁଟ : ମେଡିକାଲରେ ଜୀବନ ସହ ଲଢ଼ି ଲଢ଼ି ହାରିଗଲେ ବିଧାନ। ଏ ଖବର ପତ୍ନୀ, ପରିବାର ପାଖରେ ପହଞ୍ଚିଲା। ହେଲେ ମୃତଦେହ ନେବାକୁ ସେମାନେ ସଫା ସଫା ମନା କରିଦେଲେ। ଶେଷରେ ପୁଲିସ ମୃତ ବିଧାନଙ୍କ ଶେଷକୃତ୍ୟ କରିବାକୁ ବାଧ୍ୟ ହୋଇଛି। ଆଜିର ବସ୍ତୁବାଦୀ ଦୁନିଆରେ ସଂପର୍କର ସଂଜ୍ଞା ଧୀରେ ଧୀରେ ମଳିନ ପଡ଼ି ଯାଉଥିଲାବେଳେ କୋରାପୁଟ ମେଡିକାଲ କଲେଜରେ ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ପତ୍ନୀ, ପରିବାର, ସଂପର୍କୀୟ ସମସ୍ତେ ଥାଇ ମଧ୍ୟ ମଲା ମଣିଷକୁ କେହି ନ ପଚାରିବାରୁ ବିଧାନଙ୍କ ମୃତଦେହ ୩ ଦିନ ଧରି ମେଡିକାଲରେ ପଡ଼ି ରହିବା ଘଟଣା ଅବକ୍ଷୟମୁଖୀ ସମାଜର ମୁଖା ଖୋଲି ଦେଇଛି।

କୋରାପୁଟ ଜିଲ୍ଲା ନନ୍ଦପୁର ହାଟପଦାରେ ଏକ ଛୋଟ କୁଡ଼ିଆରେ ରହୁଥିଲେ ବିଧାନ ହାଲଦାର (୪୫ବର୍ଷ)। ସେ ମାଲକାନଗିରିର ମୂଳ ବାସିନ୍ଦା ହୋଇଥିଲାବେଳେ ଦୀର୍ଘଦିନ ହେଲା ଏହି ଅଂଚଳରେ ଛୋଟମୋଟ ବ୍ୟବସାୟ କରି ଚଳୁଥିଲେ। ଖୁଚୁରା ପେଟ୍ରୋଲ ଓ କୁକୁଡା ବିକି ସେ ତାଙ୍କ ଗୁଜୁରାଣ ମେଣ୍ଟାଉଥିଲେ। ଗତ ବୁଧବାର ଅସୁସ୍ଥ ହେବାରୁ କୋରାପୁଟ ମେଡିକାଲ କଲେଜକୁ ଆସିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସହ ଥିଲେ ୪ ବର୍ଷର ଝିଅ। ପାଖରେ ଆଉ କେହି ନ ଥିଲେ। ଫଳରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ି ଯାଇଥିଲେ।

ଏ ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାରେ ମୁଣ୍ଡ ପୂରାଇଥିଲା। ମୃତ ବିଧାନଙ୍କ ପାଖରେ ଥିବା ମୋବାଇଲରୁ ପତ୍ନୀ ଓ ପରିବାର ସଂପର୍କରେ ଜାଣିବା ପରେ ପୁଲିସ ସେମାନଙ୍କୁ ଯୋଗାଯୋଗ କରିଥିଲା। ମୃତ ବିଧାନଙ୍କ ଦୁଇ ଜଣ ପତ୍ନୀ ରହିଥିଲାବେଳେ ୩ ଜଣ ଝିଅ ଅଛନ୍ତି। ତାଙ୍କ ପ୍ରଥମ ପତ୍ନୀ କାଜୁଲି ହାଲଦାରଙ୍କ ସହ ବିଧାନଙ୍କ ଅପଡ଼ ହେବାରୁ ସେ ନିଜ ଗାଁ ମାଲକାନଗିରି ଜିଲ୍ଲା ଏମଭି-୬୬କୁ ଚାଲି ଯାଇଥିଲେ। ସାଙ୍ଗରେ ତାଙ୍କର ଝିଅକୁ ବି ନେଇ ଯାଇଥିଲେ। ପରେ ବିଧାନ ବିଜଲି ହାଲଦାରଙ୍କୁ ବିବାହ କରିଥିଲେ। ତାଙ୍କର ମଧ୍ୟ ଦୁଇଟି ଝିଅ ହୋଇଥିଲା। ତେବେ କିଛି ଦିନ ହେଲା ଦଂପତିଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିବାରୁ ଦ୍ବିତୀୟ ପତ୍ନୀ ବି ନିଜ ଗାଁ ଏମଭି-୭୯କୁ ଚାଲି ଯାଇଥିଲେ। ବିଧାନଙ୍କ ସହ ରହି ଯାଇଥିଲେ କେବଳ ୪ ବର୍ଷର ସାନ ଝିଅ। ବାପ-ଝିଅ ଦୁଇଜଣ ନନ୍ଦପୁର ହାଟପଦାରେ ରହୁଥିଲା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ନିଜେ ବିଧାନ ଝିଅକୁ ନେଇ କୋରାପୁଟ ମେଡିକାଲ କଲେଜକୁ ଆସିଥିଲେ। ତେଣୁ ମୃତ୍ୟୁ ପରେ ଦୁଇ ପତ୍ନୀଙ୍କୁ ପୁଲିସ ଫୋନ କରି ମୃତଦେହ ନେବାକୁ କହିଥିଲା। କିନ୍ତୁ ଏଠାକୁ ଆସିବାକୁ କେହି ଆଗ୍ରହ ଦେଖାଇ ନ ଥିଲେ। ଫଳରେ ପୁଲିସ ଅଡ଼ୁଆରେ ପଡ଼ି ଯାଇଥିଲା। ବାଧ୍ୟ ହୋଇ ଦୁଇ ପତ୍ନୀଙ୍କୁ ଆସିବା ପାଇଁ ବାରମ୍ବାର ଅନୁରୋଧ କରିଥିଲା। ସଂପର୍କୀୟଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା। ଏପଟେ ମୃତଦେହକୁ ଶବାଗାରରେ ରଖି ସେମାନଙ୍କ ବାଟ ଚାହିଁ ବସିଥିଲା। ଶେଷରେ ଶୁକ୍ରବାର ସନ୍ଧ୍ୟାରେ ଉଭୟ ପତ୍ନୀ ଓ କିଛି ସଂପର୍କୀୟ କୋରାପୁଟରେ ପହଞ୍ଚିଥିଲେ। କିନ୍ତୁ ମୃତଦେହ ନେବାକୁ ସେମାନେ ସଫା ସଫା ମନା କରି ଦେଇଥିଲେ। ବରଂ ମୃତଦେହ ନେଇ କ’ଣ କରିବେ ବୋଲି ପୁଲିସକୁ ପଚାରିଥିଲେ। ଶେଷରେ ପୁଲିସ ଆଜି ମୃତଦେହକୁ ନେଇ ଆଜି କୋରାପୁଟ ଶ୍ମଶାନରେ ଶେଷକୃତ୍ୟ କରାଇଛି।

ସମ୍ବନ୍ଧିତ ଖବର