ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ

ରାଜନଗର : ୨ ଦିନର ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ କ୍ଷତି ଦେଖି ଚାଷୀ ଧୈର୍ଯ୍ୟହରା ହେଉଛି । ପାଣିରେ ବୁଡ଼ି ରହିଥିବା ପାଚିଲା ଧାନ କିଆରୀ ଦେଖି ରାଜକନିକା ଓ ଆଳିର ଗୋବିନ୍ଦପୁରରେ ଦୁଇ ଜଣ ଚାଷୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିବା ପରେ ରାଜନଗର ବ୍ଳକ୍‌ ଅଞ୍ଚଳରେ ଆଉ ଜଣେ ଚାଷୀଙ୍କ ସମଦଶାରେ ମୃତ୍ୟୁ ଘଟିଛି । ମୃତ ଚାଷୀଙ୍କ ନାମ ବିନୋଦ ରାଉତ(୬୫) । ଘର ଜୁଣଗଡ଼ି।

ଗତକାଲି ସେ ବିଲକୁ ଯାଇ ଉଜୁଡ଼ା ଫସଲ ଦେଖି ଭାରାକ୍ରାନ୍ତ ହୋଇ ପଡ଼ିଥିଲେ । କୋହଲା ପାଗରେ ଥକା ମାରି ବସି ପଡ଼ିଲେ ବିଲ ହିଡ଼ରେ । ଏହା ଦେଖି  ପାଖ ବିଲରେ କାମ କରୁଥିବା ଚାଷୀ ପ୍ରଭୁପାଦ ପାତ୍ର ଓ ଅନ୍ୟମାନେ ଦୌଡ଼ି ଯାଇ ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ । ସେତେବେଳକୁ ପକ୍ଷାଘାତରେ ଆକ୍ରାନ୍ତ ହୋଇଥାନ୍ତି । ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଈଶ୍ୱରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଫେରାଇ ଦେଇଥିଲେ। କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଗଲା ।  ମସ୍ତିଷ୍କର ଧମନୀ ଫାଟି ଯାଇଥିବାରୁ ସେଠାରେ ମଧ୍ୟ ଡାକ୍ତର ନାସ୍ତି ବାଣୀ ଶୁଣାଇଲେ । ତାଙ୍କୁ ଘରକୁ ଫେରାଇ ଦିଆଯାଇଥିଲା ଓ ଗତକାଲି ରାତି ପ୍ରାୟ ୧୨ଟାରେ ସେ ଆଖି ବୁଜିଦେଲେ ।

ଦୁଃଖର ପାହାଡ଼ ମାଡ଼ି ଆସିଥିଲା ତାଙ୍କ ପରିବାରକୁ ।  ପରିବାର କହିଲେ ଦୁଇ ଝିଅ ଲକ୍ଷ୍ମୀପ୍ରିୟା (୨୬)ଓ ବିଷ୍ଣୁପ୍ରିୟା(୧୯)। ଦୁହେଁ ଅବିବାହିତ । ମା କେବେଠୁ ଆର ପାରିକୁ ଚାଲି ଗଲେଣି । ବିନୋଦ ଥିଲେ ଏକମାତ୍ର ରୋଜଗାରିଆ । ଚାଳ ଛପର ଘର । ଦେଢ଼ ଏକର ଜମି । ପର ଘରେ କାମ କରୁଥିଲେ ଓ ଚାଷ କରି ପରିବାର ଚଳାଉଥିଲେ । ମାସିକ ବାର୍ଦ୍ଧକ୍ୟ  ଭତ୍ତା ୩ଶହ ଟଙ୍କା ମିଳୁଥିଲା । ଏବେ ଅନାଥ ଏହି ଦୁଇ ଝିଅ ପାଇଁ କେହି ସାହା ଭରସା ନାହାନ୍ତି । ଏକ ଶୋକାକୁଳ ପରିବେଶରେ ଗ୍ରାମବାସୀ ମିଳିମିଶି ବିନୋଦଙ୍କ ଅନ୍ତିିମ ସଂସ୍କାର କରିଛନ୍ତି । ଅଦ୍ୟାବଧି କୌଣସି ସରକାରୀ ସହାୟତା ମିଳି ନାହିଁ ତାଙ୍କୁ । ତହସିଲଦାର, ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ଏହି ଦୁଃଖୀ ଚାଷୀ ପରିବାରକୁ ସହଯୋଗର ହାତ ବଢ଼ାନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର