ବୀମା ବିଭ୍ରାଟ; ଚାଷୀ ନୟାନ୍ତ
ସମ୍ବଲପୁରରେ ୧୦ କୋଟିକୁ ଅପେକ୍ଷା, ବରଗଡ଼ରେ ଗିଳି ଦେବେ ୬୬ କୋଟି, ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବୀମା କମ୍ପାନିର ବେଖାତିର
ସମ୍ବଲପୁର: ଚାଷୀର ସଂଘର୍ଷ ସରୁନାହିଁ। ଚଳିତ ଖରିଫ ଧାନ ଅମଳ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି। ଏଭଳି ସ୍ଥିତିରେ ଚାଷରେ କ୍ଷତିଗ୍ରସ୍ତ ହୋଇ ଗତ ୨୦୧୭ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦର ପ୍ରାପ୍ୟ ପାଇଁ ନିତି ପ୍ରତିଦିନ ଚାଷୀଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଚାଷ କାମ ଛାଡ଼ି ଚାଷୀ ରାଜପଥକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି। ଏପରିକି ହକ୍ ମାଗିବାକୁ ଯାଇ ଚାଷୀଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡ଼ିଛି। ସବୁ ଜିଲ୍ଲାରେ ବୀମା ବିଭ୍ରାଟ ଲାଗି ରହିଛି। ଲଗାତାର ଚାଷୀ ଆନ୍ଦୋଳନ ପରେ ମଧ୍ୟ ୨୦୧୮ ମସିହା ମାର୍ଚ ମାସରେ ମିଳିବାକୁ ଥିବା ପ୍ରଧାନମନ୍ତ୍ରୀ ଫସଲ ବୀମାର ପ୍ରାପ୍ୟକୁ ଏନେଇ ଏବେ ଅଗଷ୍ଟ ଶେଷ ବେଳକୁ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ସମ୍ବଲପୁର ଜିଲ୍ଲାରେ ଫସଲ ବୀମା ବାବଦରେ ୧୨୫ କୋଟି ଟଙ୍କା ଦାଖଲ ହୋଇଛି। ଏଥିସହିତ ବର୍ତ୍ତମାନ କେବଳ ୧୦ କୋଟି ଟଙ୍କାର ଅପେକ୍ଷା ରହିଥିବା କହିଛନ୍ତି ଡିଡିଏ ଖଗେନ୍ଦ୍ର ଜେନା। କେନ୍ଦ୍ରୀୟ ସମବାୟ ବ୍ୟାଙ୍କକୁ ୩୦ କୋଟି ଟଙ୍କା ଦେବା ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ଟଙ୍କା ଜମାର ପ୍ରାୟ ମାସେ ପରେ ଦାଖଲ କରାଯାଇଥିବା କହିଛନ୍ତି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିକାରୀ ଶିବ ବେହେରା। ଏହା ସତ୍ତ୍ୱେ ବୀମା ଅନିଶ୍ଚିତତା ସମ୍ପୂର୍ଣ୍ଣ ଦୂର ହୋଇ ନାହିଁ। ଜିଲ୍ଲାର ୧୬ ପଞ୍ଚାୟତରେ କ୍ଷତି ଅନୁସାରେ ଅର୍ଥ ଆସି ନାହିଁ। ଏଥିଯୋଗୁଁ ଅନେକ ହିତାଧିକାରୀ ବୀମା ଅର୍ଥରୁ ବଞ୍ଚିତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ବରଗଡ଼ ଜିଲ୍ଲାର ଚାଷୀଙ୍କୁ ୨୦୧୭ ଖରିଫ ଫସଲ ବୀମା ମିଳିବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କ୍ଲେମ ରିପୋର୍ଟ ଗୋଟିଏ କଥା କହୁଥିବା ବେଳେ ଚାଷୀଙ୍କୁ ଏହି ହାରରେ ବୀମା ରାଶି ମିଳିନାହିଁ। ୨୦୧୭-୧୮ ଖରିଫ ଋତୁରେ ମୋଟ୍ ୧,୧୯,୦୮୨ ଜଣ ଚାଷୀ ବୀମାଭୁକ୍ତ ହୋଇଥିଲେ। କ୍ଲେମ ରିପୋର୍ଟ ଅନୁସାରେ ଯେତିକି ବୀମା ରାଶି ମିଳିବା କଥା ଶହେ ପଞ୍ଚାୟତକୁ ତାହା ତୁଳନାରେ କମ୍ ଟଙ୍କା ମିଳିବ। ଅନ୍ୟପକ୍ଷରେ ଜିଲ୍ଲାର ୬୦୯ ଜଣ ଚାଷୀଙ୍କ ବୀମା ଟଙ୍କା ଅଟକି ରହିଛି। ଏହି ଚାଷୀମାନେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ପାଇବା କଥା। ଅଡିଟ୍ ପରେ ଏମାନଙ୍କୁ ବୀମା ରାଶି ମିଳିବ ବୋଲି କମ୍ପାନି କହୁଛି। ଏବେ ୬୬ କୋଟି ଟଙ୍କା ଚଳୁ କରି ଦେବା ପାଇଁ ବୀମା କମ୍ପାନି ଷଡ଼ଯନ୍ତ୍ର କରୁଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ୨୦୧୭ରେ ଜିଲ୍ଲାର ୩୨ଟି ପ୍ୟାକ୍ସ ଜରିଆରେ ୧୫ ହଜାର ୨୨୧ ଜଣ ଚାଷୀ ୨ କୋଟି ୪ ଲକ୍ଷ ୮୭ ହଜାର ୯୨୫ ଟଙ୍କା ବ୍ୟାଙ୍କ ଜରିଆରେ ଟାଟା ଏଆଇଜି ବୀମା କମ୍ପାନିରେ ଫସଲ ବୀମା ପ୍ରିମିୟମ ବାବଦରେ ଜମା କରିଥିଲେ। ଏଥିପାଇଁ ୧୦୨ କୋଟି ୪୩ ଲକ୍ଷ ୭୩ ହଜାର ୩ ଶହ ଟଙ୍କାର ବୀମା ରାଶି ନିଶ୍ଚିତ ହୋଇଥିଲା। ତେବେ, କିଛି ଦିନ ତଳେ ସମ୍ବଲପୁର ଜିଲ୍ଲା ସମବାୟ ବ୍ୟାଙ୍କ ବେଲପାହାଡ଼ ଶାଖା, ଲଇକେରା ଶାଖା ଅଧୀନରେ ୩୪୮ ଜଣ ଚାଷୀଙ୍କ ପାଇଁ ପ୍ରାୟ ୭୬ ଲକ୍ଷ ଟଙ୍କା ରିଲିଜ୍ ହୋଇଥିବାବେଳେ ଏଯାଏ ପାଇନାହାନ୍ତିି। ଫସଲ ବୀମା ସଂପର୍କରେ ପ୍ରଶାସନ ପକ୍ଷରୁ ନିକଟରେ ଏକ ବୈଠକ ଡକାଯାଇଥିଲା। ଏଥିରେ ବିଧାୟକ ଓ ଚାଷୀ ପ୍ରତିନିଧି ଯୋଗଦେଇଥିବାବେଳେ ବୀମା କମ୍ପାନିର କୌଣସି ପ୍ରତିନିଧି ଆସିନଥିଲେ।
କଳାହାଣ୍ଡି ଜିଲ୍ଲାରେ ଫସଲ ବୀମା ପାଇଁ ଚାଷୀମାନେ ନାକେଦମ ହୋଇପଡିଛନ୍ତି। ବୀମା କମ୍ପାନି ୧୬୧୬୫ ଜଣ ଚାଷୀଙ୍କ ୧କୋଟି ୫୭ ଲକ୍ଷ ଟଙ୍କା ବୀମା ରାଶି ଦେଇନଥିବାରୁ ଚାଷୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାରେ ୨୦୧୭ ମସିହା ଖରିଫ ଋତୁରେ ଟାଟା ଏଆଇଜି ବୀମା କମ୍ପାନି ଦ୍ୱାରା ପଞ୍ଜିକୃତ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଥିଲା। ବୀମା କମ୍ପାନି ପକ୍ଷରୁ ୩୪କୋଟି ଟଙ୍କା ବୀମା ଅର୍ଥ ଚାଷୀଙ୍କୁ ପ୍ରଦାନ କରିବାକୁ ଥିବା ବେଳେ ଏପର୍ଯ୍ୟନ୍ତ ୩୨ କୋଟି ୪୩ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କକୁ ପ୍ରଦାନ କରାଯାଇଛି। ଅବଶିଷ୍ଟ ୧୬୧୬୫ ଜଣ ଚାଷୀଙ୍କ ୧କୋଟି ୫୭ଲକ୍ଷ ଟଙ୍କା ବୀମା କମ୍ପାନିର ବକେୟା ରହିଛି। ରାଜ୍ୟ ସରକାର ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଚାଷୀଙ୍କୁ ଶସ୍ୟବୀମା ତୁରନ୍ତ ପ୍ରଦାନ କରିବା ନିମନ୍ତେ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହୋଇଛି। ଚାଷୀ ଅସନ୍ତୋଷରୁ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି।