ଫସଲ ଉଜାଡ଼ିଦେଲା ଚକଡ଼ା ପୋକ: ବିଲରେ ନିଆଁ ଲଗାଇଲେ ଚାଷୀ

ଅନୁଧ୍ୟାନ ଲାଗି ବିଶେଷଜ୍ଞ କମିଟି ଯିବେ: ମନ୍ତ୍ରୀ

ବରଗଡ଼/ଭୁବନେଶ୍ୱର: କିଛି ଚାଷ ଜମିର ଫସଲକୁ ଉଜାଡ଼ି ଦେଇଥିଲା ମରୁଡ଼ି। ସେସବୁ ଅଞ୍ଚଳରେ ଚାଷୀ ମୁଣ୍ଡରୁ ହାତ ଖସୁନି। ଏପଟେ ଯେଉଁ ଅଞ୍ଚଳରେ ଭଲ ଚାଷ ହୋଇଥିଲା, ଆଜି ସେହି ଜମିରେ ନିଆଁ ଜଳୁଛି। ଚକ଼଼଼଼ଡ଼ା ପୋକର ଦାଉ ଏମିତି ଯେ ହସୁଥିବା ଫସଲକୁ ବରବାଦ୍‌ କରିଦେଇଛନ୍ତି କେଇ ଘଣ୍ଟା ମଧ୍ୟରେ।
ଫସଲ ଅମଳ ହେବାକୁ ଆଉ ୧୫ରୁ ୨୦ ଦିନ ବାକି ଥିଲା। କିନ୍ତୁ ଏହା ପୂର୍ବରୁ ଚାଷୀମାନେ ଯେଉଁ ହାତରେ ମାସ ମାସ ଧରି ପରିଶ୍ରମ କରି ସୁନା ଫଳାଇଥିଲେ, ଆଜି ସେହି ହାତରେ ନିଜ ଫସଲରେ ନିଆଁ ଲଗାଇ ଦେଇଛନ୍ତି। ମଙ୍ଗଳବାର ବରଗଡ ଜିଲ୍ଲାର କଳାପାଣି, ବରାହଗୋଡ଼ା, ଗାଇସୀମା, ଡାଙ୍ଗ, ଭେଡ଼େନ ବ୍ଲକ ରେଶମର ଚାଷୀମାନେ ଫସଲ ପୋଡ଼ି ଦେଇଛନ୍ତି। ଏପଟେ ଉପକୂଳରେ ମଧ୍ୟ ଏହାର ପ୍ରାଦୁର୍ଭାବ କିଛି କମ୍‌ ନାହିଁ।
ଘଟଣାର ଗମ୍ଭୀରତା ଦେଖି ସରକାର ବି ବିଚଳିଚ ହୋଇପଡିଲେଣି। ଆଜି ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ଖୁବ୍‌ ଶୀଘ୍ର ଏକ ତିନି ଜଣିଆ ବିଶେଷଜ୍ଞ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଯିବେ। କେବଳ ସେତିକି ନୁହେଁ, ଓୟୁଏଟିର ଏକ
ପ୍ରତିନିଧି ଦଳ ପଠାଇ ରୋଗ ଓ ଔଷଧ ସଂପର୍କରେ ଅଧିକ ଅନୁଧ୍ୟାନ କରାଯିବ। ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଥିଲେ, ଦୁଇମାସ ପୂର୍ବରୁ କୀଟନାଶକ ଔଷଧ କିଣି ରଖିବା ଲାଗି ଉପ ନିର୍ଦେଶକମାନଙ୍କୁ ନିର୍ଦେଶ ଯାଇଥିଲା। ହେଲେ ଏସବୁ ଔଷଧ ଏହି ରୋଗ ପାଇଁ ନୁହେଁ କିମ୍ବା ଔଷଧର ମାନ ଠିକ୍‌ ନୁହେଁ, ଏହାକୁ ଯାଞ୍ଚ କରାଯିବ।
ଉଲ୍ଲେଖଯୋଗ୍ୟ, କଳାପାଣିର ଭାଗଚାଷୀ ବୃନ୍ଦାବନ ସାହୁ ଏବଂ ବରାହଗୋଡ଼ାର ଚାଷୀ ବାଙ୍କାବିହାରୀ ସାହୁ ଆଜି ନିଜ ନିଜ ଜମିରେ ନିଆଁ ଲଗାଇ ଦେଇଛନ୍ତି। ଉକ୍ତ ଚାଷୀମାନେ ଚକଡା ପୋକର ନିରାକରଣ ପାଇଁ ୮/୧୦ ଥର ହେଲା କୀଟନାଶକ ସିଂଚନ କରିଥିଲେ। କିନ୍ତୁ ଚକଡ଼ା ପ୍ରାଦୁର୍ଭାବ କାବୁରେ ଆସିପାରି ନଥିଲା। ପରେ କଳାପାଣି ଓ ବରାହଗୋଡାର ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନ କୌଣସି ସମାଧାନ ବାହାର କରିବାରେ ବିଫଳ ହୋଇଥିଲା। ଯାହା ଫଳରେ ଚକଡ଼ା ପୋକ କ୍ରମଶଃ ବ୍ୟାପି ଚାଲିଥିଲା। ଏଥିରେ ଅତିଷ୍ଠ ହୋଇ କ୍ଷତିଗ୍ରସ୍ତ ଚାଷୀମାନେ ନିଜ ଜମିରେ ହିଁ ନିଆଁ ଲଗାଇ ଦେଇଥିଲେ।
ସରକାର ଯୋଗାଇଥିବା କୀଟନାଶକ ଅତି ନିମ୍ନମାନର ବୋଲି ‘ଫର୍‌’ ଅଧ୍ୟକ୍ଷ ଇଂ ଦେବବତ୍ର ମିଶ୍ର, ଚାଷୀ ଏକାଦଶିଆ ସାହୁ, ମହାଦେବ ପ୍ରଧାନ, ମୁଠିଦାର ପ୍ରଧାନ, ପ୍ରମୋଦ ପ୍ରଧାନ, ଦୁକାଲୁ ପଧାନ, ମାନଭଂଜନ ମିଶ୍ର ପ୍ରମୁଖ ଅଭିଯୋଗ କରିଛନ୍ତି।
ସେହିପରି ଗାଇସୀମାର ଚାଷୀ ତୋଷମଣି ମହାପାତ୍ର ତହସିଲଦାରଙ୍କ ଉପସ୍ଥିତିରେ ନିଜର ଅଧା ଏକର ଜମି ମଂଗଳବାର ଅପରାହ୍ନ ପୋଡି ଦେଇଛନ୍ତି। ଉକ୍ତ ଅଂଚଳରେ ଚକଡା ପୋକ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। କ୍ଷୟକ୍ଷତିର ସଠିକ୍‌ ଆକଳନ କରି ଶୀଘ୍ର କ୍ଷତିପୂରଣ ଦେବାକୁ ଚାଷୀମାନେ ତହସିଲଦାରଙ୍କୁ ଦାବି ଜଣାଇଛନ୍ତି।

୫ ହଜାର ହେକ୍ଟର ଜମିରେ ଜଉ ପୋକ
ବାଲିଅନ୍ତା: ପୂର୍ବରୁ ଲଗାଣ ବର୍ଷା ରାଜଧାନୀ ଉପକଣ୍ଠରେ ଥିବା ବାଲିଅନ୍ତା ବ୍ଲକରେ ଧାନ ଫସଲକୁ ପ୍ରଭାବିତ କରିଥିଲା। ଏବେ ଜଉପୋକ ଦାଉ ସାଧିଛି। ଧାନ ଫସଲରେ ପୁଳାପୁଳା ଜଉପୋକ ଲାଗି ଧାନକେଣ୍ଡାରୁ କ୍ଷୀର ଶୋଷି ସଂପୂର୍ଣ୍ଣ ନଷ୍ଟଭ୍ରଷ୍ଟ କରିଦେଲେଣି। ବାଲିଅନ୍ତା ଅଞ୍ଚଳରେ ବିଭିନ୍ନ ମୌଜାରେ ଥିବା ପାଖାପାଖି ୫୦୦୦ ହେକ୍ଟର ଧାନଫସଲ ଜଉ ଚରିଯାଇଥିବା ବ୍ଲକ୍‌ କୃଷିବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ହେଲେ ଫସଲ କ୍ଷୟକ୍ଷତିଠୁ ବଳି ପଡ଼ିଛି ବ୍ଲକ କୃଷି ଅଧିକାରୀ ଓ ଗ୍ରାମ କୃଷି କର୍ମଚାରୀମାନଙ୍କର
ଅସହଯୋଗ।
ଧାନଫସଲରେ ଏଭଳି ରୋଗପୋକ ସମୟରେ ସମସ୍ୟାର ସମାଧାନ ଲାଗି ବିଭାଗୀୟ ପରାମର୍ଶ ପାଇଁ କ୍ଷତିଗ୍ରସ୍ତ ଚାଷୀ ସ୍ଥାନୀୟ କୃଷି କାର୍ଯ୍ୟାଳୟକୁ ଯାଇ ଅଧିକାରୀ ଓ ଗ୍ରାମ କୃଷି କର୍ମଚାରୀଙ୍କୁ ନପାଇ ଫେରୁଥିବା ଅଭିଯୋଗ କରିଛନ୍ତି। ଏପଟେ ପୋକ ଦମନ ପାଇଁ ସରକାରଙ୍କ ପକ୍ଷରୁ ରିହାତି ମୂଲ୍ୟରେ ଯୋଗାଣ ହେଉଥିବା କୀଟନାଶକ ଓଷଧ ମଧ୍ୟ ଚାଷୀଙ୍କ ପାଖରେ ପହଞ୍ଚି ପାରିନି। ଏନେଇ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବାଲିଅନ୍ତା ବ୍ଲକରେ ମୋଟ୍‌ ୯ ହଜାର ୩୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଏଥିମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଧାନ ଫସଲ ଜଉପୋକ ଓ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଛି। ସେହିପରି ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି। ଅନ୍ୟପକ୍ଷରେ କୃଷି ଅଧିକାରୀ ଓ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ଚାଷୀମାନଙ୍କୁ ପରାମର୍ଶ ଦେଉ ନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଦୁଇଦିନ ତଳେ ଶତାଧିକ ଚାଷୀ ବାଳକାଟି ଓ ଭିଙ୍ଗାରପୁରସ୍ଥିତ କୃଷି କାର୍ଯ୍ୟାଳୟରେ ପହଞ୍ଚି ହୋ-ହଲ୍ଲା କରିବା ସହ ଭିଙ୍ଗାରପୁରରେ ତାଲା ପକାଇଦେଇଥିଲେ। ଅନ୍ୟପକ୍ଷରେ କୃଷି ବିଭାଗର ଉଦାସୀନତା ଯୋଗୁ କଳାବଜାରରେ କୀଟନାଶକ ଅଧିକ ଚଢ଼ାମୂଲ୍ୟରେ ବିକ୍ରି କରି ବ୍ୟବସାୟୀଗୋଷ୍ଠୀ ଏହାର ବେଶ୍‌ ମୁନାଫା ଉଠାଉଛନ୍ତି।
ବ୍ଲକ୍‌ ସହକାରୀ କୃଷି ଅଧିକାରୀ କ୍ଷେତ୍ରମୋହନ ରାଉଳ ଓ ମନୋରଂଜନ ରାଉଳଙ୍କ କହିବାନୁଯାୟୀ ଉପରୋକ୍ତ ଦୁଇ କାର୍ଯ୍ୟାଳୟରେ ନିଯୁକ୍ତି ହୋଇଥିଲେ ହେଁ ଉଭୟଙ୍କୁ ଆଉ ଦୁଇଟି ବ୍ଲକ୍‌ର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ପରିଚାଳନାଗତ ସମସ୍ୟା ଦେଖାଯାଇଛି। ଏଣେ ଜିଲ୍ଲା ଶସ୍ୟ ସଂରକ୍ଷଣ ଅଧିକାରୀ ତୁଷାରକାନ୍ତ ତୁଙ୍ଗ ଓ ଲିଟି ପଟ୍ଟନାୟକ ପ୍ରମୁଖ ତଦନ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିବା ସେ କହିଛନ୍ତି। ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର