ଚାଷୀ ଖରିଫ ଧାନ ବିହନ ପାଉନାହାନ୍ତି

ତୁରନ୍ତ ପ୍ରାମାଣିକ ବିହନ ଯୋଗାଅ: କଂଗ୍ରେସ କୃଷକ ସେଲ୍‌

ଭୁବନେଶ୍ୱର :  ଚଳିତ ଖରିଫ ଚାଷରେ ସାରା ରାଜ୍ୟରେ ଚାଷୀ ଆବଶ୍ୟକ ପରିମାଣର ବିହନ ପାଇବାରୁ ବଂଚିତ ହୋଇଛନ୍ତି। ବିଳମ୍ବିତ ମୌସୁମୀ ଯୋଗୁୁଁ ଚାଷୀ ପୂର୍ବରୁ ନେଇଥିବା ସରକାରୀ ବିହନରେ ବ୍ୟାପକ ଗଜା ମରୁଡ଼ି ହୋଇଛି। ବର୍ତମାନ ସରକାରଙ୍କ ପାଖରେ ଚାହିଦା ମୁତାବକ ବିହନ ନାହିଁ। ଏହା ସତ୍ତ୍ୱେ କୃଷିମନ୍ତ୍ରୀ ବିହନ ମହଜୁଦ ଥିବା ବାହାସ୍ପୋଟ ମାରୁଥିବା ଅଭିଯୋଗ କରିଛି କଂଗ୍ରେସ କୃଷକ ସେଲ୍‌। ଏଣୁ ଚାଷୀଙ୍କୁ ତୁରନ୍ତ ଆବଶ୍ୟକ ପରିମାଣର ସଅଳ କିସମ ପ୍ରାମାଣିକ ଧାନ ବିହନ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇଦେବାକୁ କୃଷକ ସେଲ୍‌ ପକ୍ଷରୁ ଦାବି କରାଯାଇଛି।

ପ୍ରଦେଶ କଂଗ୍ରେସ କୃଷକ ସେଲ୍‌ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ୍‌ ବିବୃତି ଜରିଆରେ କହିଛନ୍ତିି, ଚଳିତ ଖରିଫରେ କୃଷି ବିଭାଗ ପକ୍ଷରୁ ବିହନ ନିଗମ ଜରିଆରେ ଚାଷୀଙ୍କୁ ୩.୩୫ ଲକ୍ଷ କ୍ୱିଣ୍ଟାଲ୍‌ ଧାନ ବିହନ ରିହାତି ଦରରେ ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ତମାନ ପରିସ୍ଥିତିରେ ଚାଷୀଙ୍କୁ ଯେତିକି ବିହନ ଯୋଗାଇ ଦିଆଯାଇଛି, ତାହା ସମୁଦ୍ରକୁ ଶଙ୍ଖେ। ଅନେକ ସ୍ଥାନରେ ବିହନ ନିଗମର ଅଧୀକୃତ ଅସାଧୁ ଘରୋଇ ଡିଲରମାନେ ଅଧିକ ଦରରେ ବିକ୍ରି କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର