ବିଧାନସଭା ପାଇଁ ୩୩, ଲୋକସଭା ପାଇଁ ୧୨ ନାମାଙ୍କନ ପତ୍ର ଦାଖଲ

ହଟିଲା ୧୨.୭୦ ଲକ୍ଷ ହୋର୍ଡିଂ, ପୋଷ୍ଟର

ଭୁବନେଶ୍ବର : ଓଡ଼ିଶାରେ ୩ୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୬ଟି ଲୋକସଭା ଆସନ ପାଇଁ ଆଜି ୬ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୪୨ଟି ବିଧାନସଭା ଆସନ ପାଇଁ ୧୦ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତିି। ଫଳରେ ଆଜିସୁଦ୍ଧା ୩ୟ ପର୍ଯ୍ୟାୟ ଲୋକସଭା ପାଇଁ ୧୨ଜଣ ଏବଂ ବିଧାନସଭା ପାଇଁ ୩୩ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ସୂଚନାନୁସାରେ ବର୍ତମାନ ସୁଦ୍ଧା ରାଜ୍ୟରେ ୬୬୦୮ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ଆଜି ସୁଦ୍ଧା ୩୨୯୫୧ଜଣଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦିଆଯାଇଛି ୪୧୭୦ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ। ସେହିପରି ଜବତ ହୋଇଛି ଲାଇସେନ୍ସ ନଥିବା ୧୬୨ଟି ଅସ୍ତ୍ରଶସ୍ତ୍ର ଓ ୨୪୯.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ। ଆଜି ସୁଦ୍ଧା ୨.୨୫ କୋଟି ଟଙ୍କା ମୂଲ୍ୟର ମଦ ଜବତ ହୋଇଛି। ଅଦ୍ୟାବଧି ୭୦ ଲକ୍ଷ ୭୬ ହଜାର ୭୦ ଟଙ୍କା ଫ୍ଲାଇ ସ୍କ୍ବାଡ୍‌ ଓ ପୁଲିସ ଜରିଆରେ ଜବତ ହୋଇଛି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଆଜିସୁଦ୍ଧା ସର୍ବସାଧାରଣ ସ୍ଥାନରେ ୧୧ ଲକ୍ଷ ୫୯ ହଜାର ୧୦୭ଟି ହୋର୍ଡିଂ, ପୋଷ୍ଟର ଆଦି ହଟାଯାଇଛି। ସେହିପରି ବ୍ୟକ୍ତଗତ ମାଲିକାନାରେ ଥିବା ସ୍ଥାନରୁ ବାହାର କରାଯାଇଛି ବେଆଇନ ଭାବେ ଲାଗିଥିବା ୧ ଲକ୍ଷ ୧୦ ହଜାର ୭୪୪ ହୋର୍ଡିଂ, ପୋଷ୍ଟର ଇତ୍ୟାଦି। ଏହାଛଡ଼ା ସିଇଓ କାର୍ଯ୍ୟାଳୟରେ ଖୋଲିଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ଯୋଗେ ବିଭିନ୍ନ ଅଭିଯୋଗଗୁଡ଼ିକର ସମାଧାନ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର